କ୍ରିୟାନୁଷ୍ଠାନ ସମିତିର ତୃତୀୟ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :-କୃଷି ବୈଜ୍ଞାନିକ ଓ କୃଷି ବିଭାଗର ବହୁ ଅଧିକାରୀଙ୍କୁ ନେଇ ରବିିବାର ଦିନ ପୂର୍ବାହ୍ନରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଗୃହରେ ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆବାହକ ଡ. କେଶବ ଚରଣ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ବାଲେଶ୍ୱରରେ ଏକ କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଏକ ସ୍ଥାୟୀ କମିଟି ଗଠନ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗତ ବୈଠକର ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ଓ ବାଲେଶ୍ୱର ଜିଲ୍ଲାର କୃଷି ଓ କୃଷକ ମାନଙ୍କ ସ୍ୱାର୍ଥପାଇଁ ଏପରି ଏକ ଉଚ୍ଚ ଶିକ୍ଷାନୁଷ୍ଠାନ ବାଲେଶ୍ୱରରେ ପ୍ରତିଷ୍ଠାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ବାଲେଶ୍ୱରର ସମସ୍ତ ବିଧାୟକ ଓ ଓଡ଼ିଶା ସରକାରଙ୍କ କୃଷି ସମ୍ପର୍କୀୟ ସମସ୍ତ ଉଚ୍ଚ ଅଧିକାରୀମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ବୋଲି ଡ. ପଣ୍ଡା ବୈଠକରେ ଜଣାଇଥିଲେ । ଏହି ଦାବିକୁ ବ୍ୟାପକ କରିବାପାଇଁ ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକ୍‌ସ୍ତରରେ କୃଷକ, କୃଷିଶ୍ରମିକ ଓ ବୁଦ୍ଧିଜୀବୀମାନଙ୍କୁ ନେଇ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି । ବାଲେଶ୍ୱରର ସାଂସଦ ଓ ଜିଲ୍ଲା ପରିଷଦ ସଭାପତିଙ୍କୁ ଉପରୋକ୍ତ ଦାବି ସଂପର୍କରେ ଅବଗତ କରାଇବା ପାଇଁ ଆଇନଜୀବୀ ନିରଞ୍ଜନ ପରିଡ଼ାଙ୍କୁ ବୈଠକରେ ଦାୟିତ୍ୱ ଦିଆଯାଇଛି । ଉକ୍ତ ଦାବିକୁ ସମର୍ଥନ ଜଣାଇ ବିଭିନ୍ନ ବ୍ଲକ୍ ସ୍ତରରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟକାର୍ଡ଼ରେ କୃଷକମାନେ ଚିଠି ଲେଖିଛନ୍ତି । ଏହାକୁ ବ୍ୟାପକ କରିବାପାଇଁ ଓ ସ୍ଥାନୀୟ ବି.ଡି.ଓ.ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବାଲେଶ୍ୱରବାସୀଙ୍କ ସହଯୋଗରେ ଏହି ଦାବିପୂରଣ ପାଇଁ ଆବଶ୍ୟକ ହେଲେ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନ ନିମିତ୍ତ ପ୍ରସ୍ତାବ ଉପରେ ପରବର୍ତ୍ତୀ ବୈଠକରେ ସ୍ଥିର କରାଯିବ । ଆସନ୍ତା ଜୁନ୍ ମାସ ୨୬ ତାରିଖ ଦିନ ଉକ୍ତ କମିଟିର ପରିବର୍ଦ୍ଧିତ ୪ର୍ଥ ବୈଠକ ଅନୁଷ୍ଠିତ ହେବବୋଲି ବୈଠକରେ ଘୋଷଣା କରାଯାଇଛି । ଉପରୋକ୍ତ ବୈଠକରେ ହରନାରାୟଣ ମଢ଼ୁଆଳ, ଇଂ. ବନମାଳୀ ନାୟକ, ଅଭୟ ଚନ୍ଦ୍ର ମିଶ୍ର, ପ୍ରବୋଧ କୁମାର ପାତ୍ର, ଭାସ୍କର ଚନ୍ଦ୍ର ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଚୌଧୁରୀ ସ୍ୱପନ ମହାପାତ୍ର, ନିରଞ୍ଜନ ପରିଡ଼ା, ସୀତାରାମ ପ୍ରଧାନ, ଶଚୀନ୍ଦ୍ର ଦାସ, ସୁଦର୍ଶନ ଦାସ, ଅନନ୍ତ ପଟ୍ଟନାୟକ, ପ୍ରୀତିରେଖା ମହାଳିକ, ସୁଧୀର କୁମାର ପ୍ରଧାନ, ଭବେଶ ନାରାୟଣ ଦାସ, ଅନାଦି ଚରଣ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅଜୟ କର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ