ଖେମୁଣ୍ଡି କଲେଜ ରେ ଅସାମାଜିକ ଯୁବକଙ୍କ ଆତଙ୍କ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଗତ କିଛିଦିନ ହେଲା ସହରର କେତେକ ଅସାମାଜିକ ଯୁବକ ଆତଙ୍କ ଚଳାଇଛନ୍ତି। ବୁଧବାର ଜଣେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ଯାଉଦ୍ଯମ କରାଯାଇଥିବା ମାମଲାରେ ଶୁକ୍ରବାର ଦିଗପହଣ୍ଡି ପୋଲିସ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଛନ୍ତି।ଗିରଫ ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି – ଚିକିଟି ରୋଡ଼ ଦଳିତ ସାହିର ଅଣଛାତ୍ର ସୋନୁ ନାୟକ ଓରଫ ସାକ୍ଷୀରା ବିଷୋୟୀ। ଦିଗପହଣ୍ଡି ଥାନା ମାମଲା ନଂ. ୩୩୬/୨୪ ଅନୁଯାୟୀ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ବୁଧବାର ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ପରିବାର ସହ ରହୁଥିବା ଛାତ୍ର ସାଇପ୍ରସାଦ ପଣ୍ଡା ମଧ୍ୟାହ୍ନରେ ଘରକୁ ଫେରୁଥିବା ବେଳେ ସମୟରେ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ତାଙ୍କ ସହପାଠୀ ଭୀଷ୍ମଗିରି ଗ୍ରାମର ସରୋଜ ପାତ୍ର ଏବଂ ଅଭିଯୁକ୍ତ ସୋନୁ ତାଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ।ସେ ଏହାର ପ୍ରତିବାଦ କରିବାରୁ ଦୁଇ ଅଭିଯୁକ୍ତ ମିଶି ସାଇପ୍ରସାଦଙ୍କୁ ନିସ୍ତୁକ ମାଡ ମାରିବା ସହ ତଳେ ପକାଇ ତଣ୍ଟି ଚିପି ହତ୍ଯାଉଦ୍ଯମ କରିଥିଲେ।ସାଇ ଙ୍କ ଚିତ୍କାର ଶୁଣି ଅନ୍ୟ ଛାତ୍ର ମାନେ ସଂଘବଦ୍ଧ ହୋଇ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଦୁଇ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲେ।ଏହାପରେ ସାଇପ୍ରସାଦ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ପହଞ୍ଚି ଚିକିତ୍ସିତ ହେବାପରେ ଘରକୁ ଫେରିଥିଲେ।ପୁଣି ସନ୍ଧ୍ୟାରେ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ସରୋଜ ସାଇ ପ୍ରସାଦ ଙ୍କ ଘରେ ପହଞ୍ଚି ତାଙ୍କୁ ଖୋଜିବା ସହ ତାଙ୍କ ଅନୁପସ୍ଥିତି ରେ ତାଙ୍କ ବାପା ପ୍ରଦୀପ କୁମାର ପଣ୍ଡା ଙ୍କୁ ଗାଳି ଗୁଲଜ କରି ଧମକ ଦେଇଥିଲେ। ଏନେଇ ସାଇ ପ୍ରସାଦ ଥାନାରେ ଏତଲା ଦେବା ପରେ ଆଇ ଆଇ ସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଗତ ୪ ଦିନ ପୂର୍ବେ ସାଇ ପ୍ରସାଦ ଙ୍କ ଅନ୍ତରଙ୍ଗ ସାଙ୍ଗ ତୋଫାନ ପାତ୍ର ଏବଂ ସରୋଜ ଙ୍କ ମଧ୍ୟରେ କଲେଜ ପରିସରରେ କୌଣସି କଥା କୁ ନେଇ ଗଣ୍ଡଗୋଳ ହୋଇଥିଲା। ପରେ କିଛି ଛାତ୍ର ଙ୍କ ଉପସ୍ଥିତିରେ ସମାଧାନ କରାଯାଇଥିଲା। କିନ୍ତୁ ଏଥିରେ ଉତ୍ତେଜିତ ହୋଇ ସରୋଜ ତାଙ୍କ ସାଙ୍ଗ ଅଣଛାତ୍ର ସୋନୁ ଙ୍କୁ ଡ଼କାଇ ତାଙ୍କୁ ମାଡ଼ ମାରିଥିବା ଏତଲା ରେ ଉଲ୍ଲେଖ ରହିଛି। ତଦନ୍ତକାରୀ ଅଧିକାରୀ ଏଏସଆଇ ନିଗମ ଚନ୍ଦ୍ର ପ୍ରଧାନ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମାମଲା ରେ ସମ୍ପୃକ୍ତ ଥିବା ଅନ୍ୟତମ ଅଭିଯୁକ୍ତ ସରୋଜ ଫେରାର ଥିବା ଜଣାପଡିଛି।


