କ୍ୟାବିନେଟର ବଡ ନିଷ୍ପତି ; ଅନ୍ନ ଦାତା ହେବେ ଉର୍ଜା ଦାତା – ଧର୍ମେନ୍ଦ୍ର ପ୍ରଧାନ

ଆଖୁର ବିଭିନ୍ନ ଉତ୍ପାଦରୁ ଇଥାନୋଲ ତିଆରି ଉପରେ ବଡ ଆର୍ଥିକ ମୂଲ୍ୟ ଘୋଷଣା• ନୂଆଦିଲ୍ଲୀ, ୦୩ ସେପ୍ଟେମ୍ବର – ଦେଶର ଅନ୍ନଦାତା ମାନେ ଉର୍ଜା ଦାତା ହେବେ । ଏହି ନୀତି ନେଇ ମୋଦି ସରକାର କାମ କରୁଛନ୍ତି । ତେଣୁ ଦେଶର ଅନ୍ନଦାତା ମାନଙ୍କୁ ଉର୍ଜାଦାତା କରିବା ସହ ସେମାନଙ୍କର ଆୟକୁ ବଢାଇବା ପାଇଁ ବିଭିନ୍ନ କୃଷି ଉତ୍ପାଦରୁ ପ୍ରସ୍ତୁତ ଇଥାନୋଲର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ଆର୍ଥିକ ମାମଲାର ସମିତି ବଡ ନିଷ୍ପତି ଗ୍ରହଣ କରିଥିବା କେନ୍ଦ୍ର ପେଟ୍ରୋଲିମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଠକ ପରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କର ଏହି ନିଷ୍ପତି ଦ୍ୱାରା ଆଖୁ ଚାଷୀ ମାନଙ୍କୁ ଲାଭ ହେବା ସହ ପରିବେଶ ପ୍ରତି ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ମଧ୍ୟ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ଆର୍ଥିକ ମାମଲାର ସମିତି ଡିସେମ୍ବର୧, ୨୦୧୯ରୁ ୩୦ ନଭେମ୍ବର ୨୦୨୦ ଯାଏ ଇଥାନୋଲ ଯୋଗାଣ ବର୍ଷ ରେ ଇଥାନୋଲ ବ୍ଲେଣ୍ଡେଡ ପେଟ୍ରୋଲ (ଇପିବି) କାର୍ୟ୍ୟକ୍ରମରେ ବିଭିନ୍ନ କୃଷି ଉତ୍ପାଦରୁ ନିର୍ମିତ ଇଥାନୋଲର ମୂଲ୍ୟ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆ ଯାଇଛି । ସେ କହିଛନ୍ତି ଯେ ସି ହେଭି ମୋଲେସରୁ ପ୍ରାପ୍ତ ଇଥାନୋଲର ମୂଲ୍ୟକୁ ୪୩.୪୬ ଟଙ୍କା ପ୍ରତି ଲିଟରରୁ ବଢାଇ ୪୩.୭୫ ଟଙ୍କା ପ୍ରତି ଲିଟର କରା ଯାଇଛି । ସେହିପରି ବି ହେଭି ମୋଲେସରୁ ପ୍ରାପ୍ତ ଇଥାନୋଲର ମୂଲ୍ୟକୁ ୫୨.୪୩ ଟଙ୍କା ପ୍ରତି ଲିଟରରୁ ବଢାଇ ୫୪.୪୩ ଟଙ୍କା ପ୍ରତି ଲିଟର କରା ଯାଇଛି । ସେହିପରି ଆଖୁ ରସ, ଚିନି, ଚିନି ସିରପରୁ ପ୍ରାପ୍ତ ଇଥାନୋଲର ମୂଲ୍ୟକୁ ୫୯.୫୮ ଟଙ୍କା ପ୍ରତି ଲିଟର କରା ଯିବାକୁ ନିଷ୍ପତି ଗ୍ରହଣ କରା ଯାଇଛି । ଏହା ବ୍ୟତୀତ ଜିଏସଟି ଓ ପରିବହନ ଶୁଳ୍କ ମଧ୍ୟ ଦେବାକୁ ହେବ । ତେଳ କମ୍ପାନୀ ମାନଙ୍କୁ ବାସ୍ତବିକ ପରିବହନ ଶୁଳ୍କ ନିର୍ଧାରିତ କରିବା ପାଇଁ ମଧ୍ୟ ପରାମର୍ଶ ଦିଆ ଯାଇଛି, ଯାହା ଫଳରେ ଇଥାନୋଲକୁ ଲମ୍ବା ରାସ୍ତା ଦେଇ ପରିବହନ ପାଇଁ କେହି ହତୋତ୍ସାହିତ ହେବେ ନାହିଁ । ସେ କହିଛନ୍ତି ଯେ ସମସ୍ତ ଆଖୁ ଆଧାରିତ ଉପାୟରୁ ୁପ୍ରାପ୍ତ ଇଥାନୋଲ ଖରିଦ ପାଇଁ ଅଧିକ ମୂଲ୍ୟ ପ୍ରଦାନ କରିବା ନିଷ୍ପତି ଦ୍ୱାରା ଇଥାନୋଲର ଉପଲବ୍ଧତାରେ ବୃଦ୍ଧି ହେବ ବୋଲି ଆଶା କରା ଯାଉଛି । ଏହା ଦ୍ୱାରା ପେଟ୍ରୋଲର ଆମଦାନୀରେ ନିର୍ଭରତା କମିବା, କୃଷି କ୍ଷେତ୍ର ଓ କୃଷକ ମାନଙ୍କୁ ସହାୟତା, ପରିବେଶ ଅନୁକୂଳ ଇନ୍ଧନ ତଥା ପ୍ରଦୂଷଣକୁ କମ କରିବାରେ ସହାୟତା ମିଳିବ ବୋଲି ସେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ