କୋସଲି ଭାଷା ଅତ୍ୟନ୍ତ ପ୍ରାଚୀନ ଓ ସମୃଦ୍ଧ ପଣ୍ଡିତ ଡଃ ପ୍ରବୋଧ ମିଶ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ପଶ୍ଚିମ ଓଡ଼ିଶାବାସୀଙ୍କ ନ୍ୟାଯ୍ୟ ଦାବି ହେଉଛି କୋସଲି ଭାଷାର ସାମ୍ବିଧାନିକ ମାନ୍ୟତା । ଯେଉଁ ମାନ୍ୟତା ପାଇଁ ସମଗ୍ର ପଶ୍ଚିମ ଓଡ଼ିଶାବାସୀ ଦୀର୍ଘକାଳରୁ ସଂଘର୍ଷ କରି ଆସୁଛନ୍ତି । ମାତ୍ର ଦୁଃଖ ଓ କ୍ଷୋଭର ବିଷୟ ସେ ଦିଗରେ ରାଜ୍ୟ ତଥା କେନ୍ଦ୍ର ସରକାର ଘୋର ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି । ଏକଥା ପ୍ରକାଶ ପାଇଛି ଆଜି ଏକ ପୁସ୍ତକ ଲୋକାର୍ପଣ ଉତ୍ସବରେ । ଏହି ପୁସ୍ତକ ଲୋକାର୍ପଣ ଉତ୍ସବ ଆଜି ପୂର୍ବାହ୍ନ ୧୧ଘଟିକାରେ ଉତ୍କଳ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କୋସଲ ସାହିତ୍ୟ ସଂସ୍କୃତି ଏକାଡ଼େମୀ ତଥା କୋସଲ ହେରିଟେଜ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଏକାଡ଼େମୀର କାର୍ଯ୍ୟକାରୀ ସଭାପତି ଅବସରପ୍ରାପ୍ତ ଆଇ.ଏ.ଏସ୍‌. ଅଫିସର ନରେନ୍ଦ୍ର କୁମାର ମିଶ୍ର, ପୂର୍ବତନ କୁଳପତି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷତା କରି କୋସଲି ଭାଷାର ଉତ୍କର୍ଷ ଓ ପ୍ରାଚୀନତା ସମ୍ପର୍କରେ ଆଲୋକପାତ କରି କହିଲେ ଯେ, ପ୍ରାଥମିକସ୍ତରରେ କୋସଲି ଭାଷାରେ ଶିକ୍ଷାଦାନ ହେଉନଥିବାରୁ ପଶ୍ଚିମ ଓଡ଼ିଶାର ଶିଶୁମାନଙ୍କ ବୌଦ୍ଧିକ ବିକାଶ ହୋଇପାରୁ ନାହିଁ । ଓଡ଼ିଶାର ପ୍ରାୟ ଦୁଇକୋଟିରୁ ଅଧିକ ଲୋକ ଏହି ଭାଷା ବ୍ୟବହାର କରୁଥିବାରୁ ଏହାକୁ ଓଡ଼ିଶାର ଅନ୍ୟତମ ସରକାରୀ ଭାଷା ଭାବେ ସରକାର ଗ୍ରହଣ କରିବା ଉଚିତ୍ ବୋଲି ସେ ମନ୍ତବ୍ୟ ଦେଇଥିଲେ । ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ହିନ୍ଦି, ଓଡ଼ିଆ ଏବଂ କୋସଲି ଭାଷାରେ ‘ଅଦ୍ୱୟ ସିଦ୍ଧି’, ‘ମନଗହନ’ ଓ ‘ପ୍ରଜ୍ଞାଲୋକ’ ନାମରେ ତିନୋଟି ପୁସ୍ତକ ଲୋକାର୍ପିତ ହୋଇଥିଲା ଯାହାର ପ୍ରକାଶକ ହେଉଛନ୍ତି କୋସଲ ସାହିତ୍ୟ ସଂସ୍କୃତି ଏକାଡ଼େମୀ । ‘ଅଦ୍ୱୟ ସିଦ୍ଧି’ ହେଉଛି ଗୋରେଖନାଥ ସାହୁ ଓ ପଣ୍ଡିତ ଦାମୋଦର ହୋତାଙ୍କ ଦ୍ୱାରା ଓଡ଼ିଆ ଭାଷାର ପୁସ୍ତକ ଯାହାକୁ ହିନ୍ଦିରେ ଅନୁବାଦ କରିଛନ୍ତି ପଦ୍ମଶ୍ରୀ ଡଃ ଶ୍ରୀନିବାସ ଉଦ୍‌ଗାତା । ଓଡ଼ିଆ ଭାଷାରେ ଲିଖିତ ସତ୍ୟକଥା ଉପରେ ଆଧାରିତ ‘ମନଗହନ’ର ରଚୟିତା ହେଉଛନ୍ତି ପ୍ରାଧ୍ୟାପିକା ମୀନା ମହରଣା ଏବଂ ପଶ୍ଚିମ ଓଡ଼ିଶାର ଗ୍ରାମୀଣ ଯାନିଯାତ୍ରାରେ ଯୋଗତତ୍ତ୍ୱ ଆଧାରିତ ବରୁଆତତ୍ତ୍ୱ ଉପରେ ଲିଖିତ ‘ପ୍ରଜ୍ଞାଲୋକ’ର ଲେଖକ ହେଉଛନ୍ତି ଗବେଷକ ଗୋରେଖନାଥ ସାହୁ ଯହିଁରେ ଅମାନୁଷିକ ପଶୁବଳି ବିରୁଦ୍ଧରେ ଏବଂ ଯୋଗତତ୍ତ୍ୱ ସମ୍ପର୍କରେ ପ୍ର।।ମାଣିକ ତଥ୍ୟ ପରିବେଷଣ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସାଧାରଣ ସଭାରେ ପ୍ରଖ୍ୟାତ ସାରସ୍ୱତ ସାଧକ ପଣ୍ଡିତ ଡଃ ପ୍ରବୋଧ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋସଲି ଭାଷା ଅତ୍ୟନ୍ତ ପ୍ରାଚୀନ ଓ ସମୃଦ୍ଧ ବୋଲି ମତବ୍ୟକ୍ତ କରିବା ସହିତ ତାର ମହନୀୟତା ଉପରେ ଆଲୋକପାତ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ଓ ଯୋଗ ବିଭାଗମୁଖ୍ୟ ପ୍ରଫେସର ଡଃ ସୁବାସ ଚନ୍ଦ୍ର ଦାଶ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ତିନୋଟି ଭାଷାରେ ତିନୋଟି ପୁସ୍ତକ ଏକାସଙ୍ଗେ ଏକାଡ଼େମୀ ତରଫରୁ ପ୍ରକାଶିତ ହୋଇଥିବାରୁ ଆନନ୍ଦ ପ୍ରକାଶ କରିଥିଲେ ଏବଂ ଏକାଡ଼େମୀ ତରଫରୁ ତିରିଶଟି ପୁସ୍ତକ ପ୍ରକାଶ ପାଇଥିବା ହେତୁ ଏ ପ୍ରକାର ସାରସ୍ୱତ ଉଦ୍ୟମ ସକାଶେ ଏକାଡ଼େମୀର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଦେଇଥିଲେ । ଅଧିକ ଭାଷା ମାଧ୍ୟମରେ କିଭଳି ଅଧିକ ଜ୍ଞାନ ଲାଭ କରାଯାଇପାରିବ ସେ ତାହାର ଅନେକ ଉଦାହରଣ ଦେଇଥିଲେ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ କର କହିଲେ ଯେ, ପୁସ୍ତକ ହେଉଛି ମାନବ ସଭ୍ୟତାର ପ୍ରତିବିମ୍ବ । ଏକାଡ଼େମୀର ଏତାଦୃଶ ସାଧୁ ଉଦ୍ୟମ ସକାଶେ ଶ୍ରୀଯୁକ୍ତ କର ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନିତ ବକ୍ତାଭାବେ ଶିଳ୍ପୀ ସଞ୍ଜୟ ଭଟ୍ଟ କହିଲେ ଯେ, ଭାଷା ଡେଉଛି ଭାବର ବାହକ । ତେଣୁ ଭାଷା ସୁମଧୁର ଓ ତୃଟିଶୂନ୍ୟ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିବା ସହ କୋସଲି ଭାଷା ଓ ସଂସ୍କୃତିର ଉଚ୍ଚ ପ୍ରଶଂସା କରିଥିଲେ । ତିନୋଟିଯାକ ପୁସ୍ତକ ସମୀକ୍ଷା କରିଥିଲେ କବି, ଲେଖକ ଓ ପ୍ରଶାସକ ଆଜାଦହିନ୍ଦ ପାଣିଗ୍ରାହୀ । ଏହାକୁ ବରିଷ୍ଠ ସାମ୍ବାଦିକ ଓ ଲେଖକ ଗୋରେଖନାଥ ସାହୁ ସଂଯୋଜନା କରିଥିଲେ । ତାହାଙ୍କୁ ସହଯୋଗ କରିଥିଲେ ଲେଖିକା ପ୍ରାଧ୍ୟାପିକା ମୀନା ମହାରଣା । ଅତିଥି ପରିଚୟ ପ୍ରଦାନ କରିଥିଲେ ଗବେଷିକା ସୀମାରାଣୀ ରଥ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଡଃ ବର୍ଣ୍ଣାଳୀ ସାହୁ । ଏହି କାର୍ଯ୍ୟକ୍ରମରେ ଶତାଧିକ ବୁଦ୍ଧିଜୀବୀ, ଲେଖକ, ଲେଖିକା, ସାମ୍ବାଦିକ ତଥା ସାଧାରଣ ଜନତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ