କ୍ଷମତାପ୍ରାପ୍ତ ଜିଲ୍ଲାପାଳଙ୍କ ଠାରୁ ଜୋରିମାନା ଆଦାୟ କଲେ ତହସିଲଦାର
ବନ୍ତ, (ଚାନ୍ଦିନୀ ମହାନ୍ତି) : ରାଜ୍ୟ ସରକାର କରୋନା ମୁକାବିଲା ପରିପେକ୍ଷୀରେ ସମସ୍ତ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି । ଫଳରେ ସରପଞ୍ଚ ମାନେ ନିଜ ଜୀବନକୁ ବିପନ୍ନ କରି କରୋନା ଯୋଦ୍ଧା ଭାବେ ଲୋକ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଏପରିପେକ୍ଷୀରେ ଜଣେ କ୍ଷମତାପ୍ରାପ୍ତ ଜିଲ୍ଲାପାଳ ତଥା ସରପଞ୍ଚଙ୍କ ଠାରୁ ତହସିଲଦାର ଜୋରିମାନା ଆଦାୟ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଯେ, ଶନିବାର ବନ୍ତ ବ୍ଳକ ରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ବିଜୟ କୁମାର ବିଶ୍ୱାଳ ନିମାପଡାସ୍ଥିତ କ୍ୱାରାଣ୍ଟାଇନ୍ ସେଣ୍ଟରରୁ କୌଣସି ଜରୁରୀ ଫୋନ୍ ପାଇ ଘଟଣା ସ୍ଥଳରେ ପହଞ୍ôଚ ଥିଲେ । ତରବରିଆ ଭାବେ ଘରୁ ଆସିବା ବେଳେ ସେ ମାସ୍କ ପିନ୍ଧିବାକୁ ଭୁଲି ଯାଇଥିଲେ । ଏହି ସମୟ ମଧ୍ୟରେ ସରପଞ୍ଚ କ୍ୱାରାଣ୍ଟାଇନ୍ ସେଣ୍ଟର ସମ୍ମୁଖ ରାସ୍ତାରେ ଛିଡା ହୋଇଥିବା ବେଳେ ସେହି ବାଟ ଦେଇ ତହସିଲଦାର ଯାଉଥିଲେ । ସରପଞ୍ଚ ମାସ୍କ ପିନ୍ଧି ନଥିବା କାରଣରୁ ତାଙ୍କ ଠାରୁ ୫ ଶହ ଟଙ୍କା ଜୋରିମାନା ଆଦାୟ କରିଥିଲେ । ଜରୁରୀ ଫୋନ୍ ପାଇ କ୍ୱାରାଣ୍ଟାଇନ୍ ସେଣ୍ଟରକୁ ଆସିବା ବେଳେ ମାସ୍କ ପିନ୍ଧିବାକୁ ଭୁଲି ଯାଇଥିବା କଥା ସରପଞ୍ଚ କହିଥିଲେ ମଧ୍ୟ ତହସିଲଦାର କୌଣସି କଥା ଶୁଣି ନଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ନାନାଦି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଗତ ୧୯ ତାରିଖରେ ଖୋଦ୍ ତହସିଲଦାର କଫ୍ୟୁ ନିୟମକୁ ଉଲଂଘନ କରି ଲୁଗା କିଣିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଅଦ୍ୟାବଧି ସେନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏପରିସ୍ଥଳେ ଜଣେ କରୋନା ଯୋଦ୍ଧା ତଥା କ୍ଷମତାପ୍ରାପ୍ତ ଜିଲ୍ଲାପାଳ ଜରୁରୀ କାର୍ଯ୍ୟରେ ଆସିବା ବେଳେ ମାସ୍କ ପିନ୍ଧିବାକୁ ଭୁଲି ଯିବା ନେଇ ତାଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ଘଟଣାକୁ ସାଧାରଣ ଲୋକେ ସହଜରେ ହଜମ କରିପାରୁନାହାନ୍ତି ।