ଖଲିକୋଟ କଲେଜ ନାମକରଣ ପରିବର୍ତ୍ତନକୁ ନେଇ କଲେଜ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ
ବ୍ରହ୍ମପୁର, ବ୍ରହ୍ମପୁରର ଐତିହ୍ୟ ତଥା ପୁରାତନ ଶିକ୍ଷାନୁଷ୍ଠାନ ବ୍ରହ୍ମପୁର ଖଲିକୋଟ କଲେଜର ନାମକରଣକୁ ପରିବର୍ତ୍ତନ କରି ଖଲିକୋଟ ବିଶ୍ୱବିଦ୍ୟାଳୟ ନାମଫଳକ ଟାଙ୍ଗିବା ଏବଂ ପୁରାତନ ବିଜ୍ଞାନାଗାର କୋଠାକୁ ହଟାଇବା ଘଟଣାରେ ଆଜି କଂଗ୍ରେସ ପକ୍ଷରୁ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ସ୍ମାରକପତ୍ର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଆଜି ନୂତନ ଖଲିକୋଟ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ କହିଛନ୍ତି ଯେ, ବର୍ତ୍ତମାନ ଖଲିକୋଟ କଲେଜକୁ ଖଲିକୋଟ ବିଶ୍ୱବିଦ୍ୟାଳୟର ନାମ କରଣ କରାଯାଇଛି । ଏହାଯୋଗୁଁ ଖଲିକୋଟ କଲେଜର ୧୪୩ ବର୍ଷର ଐତିହାସକତାକୁ ହଜେଇବାକୁ ଚେଷ୍ଟା ଚାଲିଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ଖଲିକୋଟ କଲେଜ ପରିସର ସ୍ଥିତ ଧରାକୋଟ ବିଜ୍ଞାନାଗାର ନାମରେ ଏକ ପୁରାତନ କୋଠାକୁ ନବ ନିର୍ମାଣ ନାମରେ ଉକ୍ତ କୋଠା ଟିକୁ ଭାଙ୍ଗି ଦିଆଯାଇଥିବା ଯୋଗୁଁ କଂଗ୍ରେସ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା । ଯଦି ୧୫ ଦିନ ମଧ୍ୟରେ ଦାବି ପୁରଣ କରାନଗଲେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ସହ ଆନ୍ଦୋଳନ ଓ ଅନଶନ କରାଯିବ ବୋଲି ଏଠାରେ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଭୋକାଲୀ ସେଠୀ, ସାଇ ପ୍ରସାଦ ପାତ୍ର, ଅନିରୁଦ୍ଧ ପାତ୍ର, ସୁନୀଲ ଜେନା, ଅଶୋକ ସାହୁ, ବିଶ୍ୱଜିତ ସେଠୀ, ଲଡୁ କିଶୋର ବାରିକ, ପ୍ରଫୁଲ ଘଡ଼େଇ, ସୁଧୀର ମହାରଣା, ପ୍ରଶାନ୍ତ ସାହୁ, ସନ୍ତୋଷ ପଲେଇ ଓ କୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।