ଖେମୁଣ୍ଡି ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମଶିବିର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଦିଗପହଣ୍ଡି ବ୍ଲକ ଖେମୁଣ୍ଡି ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଶନିବାର ଦିନ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଣୀତ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିର କାର୍ଯ୍ୟକ୍ରମରେ ଦିଗପହଣ୍ଡି ଥାନା ମହିଳା ଏସ୍ ଆଇ ଏ . ସ୍ବର୍ଣ୍ଣଲତା ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜଳନ କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟ ଉପାଧ୍ୟକ୍ଷ ଅନୂପ କୁମାର ମିଶ୍ର , ଇଂରାଜୀ ବିଭାଗ ଅଧ୍ୟାପକ ହର୍ଷ ଚନ୍ଦ୍ର ରଥ , ଇତିହାସ ବିଭାଗ ଅଧ୍ୟାପିକା ସିଏଚ୍ . ଶାନ୍ତା କୁମାରୀ , ଓଡ଼ିଆ ବିଭାଗ ଅଧ୍ୟାପିକା ପୁଷ୍ପଲତା ସାହୁ , ଆଇ ଟି ବିଭାଗ ଅଧ୍ୟାପିକା ସରୀତା ନାହାକ ସମ୍ମାନୀୟ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ଏହି ପରିପ୍ରେକ୍ଷୀରେ ମଞ୍ଚାସୀନ ଅତିଥି ଗଣ ସମାଜରେ ନାରୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର , ନିର୍ଯ୍ୟାତନାକୁ ଦୂର କରିବା ଆତ୍ମନିର୍ଭରଶୀଳ ହୋଇ ଆସୁଥିବା ସମସ୍ୟା କୁ ମୁକାବିଲା କରିପାରିବେ ସେଥିପାଇଁ ଆଜିକାଲି ଏହି ଆତ୍ମ ସୁରକ୍ଷା କୌଶଳ ହାସଲ କରିବା ନିତାନ୍ତ ଜରୁରୀ ବୋଲି ପ୍ରତିକ୍ରିୟା ରଖିଥିଲେ । ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷିକା ଜସମିନ ସାହୁ ଓ ରୀନା ପ୍ରଧାନ ଉପସ୍ଥିତ ଛାତ୍ରୀମାନଙ୍କୁ ସୂଚାରୁରୂପେ ତାଲିମ ଦେଇଥିବା ବେଳେ ଏହି ତାଲିମ ଶିବିର ୮ ଦିନ ଧରି ଚାଲିବ ବୋଲି କହିଛନ୍ତି । ଏହି ଶିବିରରେ ଯୁକ୍ତ ଦୁଇ ବର୍ଷର ୧୫୦ ଜଣ ଛାତ୍ରୀ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ । ଶେଷରେ ଓଡ଼ିଆ ବିଭାଗ ଅଧ୍ୟାପିକା ନିର୍ମଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରନକୁ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।