ଖାକିର ଦାଦାଗିରି ପଡିଲା ମହଙ୍ଗା

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଜଣେ ଗୁଟ୍‌ଖା ବେପାରୀଙ୍କୁ ଖାକିର ଦାଦାଗିରି ଦେଖାଇ ବଟି ନେବା ୪ଜଣ କନ୍‌ଷ୍ଟେବଲ୍‌ଙ୍କୁ ମହଙ୍ଗା ପଡ଼ିଛି। ଘଟଣାର ତଦନ୍ତ କରି ଆବଶ୍ୟକ ପ୍ରମାଣ ଥିବାରୁ ବ୍ରହ୍ମପୁର ଏସ୍.ପି. ପିନାକ ମିଶ୍ର ସମ୍ପୃକ୍ତ ୪ଜଣ କନ୍‌ଷ୍ଟେବଲ୍‌ଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବନ ହୋଇଥିବା କନ୍‌ଷ୍ଟେବଲ୍‌ମାନେ ହେଲେ ଟୁକୁନା ସେଠୀ, ରାଜେନ୍ଦ୍ର ସେଠୀ, ସନ୍ତୋଷ କୁମାର ଜାଲ୍ ଓ ଅଭିଜନ ଗମାଙ୍ଗୋ ବୋଲି ଏ.ଏସ୍.ପି. ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି।ସୂଚନା ଅନୁସାରେ ଗତ ୨ତାରିଖରେ ବଡ଼ ବଜାର ଅଞ୍ଚଳର ଏମ୍. ରଂଜିତ ନାମକ ଜଣେ ବେପାରୀ ତାଙ୍କ ଗାଡ଼ିରେ ବିପୁଳ ପରିମାଣ ଗୁଟ୍‌ଖା ନେଇ ଯାଉଥିଲେ। ରାସ୍ତାରେ ତାଙ୍କୁ ୪ଜଣ ପୁଲିସ କନ୍‌ଷ୍ଟେବଲ୍‌ ଅଟକାଇଥିଲେ। ଗାଡ଼ିରେ ଗୁଟ୍‌ଖା ଥିବାରୁ ସେମାନେ ତାଙ୍କୁ ନାନା ଧମକ୍ ଦେଇ ନାଲି ଆଖି ଦେଖାଇଥିଲେ। ସେଥିରେ ଲକ୍ଷାଧିକ ଟଙ୍କାର ଗୁଟ୍‌ଖା ଥିବା ନେଇ ଆଲୋଚନା ହେଉଛି। ତେବେ ଗାଡ଼ି ଛାଡ଼ିବା ପାଇଁ ୪ଜଣ କନ୍‌ଷ୍ଟେବଲ୍‌ ବେପାରୀ ରଂଜିତଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇଥିବା ନେଇ ସହରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହି ଘଟଣା ଏସ୍.ପି.ଙ୍କ କାନକୁ ମଧ୍ୟ ଯାଇଥିଲା। ଏସ୍.ପି. ଖୋଦ୍ ଏହି ଘଟଣାର ତଦନ୍ତ କରି ଶେଷରେ ୪ଜଣ କନ୍‌ଷ୍ଟେବଲ୍‌ଙ୍କ ସମ୍ପୃକ୍ତି ଥିବା ନେଇ ଜାଣିବାକୁ ପାଇଥିଲେ। ତେଣୁ ଆଜି ୪ଜଣ କନ୍‌ଷ୍ଟେବଲ୍‌ଙ୍କୁ ଏସ୍.ପି. ନିଲମ୍ବନ କରିଛନ୍ତି।ତେବେ ସେମାନେ ସମ୍ପୃକ୍ତ ବେପାରୀଙ୍କ ଠାରୁ କେତେ ଟଙ୍କା ନେଇଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ରଂଜିତ ଯେଉଁ ଫ୍ୟାକ୍ଟ୍ରିରୁ ଗୁଟ୍‌ଖା ଆଣୁଥିଲେ ସେ ସମ୍ପର୍କରେ ଅଧିକ ତଦନ୍ତ କରିବା ପାଇଁ ବ୍ରହ୍ମପୁର ପୁଲିସ କେନ୍ଦ୍ରୀୟ ଅବକାରୀ ବିଭାଗକୁ ଲିଖିତ ଆକାରରେ ଜଣାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ