ପାରିବାରିକ ଅଶାନ୍ତି ରୁ ଯୁବକଙ୍କ ଆତ୍ମହତ୍ୟା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ତୁରୁବୁଡିଆ ମାର୍କେଟ କମ୍ପ୍ଲେକ୍ସ ଓ ଲଜିଂ ର ଏକ କୋଠରୀ ରୁ ଶୁକ୍ରବାର ସକାଳେ ଜଣେ ଯୁବକ ଙ୍କ ଶବ ଉଦ୍ଧାର କରାଯାଇଛି। ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଦିଗପହଣ୍ଡି ପନ୍ଦରା ସାହି ର ମିଟୁ ଓରଫ ନିଗମ ପ୍ରସାଦ ପାଣିଗ୍ରାହୀ। ଦିଗପହଣ୍ଡି ପୋଲିସ ଶବ ଜବତକରି ଥାନା ଅପମୃତ୍ୟୁ ମାମଲା ନଂ.୧୪/୨୪ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ।ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ନିଗମ ପ୍ରସାଦ ପେସାରେ ଜଣେ ଗାଡି ଚାଳକ।ସେ ବହୁ ବର୍ଷ ହେଲା ବ୍ରହ୍ମପୁର ବଡ଼ ଖେମୁଣ୍ଡି ସାହି ର ଏକ ଭଡ଼ା ଘରେ ପରିବାର ସହ ରହୁଥିଲେ। କିଛି ବର୍ଷ ପୂର୍ବେ ତାଙ୍କ ଏକମାତ୍ର ପୁତ୍ର କ୍ୟାନ୍ସର ରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ। ପରେ ପାରିବାରିକ ଅଶାନ୍ତି ରୁ ସ୍ତ୍ରୀ ଓ ଝିଅ ବହୁ ବର୍ଷ ହେଲା ବେଙ୍ଗାଲୁର ରେ ରହୁଛନ୍ତି। ନିଗମ ପ୍ରସାଦ ଗତ କିଛିଦିନ ହେଲା ବ୍ରହ୍ମପୁର ରୁ ଦିଗପହଣ୍ଡି ଆସି ପୁଞ୍ଜିକଂୟା ଛକ ନିକଟ ଏକ ହୋଟେଲରେ କାମ କରୁଥିଲେ।ପାରିବାରିକ ଅଶାନ୍ତି ରୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୋଲିସ କହିଛି।


