ଖଣି ମନ୍ତ୍ରୀ ଓ ସଚିବଙ୍କ ଯୋଡା ଗସ୍ତ

ଯୋଡ଼ା, (ଯୁଗାବ୍ଦ ନ୍ୟୁଜ) : କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳକୁ ଖଣି ମନ୍ତ୍ରୀ ଯୋଡା ଗସ୍ତରେ ଆସି ଖଣି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଖଣିଲିଜ୍ ଧାରୀଙ୍କ ସହିତ ଏକ ବୈଠକ କରିଥିଲେ । ଗୁରୁବାର ଅପରାହ୍ନ ୩ ଘଟିକା ସମୟରେ ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ଓ ଖଣି ସଚିବ ରାଜକୁମାର ଶର୍ମା ଯୋଡାରେ ପହନଚି ଯୋଡା ପୌରପାଳିକାର ସଭାଗୃହଠାରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ଖଣି ଲିଜ୍ଧାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ଖଣି ନିର୍ଦ୍ଦେଶକ ଦୀପକ କୁମାର ମହାନ୍ତି, କେନ୍ଦୁଝର ଜିଲାପାଳ ଆଶିଷ ଠାକରେ, ଚମ୍ପୁଆ ଉପଜିଲାପାଳ ପାରୁଲ ପଟାଓରି ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ଯୋଡା ଖଣିମଣ୍ଡଳର ଖଣି ଗୁଡିକର ବିଭିନ୍ନ ସମସ୍ୟା ଓ ସେମାନଙ୍କର ସାମାଜିକ ଦାୟିତ୍ୱ କଣ , ଖଣି ଗୁଡିକୁ କିପରି ରାସ୍ତା ସଂଯୋଗ କରିପାରିବ , ଖଣିଜ ସମ୍ପଦର କିପରି ସଦୁପଯୋଗ ହେବ , ଡିଏମଏଫ ଅର୍ଥକୁ କିପରି ବିକାଶ ଦିଗରେ ଖର୍ଚ୍ଚ କରାଯିବ, ଜିଲାବାସୀଙ୍କ ସହଯୋଗରେ କିପରି ଜିଲାର ବିକାଶ ହୋଇପାରିବ ପ୍ରଭୃତି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟରେ ଖଣିଗୁଡିକର ଟେଣ୍ଡର ପ୍ରକ୍ରିୟା , ନିଲାମ୍ ପ୍ରକ୍ରିୟା ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ, ୫ ଟି ଖଣିର ନିଲାମ ପ୍ରକ୍ରିୟା ଶେଷ ହୋଇଯାଇଛି । ଆଉ ୨୪ଟି ଖଣିର ନିଲାମ ହେବ ବୋଲି କହିଥିଲେ । ନିଲାମ ପ୍ରକ୍ରିୟା ପରେ ଖଣି କେବେ ଚାଲିବ ଏହାର ଉତର ଖଣି ମନ୍ତ୍ରୀ ଦେଇପାରିନଥିଲେ । ନିଲାମ ପରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଏହା ଜଣାପଡିବ ବୋଲି ଖଣି ମନ୍ତ୍ରୀ ମଲିକ କହିଥିଲେ । ସେହିପରି ୧୦ ବର୍ଗ କି.ମି. ଠାରୁ ଅଧିକ ଖଣି କ୍ଷେତ୍ର ଥିବା ଲିଜ୍ଧାରୀମାନେ ନିଲାମରେ ଭାଗ ନେଇପାରିବେ କି ନାହିଁ ପ୍ରଶ୍ନର ଉତରରେ ମନ୍ତ୍ରୀ ମଲିକ ଝାଡଖଣ୍ଡ ରାଜ୍ୟର ଉଦାହରଣ ଦେଇ କହିଥିଲେ ଯେ, ଝାଡଖଣ୍ଡ ରାଜ୍ୟରେ ୧୦ ବର୍ଗ କି.ମି ପରିବର୍ତେ, ୭୫ ବର୍ଗ କି.ମି କୁ କରାଯିବାର ଚିନ୍ତା କରାଯାଉଛି ଯଦିଓ ଏହାର ନୀତିଗତ ନିଷ୍ପତି ଗ୍ରହଣ କରାଯାଇନାହିଁ । ଅପରପକ୍ଷରେ ଖଣି ଲିଜ୍ଧାରୀମାନଙ୍କର ପ୍ରତିନିଧି, ଖଣି ଲିଜ୍ଧାରୀ, ଖଣି ଠିକାଦାର, ପରିବହନ ଠିକାଦାର ସେମାନଙ୍କର ଖଣି କାର୍ଯ୍ୟରେ ହେଉଥିବା ଅସୁବିଧା ସମ୍ପର୍କରେ ମନ୍ତ୍ରୀ ମଲିକ, ସଚିବ ରାଜକୁମାର ଶର୍ମା, ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ମୁଖ୍ୟତଃ ଖଣିଖାଦାନର ସୂଚାରୁ ରୂପରେ ପରିଚାଳନା , ପରିବେଶୀୟ ମଂଜୁରି ଅନୁଯାୟୀ, ଧାର୍ଯ୍ୟ ଉତୋଳନ ପରିମାଣକୁ ସମାପ୍ତ କରିବା ପାଇଁ ମନ୍ତ୍ରୀ ମଲିକ ଓ ଅନ୍ୟମାନେ ଲିଜ୍ ଧାରୀଙ୍କୁ କହିଥିଲେ । ଖଣି କମ୍ପାନୀମାନଙ୍କର ସାମାଜିକ ଦାୟିତ୍ୱବୋଧତା ଉପରେ ,ମଧ୍ୟ ଖଣି କମ୍ପାନୀମାନଙ୍କୁ କାର୍ଯ୍ୟ ତ୍ୱରାନିତ କରିବା ପାଇଁ ମନ୍ତ୍ରୀ କହିଥିଲେ । ଖଣି ଲିଜ୍ଧାରୀ ତାରିଣୀ ପ୍ରସାଦ ମହାନ୍ତି ଖଣିମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ରାଜ୍ୟ ସରକାର ଖଣିଜ ପରିବହନ ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି । ହେଲେ କିଛି ପରିବହନ ଠିକାଦାର ନିର୍ଦ୍ଧାରିତ ପରିବହନ ମୂଲ୍ୟଠାରୁ ଶହ ଶହ ଟଙ୍କା ଅଧିକ ଦାବି କରୁଛନ୍ତି । ଏହାର ଉତର ରଖି କେନ୍ଦୁଝର ଜିଲାପାଳ ଆଶିଷ ଠାକରେ କହିଥିଲେ ଯେ, ଏପରି କ୍ଷେତ୍ରରେ ଲିଖିତ ଅଭିଯୋଗ କଲେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଖଣି ଲିଜ୍ ଧାରୀ ଜିତୁ ପଟ୍ଟନାୟକ ଖଣି ମନ୍ତ୍ରୀ ମଲିକଙ୍କୁ କହିଥିଲେ ଯେ, ରାଜ୍ୟରେ ସ୍ପଞ୍ଜ ଆଇରନ୍ କାରଖାନା ଗୁଡିକ ପାଇଁ କଠିନ ଲୁହାପଥରର ଆବଶ୍ୟକତା ରହିଛି । ହେଲେ ଏ ଅଂଚଳରେ ଥିବା ଖଣି ଗୁଡିକରେ ଏହା ଉପଲବ୍ଧ ହେଉନଥିବାରୁ ସରକାରୀ ଖଣି ଗୁଡିକରୁ ନିର୍ଦ୍ଦିଷ୍ଟ ପରିମାଣରେ କିଛି ଲୁହାପଥର ଅଂଚଳରେ ଥିବା କାରଖାନା ଗୁଡିକୁ ଯୋଗାଇ ଦିଆଯାଉ । ଏହାର ଉତରରେ ମନ୍ତ୍ରୀ କହିଥିଲେ ଯେ, ସରକାର ଏହାକୁ ତର୍ଜମା କରି ନିଷ୍ପତି ନେବେ । ସେହିପରି ଆବଶ୍ୟକତା ମାନର କୋଇଲା ଓଡିଶାରେ ମିଳୁନଥିବାରୁ କାରଖାନା ଚଳାଇବା ପାଇଁ ଅସମ୍ଭବ ହୋଇପଡୁଛି । ଏଣୁ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟରେ ଥିବା ରାଣୀଗଞ୍ଜ ଅଂଚଳରୁ କୋଇଲା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯାଉ ବୋଲି ଲିଜ୍ଧାରୀ ଓ କାରଖାନା ମାଲିକମାନେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ