ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଗଣେଶ ହଲ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ପୁଷ୍ପ ଅର୍ପଣ ତଥା ବୃକ୍ଷରେ ଜଳସିଞ୍ଚନ ପୂର୍ବକ ବିଭାଗ ମୁଖ୍ୟ ଡ. ଉଷାରାଣୀ ରଥ ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ l ଡ. ମନୋରଞ୍ଜନ ବିଷୋୟୀ କାର୍ଯ୍ୟକ୍ରମ ସଂଯୋଜନା ପୂର୍ବକ କାର୍ଯ୍ୟକ୍ରମର ଶୀର୍ଷକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ. ବନମାଳୀ ପାଣିଗ୍ରାହୀ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନର ଉଦ୍ଦେଶ୍ୟ ଓ ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ l ଆଜିର କାର୍ଯ୍ୟକ୍ରମରେ ସଭାପତିତ୍ୱ କରୁଥିବା ଡ. ଉଷାରାଣୀ ରଥ ମାତୃଭାଷାର ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା ପୂର୍ବକ ଅନ୍ୟ ମାତୃଭାଷା ପ୍ରତି ଶ୍ରଦ୍ଧା ଓ ସମ୍ମାନ ନିବେଦନ କରିବା ନିମନ୍ତେ ପରାମର୍ଶ ଦେଇ ଭାଷାଗତ ସହନଶୀଳତା ରକ୍ଷା କରିବାକୁ କହିଥିଲେ l ଇଂରାଜୀ ବିଭାଗର ଅଧ୍ୟାପିକା ଶ୍ରୀମତୀ ଚିନ୍ମୟୀ ସାହୁ, ଅଧ୍ୟାପିକା ଇପ୍ସିତା ରୁଚି, ଅଧ୍ୟାପିକା ନୟନିକା ମହାପାତ୍ର , ଅଧ୍ୟାପିକା ସୁହାସିନୀ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଅନ୍ୟାନ୍ୟ ଭାଷା ଶିକ୍ଷା କଲେ ମଧ୍ୟ ନିଜ ମାତୃଭାଷାର ଗୌରବ ରକ୍ଷା କରିବା ନିମନ୍ତେ ଆହ୍ୱାନ ଦେଇଥିଲେ l ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାର ଛାତ୍ରଛାତ୍ରୀ ସ୍ୱବକ୍ତବ୍ୟରେ ନିଜ ମାତୃଭାଷାର ମହତ୍ତ୍ୱ ପ୍ରତିପାଦନ କରିଥିଲେ l ବିଭାଗୀୟ ଅଧ୍ୟାପିକା ସୁଶ୍ରୀ ସ୍ବର୍ଣ୍ଣଲତା ବିଷୋୟୀ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ସହଯୋଗ କରିବା ସହ ଶତାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା l