କ୍ଷତିପୂରଣ ଦାବିରେ ସିପିଆଇର ଗଣ ବିକ୍ଷୋଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଡିସେମ୍ବରର ବାତ୍ୟା ‘ଜୱାଦ’ ଚାଷୀର ଆହାର ମୁହଁରେ ପାହାର ବସାଇ ତାହାର ଜୀବନ ଜୀବିକାକୁ ଦୁର୍ବିସହ କରିଦେଇଥିବା ବେଳେ ଏହି ସମୟରେ ସରକାରୀ ପଦାଧିକାରୀମାନଙ୍କ ଚାଷୀଙ୍କ ପ୍ରତି ଆଚରଣ ସେମାନଙ୍କ ଦୁଃଖ ଦୁର୍ଦଶାକୁ ଆହୁରି ବଢାଇ ଦେଇଥିବାର ଅଭିଯୋଗ କରି ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଆନ୍ଦୋଳନ ସଂଗଠିତ ହୋଇଯାଇଛି । ବାତ୍ୟା ଜନିତ ଫସଲ କ୍ଷୟକ୍ଷତିର ଆକଳନ କରିବାକୁ ଯାଉଥିବା ସରକାରୀ କର୍ମଚାରୀ ଚାଷୀମାନେ କ୍ଷତିପୂରଣ ନପାଇବା ଅନୁରୂପ ରିପୋର୍ଟ ସରକାରଙ୍କୁ ଦେଇଥିବା କାରଣରୁ ବହୁ ସଂଖ୍ୟକ ଚାଷୀ କ୍ଷତିପୁରଣ ପାଇବାରୁ ବଞ୍ଚିତ ହେବେ ବୋଲି ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇ ଏହାର ନିରାକରଣ ନିମନ୍ତେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି । ଏଥିସହିତ କ୍ଷତିଗ୍ରସ୍ତ ଧାନ ଫସଲର ଏକର ପ୍ରତି ୨୦ହଜାର ଟଙ୍କା ଏବଂ ପନିପରିବା ପାଇଁ ଏକର ପ୍ରତି ୩୦ହଜାର ଟଙ୍କା କ୍ଷତିପୁରଣ ପ୍ରଦାନ, ବୀମା କମ୍ପାନୀମାନଙ୍କ ଠାରୁ କୃଷକମାନଙ୍କୁ ବୀମାଭୁକ୍ତ ଫସଲର କ୍ଷତିଜନିତ ବୀମାରାଶି ପ୍ରଦାନ କାର୍ଯ୍ୟକୁ ସରକାରୀ ତତ୍ୱାବଧାନରେ ନିଶ୍ଚିତ କରିବା, ଚଳିତ ସିଜିନ ପାଇଁ କରାଯାଇଥିବା ସମସ୍ତ ପ୍ରକାର କୃଷିଋଣ ସୁଧ ସହ ଛାଡ କରିବା, ଚାଷୀ ଉତ୍ପାଦିତ ଫସଲର ସହାୟକ ମୂଲ୍ୟ ବଦଳରେ ଲାଭଜନକ ମୂଲ୍ୟ ଧାର୍ଯ୍ୟ କରିବା, ଆଗାମୀ ରବି ଫସଲ ପାଇଁ ସାର, ବିହନ, କୀଟନାଶକ ଚାଷୀଙ୍କୁ ବିନା ମୂଲ୍ୟରେ ଯୋଗାଇ ଦେବା, ମଣ୍ଡିରେ ଧାନ ସଂଗ୍ରହ କଲାବେଳେ ଧାନର ଗୁଣବତ୍ତା ନିର୍ଦ୍ଧାରଣ ପ୍ରତି କୋହଳ ନୀତି ଗ୍ରହଣ କରିବା, ପେଟ୍ରୋଲ, ଡିଜେଲ ସମେତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ନିୟନ୍ତ୍ରଣ କରିବା, ୨୦୨୨ସୁଦ୍ଧା ଜିଲ୍ଲା ଦେଇ ଯାତ୍ରୀବାହୀ ରେଳ ଚଳାଚଳକୁ ନିଶ୍ଚିତ କରିବା, ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ପ୍ରଦାନ କରିବା, ଚାଷୀଙ୍କୁ ଦଖଲ ଜମିର ପଟ୍ଟା ପ୍ରଦାନ, ଜିଲ୍ଲାରେ ଏକ ମେଡିକାଲ କଲେଜ ଓ ପ୍ରତି ବ୍ଲକରେ ଗୋଟିଏ କରି ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ଆଦି ୧୩ଦଫା ଦାବି ସମ୍ବଳିତ ଦାବିପତ୍ର ଦେଶର ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ପ୍ରଦାନ କରାଯାଇଥିଲା । ପୂର୍ବାହ୍ନରେ ସହରର ତିନିମୁହାଣି ବଜାର ଠାରୁ ପାର୍ଟିର କର୍ମୀମାନେ ଏକ ଶୋଭଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ପୂର୍ବତନ ଜିଲ୍ଲା ସମ୍ପାଦକ ବାବାଜୀ ଧଳଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ଯୋଗଦେଇ ଜିଲ୍ଲା ପ୍ରଶାସନକୁ ଚାଷୀର ଦୁର୍ଦ୍ଦିନ ସମୟରେ ସହାନୁଭୂତିଶୀଳତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟଥା ପାର୍ଟି ବୃହତ୍ତର ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ସତର୍କ କରାଇ ଦେଇଥିଲେ । ଏହି ସଭାରେ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସହ ସମ୍ପାଦକ ଆଦିକନ୍ଦ ରାଉଳ, ବିକାଶ ଚନ୍ଦ୍ର ବେଉରା, ସୁହାନା ବେଗମ, ତ୍ରିଲୋଚନ ସ୍ୱାଇଁ, ପଦ୍ମନାଭ ଦାସ, ନିରଞ୍ଜନ ଦାସ, ହରେକୃଷ୍ଣ ମାଝି, ଶଶି ଭୂଷଣ କୁଣ୍ଡ, ପ୍ରଶନ୍ନ କୁମାର ଦାଶ, ସଂଯୁକ୍ତା ରାଉତ, ରତ୍ନାକର ଦାସ, ଭାରତୀ ବାରିକ ପ୍ରମୁଖ ନେତୃତ୍ୱ ଶାସନ କଳର ବିଫଳତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ