ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଅଧ୍ୟାପକ ମରୁଡି

ଆସିକା  (ୱାଇଏନ୍‍ଏସ୍‍) : ଉଚ୍ଚଶିକ୍ଷାର ବିକାଶ ଲାଗି ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ଗ୍ରାମରେ ୧୯୭୮ ମସିହାରେ ସ୍ଥାପିତ ହୋଇଥିବା ନିମିନା ବୃନ୍ଦାବନ ଚନ୍ଦ୍ର କଲେଜରେ ବର୍ଷବର୍ଷ ଧରି ବହୁ ଅଧ୍ୟାପକ ପଦବୀ ଖାଲି ପଡିଥିଲେ ମଧ୍ୟ ସେହି ଗୁଡିକୁ ପୂରଣ କରିବା ଦିଗରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୌଣସି ସୁଚିନ୍ତିତ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଅଞ୍ଚଳର ଅନ୍ୟତମ ସୁନାମଧନ୍ୟ ମହାବିଦ୍ୟାଳୟ ରୂପେ ପରିଚିତ ଥିବା ନିମିନା ବୃନ୍ଦାବନ ଚନ୍ଦ୍ର କଲେଜରେ ଦୀର୍ଘ ଦିନ ହେଲା ଖାଲିପଡିଥିବା ଇଂରାଜୀ ଅଧ୍ୟାପକ, ଇତିହାସ ଅଧ୍ୟାପକ, ଅର୍ଥଶାସ୍ତ୍ର ଅଧ୍ୟାପକ, ଦର୍ଶନଶାସ୍ତ୍ର ଅଧ୍ୟାପକ ପଦବୀ ସାଙ୍ଗକୁ ଆବଶ୍ୟକୀୟ ସଂଖ୍ୟକ କିରାଣୀ, ଗ୍ରନ୍ଥାଗାରିକ, ରାତ୍ର ଜଗୁଆଳ, ଝାଡୁଦାର ଓ ପିଅନ ପଦବୀ ପୂରଣରେ ବିଳମ୍ବ ଯୋଗୁଁ ଏହି ପୁରାତନ କଲେଜରେ ନାମ ଲେଖାଇବାକୁ ସଂପ୍ରତି ବିଦ୍ୟାର୍ଥୀ ମାନେ ଆଗ୍ରହ ପ୍ରକାଶ କରୁନଥିବା ଆଲୋଚିତ ହେଉଛି । ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର କଲେଜରେ ଅବସ୍ଥାପିତ ଅଧ୍ୟକ୍ଷଙ୍କ ମାର୍ଗଦର୍ଶନ ସାଙ୍ଗକୁ ଅଧ୍ୟାପନା ଦାୟିତ୍ୱରେ ଥିବା ଅଧ୍ୟାପକ, ଅଧ୍ୟାପିକାମାନଙ୍କ ଉଚ୍ଚକୋଟୀର ଶିକ୍ଷାଦାନ ଶୈଳୀ ଯୋଗୁଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ମାନେ ଆସି ଅଧ୍ୟୟନ କରି ଶିକ୍ଷା, ସଂସ୍କୃତି, କ୍ରୀଡା, କଳା ଓ ରାଜନୀତି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଚାଲିଥିବା ନଜିର ରହିଛି । କିନ୍ତୁ ଦୁର୍ଭାଗ୍ୟ ଓ ପରିତାପର ବିଷୟ ବର୍ତ୍ତମାନ ଏହି ୪୭ବର୍ଷର ପୁରାତନ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ଆନ୍ତରିକତାର ଅଭାବ ଯୋଗୁଁ ବହୁ ଅଧ୍ୟାପକ ଓ ଅଣଶୈକ୍ଷିକ ପଦବୀ ଖାଲିପଡିଛି । ଯୁକ୍ତଦୁଇ ଓ ତିନି କଳା ପାଠ୍ୟକ୍ରମରେ ବହୁ ଅଧ୍ୟାପକ ପଦବୀ ସାଙ୍ଗକୁ ବହୁ ଅଣ ଶିକ୍ଷକ ପଦବୀ ଖାଲିପଡିଥିଲା ବେଳେ ଛାତ୍ରଛାତ୍ରୀ ମାନେ ଜ୍ଞାନ ଆହରଣ କରିବା ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ବହୁ ଅଭିଭାବକ ସେମାନଙ୍କ ସନ୍ତାନ ସନ୍ତତିଙ୍କ ଭବିଷ୍ୟତ ପାଠପଢା ନେଇ ଚିନ୍ତାରେ ପଡି ଯାଇଥିବା ଲକ୍ଷ୍ୟ କରାଯାଇଛି । ଚଳିତ ୨୦୨୫-୨୬ ଶିକ୍ଷାବର୍ଷରେ ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଯୁକ୍ତଦୁଇ ଏବଂ ଯୁକ୍ତତିନି କଳା ଓ ବିଜ୍ଞାନ ପାଠ୍ୟକ୍ରମରେ ପ୍ରାୟ ୧୨ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢୁଥିବା ଜଣାପଡିଛି । ନିମିନା ବୃନ୍ଦାବନ ଚନ୍ଦ୍ର କଲେଜରେ କାର୍ଯ୍ୟରତ ଥିବା କେତେକ ଅଧ୍ୟାପକ ମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅତୀତରେ ବିଭିନ୍ନ ସମୟରେ ଅନ୍ୟ କଲେଜକୁ ବଦଳି କରାଯାଉଥିଲେ ମଧ୍ୟ ତାଙ୍କରି ସ୍ଥାନରେ ନୂତନ ଅଧ୍ୟାପକଙ୍କୁ ପ୍ରାୟତଃ ନିଯୁକ୍ତି ଦିଆଯାଉନଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ନାନା ସମସ୍ୟା ସୃଷ୍ଟି ହେଉଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ନିମିନା ବୃନ୍ଦାବନ ଚନ୍ଦ୍ର କଲେଜରେ ଖାଲି ପଡିଥିବା ଅଧ୍ୟାପକ ଓ ଅଣଶୈକ୍ଷିକ ପଦବୀ ଗୁଡିକ ପୂରଣ କରି ଶିକ୍ଷା କ୍ଷେତ୍ରରେ ମହାବିଦ୍ୟାଳୟର ଅତୀତ ଗୌରବକୁ ଉଜ୍ଜିବୀତ କରି ରଖିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ