ଖେମୁଣ୍ଡି କଲେଜରେ କୋଭିଡ ହସପିଟାଲ ନିର୍ମାଣ ପ୍ରସଂଗ : ପୁରାତନ ଛାତ୍ର ସଙ୍ଘ ଓ ସହରବାସୀଙ୍କ ବିରୋଧ
ଦିଗପହଣ୍ଡି, (ଓ୍ୱାଇଏନ୍ଏସ୍): ଗଞଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ କୋଭିଡ ହସ୍ପିଟାଲ ପ୍ରସ୍ତାବକୁ କଲେଜର ପୁରାତନ ଛାତ୍ରସଂଘ ଓ ସହରବାସୀନ୍ଦା ବିରୋଧ କରିଛନ୍ତି। ପ୍ରସ୍ତାବକୁ ବନ୍ଦ କରାନଗଲେ ଛାତ୍ର ଆନ୍ଦୋଳନ କରିବେ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ବିଧାୟକ ତଥା ଓଡିଶା ବିଧାନସଭା ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରସ୍ତାବ କ୍ରମେ ଏଠାରେ ଏକ କୋଭିଡ ହସପିଟାଲ ପ୍ରତିଷ୍ଠା ହେବାକୁ ଯାଉଥିବା ଜଣାପଡିଛି। ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ ଡିଗ୍ରୀ କଲେଜ ଭାବେ ସୁନାମ ଅର୍ଜନ କରିଥିବା ଖେମୁଣ୍ଡି କଲେଜରେ ପ୍ରାୟ ୨୮ ଶହ ଛାତ୍ରୀ ଛାତ୍ର ପାଠ ପଢ଼ୁଥିବା ବେଳେ ଯୁକ୍ତ ୨ ଓ ଯୁକ୍ତ ୩ ସ୍ତରରେ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କଲେଜ ପରିସରରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଗଲେ ବହୁ ସମସ୍ୟା ଉପୁଜିବ ବୋଲି ଖେମୁଣ୍ଡି କଲେଜ ପୁରାତନ ଛାତ୍ରସଂଘ ଆଲୁମନିର ସଭାପତି ଅଶେଷ ନାଥ ମିଶ୍ର, ସମ୍ପାଦକ ହରପ୍ରସାଦ ରଥ,କାର୍ଯ୍ୟକର୍ତ୍ତା ମନୋଜ କୁମାର ପଣ୍ଡା,ପରେଶ ଚନ୍ଦ୍ର ରଥ,ସତ୍ୟନାରାୟଣ ରଥ,ପି. ଶିବ ଶଙ୍କର,ରବୀନ୍ଦ୍ର ରଥ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି। ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କୈଳାସ ଷଡ଼ଙ୍ଗୀ, ଅଳକ ନାଥ ମିଶ୍ର,ତପନ କୁମାର ମିଶ୍ର,ବସନ୍ତ ପଟ୍ଟନାୟକ, କୁରେଶୁ ମହାରଣା ପ୍ରମୁଖ ସରକାରୀ ସ୍ତରରେ ନିଆଯାଇଥିବା ନିଷ୍ପତ୍ତି କୁ ବିରୋଧ କରିଛନ୍ତି।ସେମାନଙ୍କ ମତରେ ଜରୁରୀ ଆବଶ୍ୟକତା ଥିଲେ ସ୍ଥାନୀୟ ଗ୍ରାମ୍ୟ ସ୍ବାସ୍ଥ୍ୟ ତାଲିମ କେନ୍ଦ୍ର( ରୁୁ ରାଲ୍ ହେେେେଲ୍ଥଲଲ ) ପରିସର କିମ୍ବା ସିଦ୍ଧେଶ୍ଵର ସ୍ଥିତ ଆଦର୍ଶ ବିଦ୍ୟାଳୟ ଛାତ୍ରା ବାସର ନୂତନ କୋଠାରେ ଅସ୍ଥାୟୀ ଭାବେ କୋଭିଡ ହସ୍ପିଟାଲ ଖୋଲାଯିବା ପାଇଁ ପ୍ରଶାସନିକ ସ୍ତରରେ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି। କଲେଜ ଅଧ୍ୟକ୍ଷା ପ୍ରଣତି ପାତ୍ର ଏନେଇ କଲେଜ ପରିଚାଳନା କମିଟି ସଭାପତି ତଥା ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିବିଧ ସମସ୍ୟା ସମ୍ପର୍କରେ ଅବଗତ କରାଇବା ପରେ ଉପଜିଲାପାଳ କଲେଜ ରେ କୋଭିଡ ହସ୍ପିଟାଲ୍ ପ୍ରତିଷ୍ଠା ନକରି ଅନ୍ୟତ୍ର କେଉଁଠି କରିବାକୁ ବିଡ଼ିଓ ହଳଧର ଶବର ଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି। ଦିଗପହଣ୍ଡି ବିଧାୟକ ତଥା ଓଡିଶା ବିଧାନସଭା ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରସ୍ତାବ କ୍ରମେ ଦିଗପହଣ୍ଡି ଠାରେ ଏକ କୋଭିଡ ହସପିଟାଲ ପ୍ରତିଷ୍ଠା ହେବାକୁ ଯାଉଥିବା ଜଣାପଡିଛି।ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଭଳି ଭାବରେ ଦିନକୁ ଦିନ ଦୃତଗତିରେ ବଢି ଚାଲିଛି ତାକୁ ଆଖି ଆଗରେ ରଖି ଜିଲା ର ବିଭିନ୍ନ ଅଞ୍ଚଳରେ ଆଉ ଅଧିକ ଚାରି ପାଞ୍ଚଟି କୋଭିଡ ହସପିଟାଲ କରାଯିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଯୁଦ୍ଧ କାଳୀନ ଭିତ୍ତିରେ ହସ୍ପିଟାଲ ପାଇଁ ସ୍ଥାୟୀ କୋଠା ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ଦିଗପହଣ୍ଡି ବିଡିଓ ହଳଧର ଶବର ଓ ଅନ୍ୟାନ୍ୟ ଅଧିକାରୀ ମାନେ ଖେମୁଣ୍ଡି କଲେଜ କୋଠା ସମେତ ବିଭିନ୍ନ ସରକାରୀ ବିଦ୍ୟାଳୟ କୋଠା ପରିଦର୍ଶନ କରି ତାହାର ଭିତ୍ତିଭୂମି କୋଭିଡ ହସପିଟାଲ ପାଇଁ ଅନୁକୂଳ ଥିବା ସମ୍ପର୍କରେ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ତଥା କୋଭିଡ -୧୯ ନିୟନ୍ତ୍ରଣ ଜିଲା ନୋଡାଲ ଅଧିକାରୀ ଇଂ.ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ସବିଶେଷ ରିପୋର୍ଟ ପଠାଇଥିବା କହିଛନ୍ତି। ଅସ୍ଥାୟୀ କୋଭିଡ଼ ହସ୍ପିଟାଲ ପାଇଁ ଆବଶ୍ୟକ କୋଠା,ପାନୀୟ ଜଳ, ବିଦ୍ଯୁତ ସଂଯୋଗ,ଶୌଚାଳୟ ଆଦି ଆବଶ୍ୟକତା ରହିଥିବା ସେ ଦର୍ଶାଇଛନ୍ତି।ବାଚସ୍ପତି ଡ.ପାତ୍ର ମଧ୍ୟ ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା ପ୍ରକାଶ କରିଛନ୍ତି। କଲେଜ ପରିସରରେ କୋଭିଡ ହସପିଟାଲ କାଯକ୍ଷମ ହେଲେ ଏହା ଦୀର୍ଘ ଦିନ ଯାଏଁ ଛାତ୍ରୀ ଛାତ୍ର ଙ୍କ ପାଠପଢା, ପରୀକ୍ଷା ପରିଚାଳନା ଆଦି ସମସ୍ତ ବିଷୟ ଉପରେ ପ୍ରଭାବ ପଡିବା ଆଶଙ୍କା ରହିଥିବା ବହୁ ସଂଖ୍ୟକ ଅଭିଭାବକ ଜଣାଇଛନ୍ତି।


