ଖଟ୍ଟରଙ୍କ ଶପଥ ଆଜି, ଦୁଶ୍ୟନ୍ତ ହେବେ ଉପମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ହରିୟାଣାରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମନୋହରଲାଲ ଖଟ୍ଟର ଆଜି ଅପରାହ୍ନରେ ଶପଥ ଗ୍ରହଣ କରିବେ । ଉପ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ମଧ୍ୟ ପରିସମାପ୍ତି ଘଟିଛି । ଜନନାୟକ ଜନତା ପାର୍ଟି (ଜେଜେପି)ର ସଭାପତି ଦୁଶ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଚୂଡ଼ାନ୍ତ ହୋଇଛି । ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଭେଟି ରାଜ୍ୟରେ ବିଜେପି-ଜେଜେପିର ମିଳିତ ସରକାର ଗଠନ ପାଇଁ ଆଜି ଖଟ୍ଟର ଦାବି ଉପସ୍ଥାପନ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ବିଜେପିର ହରିୟାଣା ମୁଖ୍ୟ ସୁଭାଷ ବରାଳ ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କୁ ଭେଟିବା ପରେ ଖଟ୍ଟର କହିଛନ୍ତି ଯେ, ଆଜି ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ ହେବ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କ ଶପଥ ଗ୍ରହଣ ଦୀପାବଳି ପରେ ହେବ ।
ଖଟ୍ଟର କହିଛନ୍ତି, ମୋଟ ୫୭ ଜଣ ବିଧାୟକ (ବିଜେପି-୪୦, ଜେଜେପି-୧୦, ସ୍ୱାଧୀନ-୭)ଙ୍କ ସମର୍ଥନ ନେଇ ସେ ସରକାର ଗଠନ କରିବାକୁ ଯାଉଛନ୍ତି । ସ୍ୱାଧୀନ ବିଧାୟକମାନଙ୍କୁ ମଧ୍ୟ ଆଜି ଖଟ୍ଟରଙ୍କ ସହ ଦେଖିବାକୁ ମିଳିଥିଲା । ୭ ଜଣ ସ୍ୱାଧୀନ ବିଧାୟକ ନିଃସର୍ତ୍ତ ସମର୍ଥନ ଦେବାପାଇଁ ଗତକାଲି ଘୋଷଣା କରିଥିଲେ । ରାଜ୍ୟପାଳଙ୍କୁ ଭେଟିବା ପୂର୍ବରୁ ଆଜି ଖଟ୍ଟର ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିଲେ । ବିଜେପି ଆଜି ସ୍ପଷ୍ଟ କରିଛି ଯେ ବିଜେପି-ଜେଜେପି ମିଳିତ ସରକାରରେ କେବଳ ଜଣେ ହିଁ ଉପମୁଖ୍ୟମନ୍ତ୍ରୀ ରହିବେ । ଦୁଶ୍ୟନ୍ତଙ୍କ ବଦଳରେ ତାଙ୍କ ମା’ ନୈନା ଚୌତାଲାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ କେତେକ ପ୍ରସ୍ତାବ ଉପରେ ମଧ୍ୟ ଆଜି ଜେଜେପି ବିଧାୟକ ଦଳ ବୈଠକରେ ଆଲୋଚନା ହୋଇଥିଲା । କିନ୍ତୁ ଶେଷରେ ଦୁଶ୍ୟନ୍ତଙ୍କ ନାମ ହିଁ ଚୂଡ଼ାନ୍ତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ