ଖଇରାବସ୍ତ ବିଦ୍ୟାଳୟ ନିକଟରେ ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଖଇରାବସ୍ତ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏବେ ଏହା ଛାତ୍ରଛାତ୍ରୀଙ୍କ ସମେତ ଗାଈ ଗୋରୁ ଓ ଛେଳି ଆଦିଙ୍କ ପାଇଁ ବିପଦ ସାଜିଛି । ଉକ୍ତ ଟ୍ରାନ୍ସଫର୍ମରର ଚତୁପାଶ୍ୱର୍ରେ ପାଚେରୀ ଅଥବା ତାର ବାଡ ବୁଲାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସୂଚନା ଅନୁସାରେ ଖଇରାବସ୍ତ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଖେଳ ପଡିଆ ରହିଛି । ଏହି ପଡିଆରେ ବିଦ୍ୟୁତ ବିଭାଗ ପକ୍ଷରୁ ଖଇରାବସ୍ତ ଗାଁକୁ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ବସାଯାଇଛି । କିନ୍ତୁ ଏହି ବିଦ୍ୟୁତ ଟ୍ରାନ୍ସଫର୍ମରଟି ଖୋଲାମେଲାରେ ରହିଛି । ଏହି ଟ୍ରାନ୍ସଫର୍ମରଟି ଲୁହା ବିଦ୍ୟୁତ ଖୁଂଟରେ ରଖା ହୋଇଥିବା ବେଳେ ଉକ୍ତ ଖୁଂଟ କଳଙ୍କି ଲାଗି ଗଲାଣି । ଏପରିକି ବାଉଁଶ ବତାରେ ବିଦ୍ୟୁତ ତାର ବନ୍ଧା ହୋଇଥିବା ଦେଖିବାକୁ ମିଳିଛୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବାଉଁଶ ବତାରେ ବନ୍ଧା ହୋଇଥିବା ବିଦ୍ୟୁତ ତାର ତଳୁ ପାଖାପାଖି ୩-୪ ଫୁଟ ଉଚ୍ଚତାରେ ରହିଛି । ନିୟମାନୁଯାୟୀ ଟ୍ରାନ୍ସଫର୍ମର ଗୁଡିକ ଜନବସତି ଠାରୁ ଦୁରରେ ବସା ଯିବା ସହିତ ଏହାର ଚତୁଃପାଶ୍ୱର୍ରେ ଆବଦ୍ଧ କରାଯିବାର ବ୍ୟବସ୍ଥା ରହିଛି । ଯାହାଫଳରେ କୌଣସି ଜୀବଜନ୍ତୁ ଏହା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । କିନ୍ତୁ ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଏହି ବିଦ୍ୟୁତ ଟ୍ରାନ୍ସଫର୍ମରଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଯାହା ମଧ୍ୟକୁ ଅନାୟସରେ ଗୃହପାଳିତ ପଶୁ,ବୁଲା କୁକୁର ଆଦି ଅବାଧରେ ପ୍ରବେଶ କରୁଛନ୍ତି । ଯଦି ଅସାବଧାନତା ବଶତଃ କୌଣସି ପିଲା କିମ୍ବା ଗୃହପାଳିତ ପଶୁ ଉକ୍ତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିବେ ତେବେ ତାଙ୍କ ଜିବନ ପ୍ରତି ବିପଦ ରହିଥିବା ଜଣାଯାଇଛି । ଉକ୍ତ ଟ୍ରାନ୍ସଫର୍ମର ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ କରିବା ସହିତ ରକ୍ଷାଣବେକ୍ଷଣ କରିବା ପାଇଁ ସ୍ଥାନୀୟ ଅଂଚଳର ସମାଜସେବୀ ଅଭିକିତ ରାୟ, ସୁବ୍ରତ ରାୟ, ସୋବନ ରାୟ, ଉଲ୍ଲାସ ଚନ୍ଦ୍ର ରାୟ, ଧରଣୀଧର ରାୟ ଆଦି ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏସଂପର୍କରେ ଟାଟା ପାୱାରର ଜୁନିଅର ମ୍ୟାନେଜର ତାପସ ବେହେରାଙ୍କୁ ପଚାରିବାରେ ଏବିଷୟରେ ଅବଗତ ନଥିଲି,ଟ୍ରାନ୍ସଫର୍ମରଟିକୁ ଅନୁଧ୍ୟାନ କଲା ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ