କୋଷ୍ଟ କେନାଲ ପୁନରୁଦ୍ଧାର ଦାବିରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା) :-ବ୍ରିଟିଶ ଶାସନକାଳରେ ଖାଦ୍ୟ ପାଇଁ କାମ ଯୋଜନାରେ ପଶ୍ଚିମବଙ୍ଗରୁ ଗେଓଖାଲିରୁ ଭଦ୍ରକର ଚାରବାଟିଆ ପର୍ଯ୍ୟନ୍ତ ଖନନ ହୋଇଥିବା ଐତିହାସିକ କୋଷ୍ଟକେନାଲର ପୁନରୁଦ୍ଧାର ଓ ସୁରକ୍ଷାକୁ ନେଇ ବିଭିନ୍ନ ମହଲରୁ ଉଦ୍ୟମ ଆରମ୍ଭ ହୋଇଛି । ଜଳସେଚନର ଏକାନ୍ତ ଆବଶ୍ୟକତା, ଭୂତଳ ଜଳସ୍ତର ନିମ୍ନଗାମୀ ହେବାର ଉତ୍କଟତା, ପରିବହନ କ୍ଷେତ୍ରରେ ଏହାର ବିନିଯୋଗ ଆଭିମୁଖ୍ୟ ନେଇ ବାଲେଶ୍ୱର ଓ ଭଦ୍ରକ ଜିଲାରେ ଗଠିତ ହୋଇଥିବା ‘କୋଷ୍ଟକେନାଲ ପୁନରୁଦ୍ଧାର ମଞ୍ଚ’ ଏବେ ସକ୍ରିୟ ହୋଇଛି । କୋଷ୍ଟକେନାଲର ପୁନରୁଦ୍ଧାର ପାଇଁ ମଞ୍ଚ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ଦୃଢ଼ ଦାବି ଉପସ୍ଥାପନ କରାଯାଉଛି । ସାଧାରଣରେ ସଚେତନତା ସୃଷ୍ଟି ପାଇଁ ଗତବର୍ଷ ନଭେମ୍ବର ମାସରେ ବାଇକ ର୍ୟାଲି, ସଭା ସମିତି, ମାନବଶୃଙ୍ଖଳ ଇତ୍ୟାଦି ବାଲେଶ୍ୱର ଓ ଭଦ୍ରକରେ ଆୟୋଜିତ ହୋଇଥିଲା । ଗତ ୧୧ ତାରିଖରେ ବାଲେଶ୍ୱର ଗସ୍ତ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପୁନରୁଦ୍ଧାର ମଂଚ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ମାରକପତ୍ର ପ୍ରଦାନ ବେଳେ ମଞ୍ଚର କର୍ମକର୍ତ୍ତା ଶୁଭଙ୍କର ମହାପାତ୍ର, ଲମ୍ବୋଦର ନାୟକ, ପ୍ରଭାକର ସାହୁ, ଗୌରାଙ୍ଗ ପାଣିଗ୍ରାହୀ, ବନମାଳି ନାୟକ, ନିରଞ୍ଜନ ପରିଡ଼ା, ନିରଞ୍ଜନ ରାଉତ୍, ଡ. କେଶବ ଚରଣ ପଣ୍ଡା, ଗୋବିନ୍ଦ ଦଳେଇ, ଡ. କ୍ଷିତୀଶ୍ୱର ଦାଶ, କମଳାକାନ୍ତ ଦାଶ ଓ ପ୍ରଫୁଲ୍ଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହିତ କେନ୍ଦ୍ର ବନ୍ଦର, ପରିବହନ, ଜଳପଥ ଓ ଜାହାଜ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ଭଦ୍ରକ ଗସ୍ତ ଅବସରରେ କୋଷ୍ଟକେନାଲ ଉନ୍ନୟନ ମଞ୍ଚ ପକ୍ଷରୁ ଆବାହକ ଦୁଃଶାସନ ରାଉତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏ ସମ୍ପର୍କରେ ତାଙ୍କୁ ଜଣାଇଛନ୍ତି । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ମଧ୍ୟ ସାଂସଦରେ ଏହି ପ୍ରସଙ୍ଗ ଉତ୍ଥାପନ କରିସାରିଛନ୍ତି । ସେହିଭଳି ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ଜାହାଜ, ଜଳପଥ ଓ ବନ୍ଦର କ୍ୟାବିନେଟ୍ ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲଙ୍କୁ ଆଗାମୀ ସଂସଦ ଅଧିବେଶନରେ ସାକ୍ଷାତ୍ କରି ଏ ଦିଗରେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁୁ ପ୍ରତିଶ୍ରୁତି ଦେଇଛନ୍ତି ।