ଖୋଲା ଆକାଶ ଚାଲିଛି ଅଙ୍ଗନବାଡି
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ଗୋଟିଏ ପଟେ ବର୍ଷବର୍ଷ ଧରି ଖୋଲା ଆକାଶ ତଳେ ଅଙ୍ଗନବାଡି କେନ୍ଦ୍ର ଚାଲିଥିବାବେଳେ ସେ ଗୁଡିକରେ କିପରି ଗୃହ ନିର୍ମାଣ ହେବ ସେନେଇ କୌଣସି ପଦକ୍ଷେପ ନିଆଯାଉ ନଥିବାବେଳେ ଅଙ୍ଗନବାଡି ନଥିବା ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହେଉଛି ତ ଓ ଆଉ କେତେକ ସ୍ଥାନରେ ପୁର୍ବରୁ ଅଙ୍ଗନବାଡି ଘର ଥାଇବି ଆଉ ଗୋଟିଏ ଗୋଟିଏ ଘର ନିର୍ମାଣ କରାଯାଉଛି । ଯାହାକୁ ନେଇ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହାଟଡିହି ବ୍ଲକରେ ୨୧୯ଟି ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ୫୦ଭାଗ କେନ୍ଦ୍ରର ଘର ନଥିବାବେଳେ କେଉଁଠି ସ୍କୁଲ ବାରଣ୍ଡାରେ ତ ଆଉ କେଉଁଠି କର୍ମୀଙ୍କ ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ବ୍ଲକର ଧନୁର୍ଜୟପୁର ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ହୋଇପାରିଲାନି । ଏହି ପଞ୍ଚାୟତରେ ୫ଟି ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ଗୋଟିକର ବି ନିଜସ୍ୱ ଘର ନାହିଁ । ଧନୁର୍ଜୟପୁର ଅଙ୍ଗନବାଡି କେନ୍ଦ୍ରଟି କର୍ମୀଙ୍କ ଘରେ ଚାଲୁଥିବାବେଳେ ବାରଣ୍ଡାରେ ବସି ଛୁଆମାନେ ପାଠ ପଢୁଥିବାବେଳେ ଖୋଲା ଆକାଶ ତଳେ ବସି ଖାଉଥିବାର ଦେଖିବାକୁ ମିଳିଛି । ଏଠାକାର ଗ୍ରାମବାସୀ, ମାତୃକମିଟି ଓ ଅଙ୍ଗନବାଡି କର୍ମୀ ବାରମ୍ବାର କେନ୍ଦ୍ରର ନିଜସ୍ୱ ଗୃହଟିଏ ଯୋଗାଇ ଦେବାକୁ ଦାବି କରି ଆସୁଥିଲେବି କେହି ଶୁଣୁ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେହିପରି ନୁଆରଗୁଡି ଅଙ୍ଗନବାଡି କେନ୍ଦ୍ରଟି ନୁଆରଗୁଡି ସ୍କୁଲର ଏକ ପରିତ୍ୟକ୍ତ ଘରେ ଚାଲୁଥିବାବେଳେ ଏଠାକୁ ଘରଟିଏ ଯୋଗାଇ ଦିଆଯାଇ ନାହିଁ । ପିଲାମାନେ ଭଙ୍ଗା ଆଜବେଷ୍ଟସ ଘରେ ବସି ଶିକ୍ଷାଲାଭ କରୁଛନ୍ତି । ସେହିପରି ବ୍ଲକର ଅନେକ ପଞ୍ଚାୟତରେ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନଥିବାରୁ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଏମଏଫ ଯୋଜନାରେ ଗତ ୨୦୧୮/୧୯ରେ ବ୍ଲକକୁ ୨୫ଟି ଅଙ୍ଗନବାଡି ଘର ଯୋଗାଇ ଦେଇଛନ୍ତି । ଯେଉଁଥିରେ କି ୧୨ଟି ଅଙ୍ଗନବାଡି ନଥିବା ଗାଁରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଚାଲିଥିବାବେଳେ ୩ଟି କେନ୍ଦ୍ରରେ ପୁର୍ବରୁ ଅଙ୍ଗନବାଡି ଘର ଥାଇବି ପୁନର୍ବାର ସେଠାରେ ଆଉ ଅଧିକ କରି ଗୋଟିଏ ଗୋଟିଏ ଘର ନିର୍ମାଣ କରାଯାଉଛି । ଯାହା ଫଳରେ ସରକାରଙ୍କ ଏହି ସରକାରୀ ଅନୁଦାନ ପାଣିରେ ପଡିବା ସଦୃଷ ହୋଇଛି । ଢ଼େଙ୍କା ପଞ୍ଚାୟତର ସୁନ୍ଦରପୁର ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବାବେଳେ ଏହି ଗାଁରେ ଏବେ ଅଙ୍ଗନବାଡି ଘର ନିର୍ମାଣ ଚାଲିଛି । ଅତି ଚତୁରତାର ସହ କଣିଆରୀ ଅଙ୍ଗନବାଡି କେନ୍ଦ୍ର ବୋଲି ନାମ ଫଳକରେ ଲେଖା ଯାଇଛି । କିନ୍ତୁ କଣିଆରୀ କେନ୍ଦ୍ରରେ ଅଙ୍ଗନବାଡି ଘର ପୁର୍ବରୁ ଅଛି ଓ ସେଠାରେ ପିଲାମାନେ ଶିକ୍ଷାଦାନ କରୁଛନ୍ତି । ସେହିପରି ଢ଼େଙ୍କା ପଞ୍ଚାୟତର ଧରମପୁର ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବାବେଳେ ସେଠାରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଅନୁଦାନ ଆସିଛି । ଏଠାରେ ଧରମପୁର-ତେନ୍ତୁଲିପଦି ନାମରେ ଏକ ଅଙ୍ଗନବାଡି ଥିବାବେଳେ ଏକ ସଙ୍ଗରେ ଦୁଇଟି ଗୃହ ନିର୍ମାଣ ପାଇଁ ଅନୁଦାନ ଆସିଥିବା ଜଣାଯାଇଛି । ସେହିପରି ବଡ ଆମ୍ବଗଡିଆ ଗାଁରେ ଅଙ୍ଗନବାଡି କେନ୍ଦ୍ର ନଥିବାବେଳେ ସେଠାରେ କେନ୍ଦ୍ର ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଛି । ସେହିପରି ସୋସୋ ପଞ୍ଚାୟତର ଅଁଳାଗଡିଆ, ବାଲିଆ, ଭଅଁରପୁର, ଭଡରାଗଡିଆ, କଖାରୁଗଡିଆ, ପଢ଼ିଆରିପଲ୍ଲି ପଞ୍ଚାୟତର ଝୁଣାବାଡି, କେ ବାଲିପଳ ପଞ୍ଚାୟତର ସଜନାପାଳ, ପନ୍ଦାଡୋ ପଞ୍ଚାୟତର କଣ୍ଟିଗଡିଆ, ସଢ଼ା ପଞ୍ଚାୟତର ରଘୁନାଥପୁର, ବରଗଡିଆ ପ୍ରଭୃତି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବାବେଳେ ଏଠାରେ ଗୃହ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଛି । ଏହି ଅଙ୍ଗନବାଡି କେନ୍ଦ୍ର ନିର୍ମାଣର କାର୍ଯ୍ୟାଦେଶ ବ୍ଲକର କନିଷ୍ଠଯନ୍ତ୍ରୀଙ୍କ ନାମରେ ଥିବାବେଳେ କାହିଁକି ଏହକୁ ତଦାରଖ କରାଗଲା ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଡିଏମଏଫ ଫଣ୍ଡ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଥିବାବେଳେ କିପରି ଖାମଖିଆଲି ଭାବେ ଏପରି କାର୍ଯ୍ୟାଦେଶ ଦିଆଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତତ୍କାଳୀନ ବିଡିଓ ନିଜେ ଗାଁ ଗାଁ ବୁଲି ପ୍ରକଳ୍ପ ଅନୁମୋଦନ କରାଉଥିବାବେଳେ ଏପରି କିପରି ହେଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅଙ୍ଗନବାଡି ଥିବା କେନ୍ଦ୍ରରେ ଘର ନିର୍ମାଣ କରାଇ ପାରୁନଥିବାବେଳେ ଅଙ୍ଗନବାଡି ନଥିବା ଗାଁରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହେବା ହାସ୍ୟାଷ୍ପଦ କଥା ଓ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ ଦାବି କରିଛନ୍ତି । ଏ ବାବଦରେ ସିଡିପିଓ ସରସ୍ୱତୀ ସେଠୀଙ୍କୁ ପଚାରିବାରେ ସେ ଅଭିଯୋଗର ସତ୍ୟତା ଥିବା କହିବା ସହ ନୁଆକରି କାର୍ଯ୍ୟରେ ଯୋଗଦେଇ ଥିବାରୁ ସେ କିପରି ଏହି ପ୍ରୋଜେକ୍ଟ ଦେଲା ସେ ଜାଣି ନାହାନ୍ତି ବୋଲି କହିଥିଲେ । ସେହିପରି ବ୍ଲକ ସହକାରୀ ଯନ୍ତ୍ରୀ ସୁକାନ୍ତ ନାୟକଙ୍କୁ ପଚାରିବାରେ ସେ ମଧ୍ୟ ଏପରି ହୋଇଥିବା ସମ୍ପର୍କରେ ଜାଣି ନଥିବା କହିଛନ୍ତି ।