ଖଣିରେ ନିଯୁକ୍ତି ଆଶଙ୍କାରେ ଶ୍ରମିକ
ଯୋଡ଼ା ,(ଯୁଗାଦ୍ଦ ନ୍ୟୁଜ) ରାଜ୍ୟ ସରକାରଙ୍କ ବିଭିନ୍ନ ଖଣି ଗୁଡିକରେ ଲିଜ୍ ଅବଧି ଶେଷ ହେବାକୁ ଥିବାରୁ ସେଗୁଡିକର ପୁନଃ ନିଲାମ ପାଇଁ ଘୋଷଣା ପରେ ଯୋଡା ଖଣି ମଣ୍ଡଳର ବିଭିନ୍ନ ଖଣି ଉପରେ ବଡ ବଡ କମ୍ପାନୀ ମାନଙ୍କର ନଜର ପଡିଛି । ସେମାନଙ୍କର ପ୍ରତିନିଧିମାନେ ଯୋଡା ଖଣି ମଣ୍ଡଳରେ ନିଲାମ ହେବାକୁ ଥିବା ଖଣି ଗୁଡିକ ପରିଦର୍ଶନ କରିବା ସହିତ ଖଣିଜ ପଥରର ସ୍ଥିତି ଅନୁଧ୍ୟାନ ଓ ଗଛିତ ଖଣିଜର ଆନୁମାନିକ ଆକଳନ କରୁଥିବା ଜଣାପଡିଛି । ରାଜ୍ୟ ସରକାରଙ୍କର ଖଣି ନିଲାମ ପାଇଁ ଦେଶର ବହୁ ବଡ ବଡ କମ୍ପାନୀ ମାନେ ଖଣିଜ ବ୍ୟବସାୟରେ ପୁଞ୍ଜି ନିବେଶ କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି । ବଡ ବଡ କମ୍ପାନୀଙ୍କ ମଧ୍ୟରେ ଟାଟାଷ୍ଟିଲ, ଜେଏସଡବ୍ଲୁ, ଆଦାନି ଗ୍ରୁପ୍ ଆର୍ସେଲର ମିତଲ, ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ ସ୍ପଞ୍ଜ ଲିମିଟେଡ୍, ଲଏଡ୍ ଷ୍ଟିଲ, ରିଓ ଟିନ୍ଟୋ, ବେଦାନ୍ତ ଗ୍ରୁପ୍, ଷ୍ଟେମକୋର, ଟିଭିଏସ ଗ୍ରୁପ୍, ଜିନ୍ଦଲ ଷ୍ଟେନଲେସ୍ , ଟିଏସ ଆଲାଏଜ୍ ପ୍ରଭୃତି କମ୍ପାନୀର ପ୍ରତିନିଧିମାନେ ଯୋଡା ଖଣି ମଣ୍ଡଳରେ ଥିବା ବିଭିନ୍ନ ଖଣି ଲିଜ୍ ଅଂଚଳ ବୁଲି ପରିଦର୍ଶନ କରିଛନ୍ତି । ସୂଚନାଯୋଗ୍ୟକି, ୨୦୨୦ ମାର୍ଚ୍ଚ ୩୧ ତାରିଖରେ ଯୋଡା ଖଣି ମଣ୍ଡଳର ୮ଟି ଖଣିର ଲିଜ୍ ଅବଧି ଶେଷ ହେବ । ପ୍ରଥମ ପର୍ଯ୍ୟାୟରେ ଯୋଡା ଖଣି ମଣ୍ଡଳର ଜୁରୁଡିସ୍ଥିତ କଳିଙ୍ଗ ମାଇନିଂ କର୍ପୋରେସନ ଖଣି , କେ.ଏନ ରାମ୍ ଖଣି, ରୋଇଡା-୨, ଜରିବାହାଲସ୍ଥିତ ପଟ୍ଟନାୟକ ମିନେରାଲ ପ୍ରାଇଭେଟ ଲିମିଟେଡ ଖଣି, ଜୁରୁଡିସ୍ଥିତ ଜିଲିଂ ଏସେଲ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ ଖଣି , ଜଜାଙ୍ଗ ରୁଙ୍ଗଟା ମାଇନ୍ସ ଖଣି, ରୁଙ୍ଗଟା ସନସ୍ ର ସିଲଯୋଡା ଖଣି ଓ ନୂଆଗାଁର କେଜେଏସ ଆହଲୁଓାଲିଆ ଖଣି, ଠାକୁରାଣୀର କେ.ପି ଏନ୍ଟରପ୍ରାଇଜେସ ଖଣି, ବଳଦାସ୍ଥିତ କାଳିମାଟି ସିରାଜୁଦ୍ଦିନ୍ ଖଣି ପ୍ରଭୃତି ୮ଟି ଖଣିର ନିଲାମ ପ୍ରକ୍ରିୟା ପାଇଁ ଇସ୍ପାତ ଖଣି ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲେ ହେଁ , ପୂର୍ବରୁ କାର୍ଯ୍ୟ କରୁଥିବା ଖଣି ଲିଜ୍ଧାରୀମାନଙ୍କର ଖଣିରେ ଥିବା ଖଣିଜର ମୂଲ୍ୟାୟନ ହୋଇନାହିଁ ଏବଂ ଖଣି ଅଂଚଳରେ ଥିବା ସ୍ଥାୟୀ ସମ୍ପତିର ଆକଳନ କରାଯାଇନାହିଁ । ଯଦିଓ ଏହାକୁ ଆକଳନ କରିବା ନିମନ୍ତେ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି । ହେଲେ ଅଦ୍ୟାବଧି ଏହି କମିଟି ନିଲାମ ହେବାକୁ ଥିବା ଖଣି ଗୁଡିକରେ ଏହି କାର୍ଯ୍ୟ ଆରମ୍ଭ କରିନଥିବା ସୂତ୍ରରୁ ଜଣାପଡିଛି । ତେଣେ ଖଣିରେ ଗଛିତ ଥିବା ଖଣିଜର ଆକଳନକୁ କମ୍ କରି ଦେଖାଯାଇଥିବା ସୂତ୍ରରୁ ଜଣାପଡିଛି । ଏଥିପାଇଁ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଆଗାମୀ ଦିନରେ ଛଟେଇ ହେବାର ଆଶଙ୍କା କରି ଚିନ୍ତାଗ୍ରସ୍ଥ ଅଛନ୍ତି । ଖଣିଲିଜ୍ ପାଇବା ପରେ ସଂପୃକ୍ତ କମ୍ପାନୀ ସେମାନଙ୍କୁ ପୁନଃ ନିଯୁକ୍ତି ର ବ୍ୟବସ୍ଥା କରିବ କି ନାହିଁ , କମ୍ପାନୀ ମେସିନ୍ ଦ୍ୱାରା ସଂପୂର୍ଣ୍ଣ ଖଣି କାର୍ଯ୍ୟ କରିବ କିମ୍ବା ଖଣିରେ ଆଂଶିକ ଯାନ୍ତ୍ରିକ ଖଣି କରିବ ଏନେଇ ଶ୍ରମିକମାନେ ଆଶଙ୍କା କରିଛନ୍ତି । ସରକାର ଖଣି ଲିଜ୍ କୁ ନିଲାମ କରି ନିଷ୍ପତି ନେଇଥିବା ବେଳେ ସଂପୃକ୍ତ ଖଣିର ଶ୍ରମିକମାନଙ୍କର ନିଯୁକ୍ତି ପ୍ରତି କୌଣସି ଗାଇଡଲାଇନ୍ ଏବେ ଯାଏଁ ପ୍ରସ୍ତୁତ କରିନଥିବା ହେତୁ ଶ୍ରମିକ ମହଲରେ ଜିବୀକା ହରାଇବା ଆଶଙ୍କା ଅଧିକ ଦେଖାଗଲାଣି ।


