କ୍ରିକେଟ ଖେଳରେ ବଲ ବାଜିବାକୁ କେନ୍ଦ୍ର କରି ଖେଳାଳି ଓ କାର ଚାଳକ ହାତାହାତି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳିକାଟୁ ପୈାରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ କ୍ରିକେଟ ବଲ କାରରେ ବାଜିବାକୁ କେନ୍ଦ୍ରକରି ଵୁଧବାର ସଂନ୍ଧ୍ୟାରେ କାର ଚାଳକ ଓ କ୍ରିକେଟ ଖେଳାଳିଙ୍କ ମଧ୍ୟରେ ପ୍ରଥମେ ଉଚ୍ଚବାଚ ପରେ ହାତାହାତି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ହିଞ୍ଜିଳିକାଟୁ ବସଷ୍ଟାଣ୍ଡକୁ ବସ ଟର୍ମିନାଲରେ ପରିଣତ କରିବା ପାଇଁ ୨୦ବର୍ଷ ତଳର ବସଷ୍ଟାଣ୍ଡକୁ ୨୦୧୭ମସିହା ଜୁନ ୨୩ ତାରିଖରେ ଭାଙ୍ଗି ହିଞ୍ଜିଳିକାଟ ମିନି ଷ୍ଟାଡ଼ିୟମକୁ ଅସ୍ଥାୟୀ ବସଷ୍ଟାଣ୍ଡ ଭାବେ ବ୍ୟବହାର କରାଯାଇଥିଲା । ପ୍ରଥମେ ପୂର୍ତ୍ତ ବିଭାଗ ପକ୍ଷରୁ ମିନି ଷ୍ଟାଡିୟମ ପରିସରକୁ ଅସ୍ଥାୟୀ ଭାବେ ୨ଟି ଯାତ୍ରୀ ବିଶ୍ରାମାଗାର ସ୍ଥାପନନ କରିବା ପରେ ଶୌଚାଳୟ, ଆଲୋକ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା।ଫଳରେ ଯାତ୍ରୀବାହୀ ଅଟୋ ଷ୍ଟାଣ୍ଡ ଓ ଟେକ୍ସି କାର ଷ୍ଟାଣ୍ଡ ମଧ୍ୟ ମିନିଷ୍ଟାଡିୟମ ପରିସରରେ କାର୍ଯ୍ୟକ୍ଷମ ହୋଇଥିଲା । ଗତ ୧୧ ଫେବ୍ରୁଆରୀ ୨୦୨୧ ଗୁରୁବାର ସଂଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮ ଗୋଟି ପ୍ରକଳ୍ପ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ। ଏହି ଅବସରରେ ହିଞ୍ଜିଳିକାଟୁ ଆଧୁନିକ ବସ ଟର୍ମିନାଲ ଉଦଘାଟନ କରିବା ପରେ ମିନିଷ୍ଟାଡିୟମ ପରିସରରୁ ଅସ୍ଥାୟୀ ବସଷ୍ଟାଣ୍ଡ ହଟାଯାଇ ଵସ ଟର୍ମିନାଲ ବସ ଓ ଅଟୋ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇଥିବା ବେଳେ ସ୍ଥାନ ଅଭାବରୁ ହେଉ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ କାରଷ୍ଟାଣ୍ଡ ମିନିଷ୍ଟାଡିୟମ ପରିସରର ରହିଥିଲା। ଷ୍ଟାଡିୟମରେ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହେଲେ ଓ ପ୍ରତିଦିନ ସନ୍ଧ୍ୟାରେ କ୍ରିକେଟ ଖେଳ ସମୟରେ ବଲ କାର ଗାଡି ପାଖକୁ ଆସିଲେ କଥା କଟାକଟି ହୋଇ ପାଟିତୁଣ୍ଡ ହେଉଥିବା ବହୁବାର ଦେଖିବାକୁ ମିଳିଛି । କିନ୍ତୁ ବୁଧବାର ସଂଧ୍ୟାରେ କ୍ରିକେଟ ବଲ କାର ଆଗକୁ ଆସିବା ପରେ କାହ୍ନା ପଣ୍ଡା ନାମକ ଯୁବକ ବଲ ନେବାକୁ ଆସିବା ବେଳେ ଉପସ୍ଥିତ କାର ଚାଳକ ମାନେ ସଂଘବଦ୍ଧ ହୋଇ ଖେଳାଳି କାହ୍ନାଙ୍କୁ ଗାଳିଗୁଲଜ ସହ ଚାପୁଡ଼ାମାରି ଲହୁଲୁହାଣ କରିଥିଲେ । ଅନ୍ୟ ଖେଳାଳି ମାନେ ଏହା ଦେଖି କାହ୍ନାକୁ ଉଦ୍ଧାର କରିଥିଲେ । ଖେଳାଳି ମାନେ କାହିଁକି ମାରିଲ ବୋଲି ପ୍ରତିବାଦ କରିବାରୁ ଚାଳକ ମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଲୁହାରଡ ଦେଖାଇଥିଲେ । ଫଳରେ ଯୁବବର୍ଗ ଖେଳାଳି ପ୍ରତିଵାଦରେ ଵ୍ୟାଟ ଓ ଷ୍ଟମ୍ପ ଆଣି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ଗଣ୍ଡଗୋଳ ହୋଇଥିଲା। ଖଵର ପାଇ ହିଞିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀ କୁ ଵୁଝାସୁଝା କରିଥିଲା ଓ ଊଭୟ ଗୋଷ୍ଠୀ ପକ୍ଷରୁ ହିଞ୍ଜିଳି ଥାନାରେ ଅଭିଯୋଗ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପୁଣିଥରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବାଆଶଙ୍କାରେ ଗୁରୁବାର ଦିନ କାର ଚାଳକ ନିଜ ଗାଡି ଗୁଡିକ ହିଞ୍ଜିଳିକାଟୁ ଆଧୁନିକ ଵସ ଟର୍ମିନାଲ ପରିସରରେ ରଖିଥିଲେ । ଅନ୍ୟପକ୍ଷରେ ଆଧୁନିକ ଵସ ଟର୍ମିନାଲରେ ସ୍ଥାନ ଅଭାବରୁ ବସ ଚଳାଚଳ ରେ ଵାଧା ସୃଷ୍ଟି ହୋଇଥିବା ଵସ ମାଲିକ ସଂଘ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ କାର ଗୁଡିକ ଵସ ଟର୍ମିନାଲ ମଧ୍ୟରେ ରହିବା ପରେ ବସଷ୍ଟାଣ୍ଡ ଜମି ଲିଜ୍ ପାର୍କିଂ ନିମନ୍ତେ ନେଇଥିଵା ଠିକାଦାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିପ୍ରତି ପ୍ରଶାସନିକ ଅଧିକାରୀ ତୁରନ୍ତ ଆଲୋଚନା କରି ସ୍ଥାୟୀ ସମାଧାନ ନକଲେ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ଘଟିପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।