ନିର୍ଯ୍ୟାତିତ ମହିଳା ଓ ତାଙ୍କ ପରିବାରଙ୍କୁ ମିଳୁନି ନ୍ୟାୟ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଛି
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଥାନା ଅଧିନ ଟିଲୋ କରଞ୍ଜପଡା ଗ୍ରାମର ନିର୍ଯ୍ୟାତିତ ମହିଳା ପଦ୍ମାବତୀ ସା ଓ ତାଙ୍କ ପରିବାରଙ୍କୁ ପୋଲିସ ନ୍ୟାୟ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ଜିଲ୍ଳା ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ମହିଳାଙ୍କ ସ୍ୱାମୀ ନିଳମଣି ସା କଲିକତାରେ ରହି କାମ କରୁଥିବା ବେଳେ ସେହି ଗ୍ରାମର କିଛି ବ୍ୟକ୍ତି ମହିଳାଙ୍କ ପରିବାରକୁ ଆକ୍ରୋଶମୂଳକ ଭାବେ ହଇରାଣ କରିବା ସହ ମାଡ ମାରି ରକ୍ତାକ୍ତ କରିବା, ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା, ମୋବାଇଲ ଭାଙ୍ଗି ଦେବା, ବାଡ ଉପାଡି ଦେବା, ଗଛପତ୍ର ନଷ୍ଟ କରିବା, ବାଲି ଫିଙ୍ଗି ଦେବା ସହ ଲୁଗାପଟା, ଧାନ, ବାଉଁଶ ଓ ଅନ୍ୟାନ୍ୟ ଜିନିଷ ପତ୍ର ନେଇଯାଉଛନ୍ତି । ମହିଳାଙ୍କ ବିବାହ ଯୋଗ୍ୟ ଝିଅକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମାଡ ମାରିଛନ୍ତି । ଅପରପକ୍ଷଙ୍କ ମାଡରେ ମହିଳା ଜଣକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି । ଏପରିକି ଅପରପକ୍ଷ ମାନେ ମହିଳାଙ୍କ ଘର ପୋଡି ଦେବା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ଏସଂପର୍କରେ ମହିଳା ଜଣକ ୧୦ରୁ ଉର୍ଦ୍ଧ୍ୱ ଥର ବନ୍ତ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଛି । ଗତ ୨୦୧୯ ମସିହା ସେପ୍ଟେମ୍ବର ୧୦, ଡିସେମ୍ବର ୨୮, ୩୦ ଏବଂ ୨୦୨୦ ମସିହା ଫେବୃଆରୀ ୧୬, ମାର୍ଚ୍ଚ ୫, ଏପ୍ରିଲ ୧୨, ଜୁଲାଇ ୩ ତାରିଖରେ ଏକାଧିକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ପାଇବାରୁ ବଂଚିତ ହୋଇଛନ୍ତି । ଅପରପକ୍ଷେ ମାନେ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା, ଘରେ ପଶି ମାଡ ମାରିବା, କାମୁଡି କ୍ଷତାକ୍ତ କରିବା, ବାଡି, ଶାବୁଳ ଓ ଲୁହା ରଡରେ ପିଟି ଆହତ କରିବା ଭଳି ଘଟଣା ଘଟାଇଛନ୍ତି । ଏସମସ୍ତ କାର୍ଯ୍ୟକଳାପର ପ୍ରମାଣ ସ୍ୱରୂପ ଭିଡିଓ ଓ ଅଡିଓ ରେକର୍ଡି ପୋଲିସକୁ ଦେଖାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏସବୁ ଘଟଣାକୁ ନେଇ ମହିଳା ଓ ତାଙ୍କ ପରିବାର ମାନସିକ ଚାପରେ କାଳ କାଟୁଛନ୍ତି । ଅପରପକ୍ଷେ ଗତ ଏପ୍ରିଲ ୨୦ ତାରିଖରେ ପୋଲିସ କେସ ନଂ-୪୦/୨୦ ମୂଳେ ଅପରପକ୍ଷ ୪ ଜଣଙ୍କ ନାମରେ ଏକ ମାମଲା ରୁଜ୍ଜୁ କରି ହାତବାନ୍ଧି ବସିଛି । ଶେଷରେ ମହିଳା ଜଣକ ନ୍ୟାୟ ପାଇବା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, ଆଇ.ଜି, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଗୁହାରୀ କରିଥିବା ଜଣାଯାଇଛି ।


