କ୍ବାରେଣ୍ଟାଇନରେ ବ୍ୟାଡମିଣ୍ଟନ୍ କୋଚ୍ ଗୋପୀଚାନ୍ଦ
ହାଇଦ୍ରାବାଦ: ଭାରତର ପୂର୍ବତନ ଚାମ୍ପିଅନ୍ ବ୍ୟାଡମିଣ୍ଟନ୍ ଖେଳାଳି ତଥା ବର୍ତ୍ତମାନ ଦେଶର ଯୁବ ବ୍ୟାଡମିଣ୍ଟନ୍ ତାରକାଙ୍କୁ ପ୍ରସ୍ତୁତ କରୁଥିବା କୋଚ୍ ପୁଲେଲା ଗୋପୀଚାନ୍ଦ ସୋମବାରଠାରୁ କ୍ବାରେଣ୍ଟାଇନରେ ରହିଛନ୍ତି। ନିକଟରେ ସେ ତାଙ୍କ ଅସୁସ୍ଥ ମା’ଙ୍କୁ ଦେଖିବା ସକାଶେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାକୁ ଗସ୍ତ କରିଥିଲେ। ତେବେ ସେ ହାଇଦ୍ରାବାଦ ଫେରୁଥିବା ବେଳେ ଆନ୍ଧ୍ର ପ୍ରଦେଶ-ତେଲେଙ୍ଗାନା ସୀମାରେ ତେଲେଙ୍ଗାନା ସରକାରଙ୍କ ଅଧିକାରୀମାନେ ତାଙ୍କ ଦେହରେ ଷ୍ଟାମ୍ପ୍ ଲଗାଇଛନ୍ତି। ତା’ଛଡ଼ା ସେ ଆଗାମୀ ୧୪ ଦିନ ପାଇଁ ନିଜ ଘରେ ସମସ୍ତ ପ୍ରକାର ପରାମର୍ଶ ଅନୁପାଳନ ପୂର୍ବକ କ୍ବାରେଣ୍ଟାଇନରେ ରହିବେ ବୋଲି ନିଜେ ଗୋପୀଚାନ୍ଦ ସୂଚନା ଦେଇଛନ୍ତି। ତାଙ୍କ ଦେହରେ କୋଭିଡ୍-୧୯ ସଂକ୍ରମିତ ଜନିତ କୌଣସି ପ୍ରକାର ଲକ୍ଷଣ ଦେଖାଯାଇନାହିଁ ଓ ଏହା କେବଳ ସରକାରୀ ନିର୍ଦେଶ ଅନୁପାଳନର ଅଂଶବିଶେଷ ବୋଲି ମଧ୍ୟ ଗୋପୀଚାନ୍ଦ ସ୍ପଷ୍ଟ କରିଛନ୍ତି।