ଖରିଫ ଧାନ ଚାଷ ୧୬ ଶହ ହେକ୍ଟର ଜମିରେ ତଳି ପକା ଶେଷ
ବନ୍ତ, (ଚାନ୍ଦିନୀ ମହାନ୍ତି):ଚଳିତ ଖରିଫ ଧାନ ଚାଷ ପାଇଁ ବନ୍ତ ବ୍ଲକରେ ପ୍ରାୟ ୧୬ ଶହ ହେକ୍ଟର ଜମିରେ ତଳି ପକା ଶେଷ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଚଳିତ ଖରିଫ ଋତୁରେ ସମଗ୍ର ବ୍ଲକରେ ୧୮ ହଜାର ୮ ଶହ ୬୫ ହେକ୍ଟର ଜମିରେ ଧାନ ଚାଷ ହେବାର ରହିଛି । ସେସବୁ ଜମିରେ ଧାନ ରୋଇବା ପାଇଁ ଗତ କିଛି ଦିନ ହେବ ଚାଷୀ ମାନେ ତଳି ପକାଇବାରେ ବ୍ୟସ୍ତ ଅଛନ୍ତି । ଚାଷୀ ମାନେ ନିଜସ୍ୱ ଲିପ୍ଟ ପଏଣ୍ଟ ମାଧ୍ୟମରେ ପାଣି ସଂଗ୍ରହ କରି ଏହି ତଳି ପକାଉଥିବା ଦେଖାଯାଇଛି । ଚଳିତ ବର୍ଷ ବର୍ଷା ହେବା କାରଣରୁ ତଳି ପକା ବିଳମ୍ବ ହୋଇଥିଲା । ଗୋଟିଏ ସପ୍ତାହ ଖରା ହେବା ପରେ ଜମିରେ ଥିବା ପାଣି ଶୁଖି ଯିବା ଫଳରେ ତାହା ତଳି ପକାଇବା ପାଇଁ ଉପଯୋଗୀ ହୋଇଛି । ତଥାପି ଚଳିତ ବର୍ଷ ତଳି ପକା ପାଇଁ ଆବଶ୍ୟକ ବର୍ଷା ହୋଇଥିବା କୃଷି ବିଭାଗ କହିଛି । ସରକାରୀ ବିହନ ବ୍ଲକକୁ ଆସୁନଥିବା ବେଳେ ଚାଷୀ ମାନେ ସେବା ସମବାୟ ସମିତି ଓ ସ୍ୱୀକୃତିପ୍ରାପ୍ତ ଡିଲର ମାନଙ୍କ ଠାରୁ ବିହନ କିଣୁ ଥିବାର ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ସିଡ୍୍ସ କରର୍ପୋରେସନ ପକ୍ଷରୁ ପ୍ରାୟ ୭ ଶହ କୁଇଁଣ୍ଟାଲ ବିହନ ବିକ୍ରି ହୋଇଥିବା ବେଳେ ଅନ୍ୟ କମ୍ପାନୀର ବିହନ ମଧ୍ୟ ବିକ୍ରି ହେଉଥିବା ଜଣାଯାଇଛି । ବିଶେଷକରି ଚାଷୀମାନେ ହଜାରେ ନଅ, ସବୁଆନ୍, ଏମ୍.ପି.ୟୁ ୭୦୨୯, ସ୍ୱର୍ଣ୍ଣ ସବ୍ ୱାନ୍, ହଜାରେ ଏକ, ଚମ୍ପା ଓ ପୂଜା ଆଦି ବିହନ କିଣୁ ଥିବାର ଦେଖାଯାଇଛି । ଚାଷୀ ମାନେ ତଳି ପକାଇବା ପାଇଁ ବିଶେଷକରି ଉଠା ଜଳସେଚନ ଉପରେ ନିର୍ଭର କରୁଥିବା ବେଳେ ଏବେ ସମଗ୍ର ବ୍ଲକରେ ୬୮ ଲିପ୍ଟ ପଏଣ୍ଟ ସଚଳ ଥିବା ବ୍ଲକ ସହକାରୀ କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ କହିଛନ୍ତି ।