ଖୋଲା ଖୋଲି କୋଭିଡ ନିୟମ ଉଲଘଂନ
ନାଉଗାଁ,(ଓ୍ବାଇଏନ୍ଏସ୍):କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମକୁ ଜିଲ୍ଲାସ୍ତରରେ ଜିଲ୍ଲା ପ୍ରଶସାନ ଓ ବ୍ଳକ ସ୍ତରରେ ବ୍ଳକ ପ୍ରଶାସନ କଡାକଡି ତଦାରଖ ସହିତ ନିୟମ ଉଲଘଂନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉଛି । କିନ୍ତୁ ନାଉଗାଁ ବ୍ଳକରେ କୋଭିଡ ନିୟମ ଉଲଘଂନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାନଯିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହି ବ୍ଳକ ଜାମୁଗାଁ ରାଜସ୍ୱ ନିରୀକ୍ଷକ ଅଧିନ ମୁଗେଇ ଛକ ନିକଟରେ ଏକ ଜଳଖିଆ ଦୋକାନ ଖୋଲାଖୋଲି ଭାବେ କୋଭିଡ ନିୟକୁ ଉଲଘଂନ କରି ମନଇଚ୍ଛା ସବୁବେଳେ ଏହି ଜଳଖିଆ ଦୋକାନ ଖୋଲା ରଖୁଥିଲା । ତହସିଲ ପକ୍ଷରୁ ଉକ୍ତ ଦୋକାନକୁ ବନ୍ଦ କରିବା ପାଇଁ ବାରମ୍ବାର ତାଗିଦ କରାଯାଇଥିଲା । ହେଲେ ଉକ୍ତ ଦୋକାନୀ ତହସିଲଦାରଙ୍କୁ ଭୂକ୍ଷେପ ନକରି ଦୋକାନ ଖୋଲା ରଖିଥିଲେ । ଫଳରେ ଉକ୍ତ ଦେକାନୀକୁ ସିଲ କରିବା ପାଇଁ ତହସିଲ ପକ୍ଷରୁ ଥାନାଧିକାରୀଙ୍କ ନିକଟକୁ ଚିଠି କରାଯାଇଥିଲା । ଉକ୍ତ ଚିଠି ଉପରେ ଥାନାଧିକାରୀ କାର୍ଯ୍ୟାନୁଷ୍ଠାନ ନ ନେବାରୁ ପୂର୍ଣ୍ଣବାର ତହସିଲ ପକ୍ଷରୁ ଥାନାଧିକାରୀଙ୍କ ଚିଠି କରାଯାଇଛି । କିନ୍ତୁ ଥାନାଧିକାରି ଉକ୍ତ ଚିଠିକୁ ଗୁରୁତର ସହ ନେଉ ନାହାନ୍ତି । ଏପରିକି ଏକ ଜଳଖିଆ ଦୋକାନକୁ ସିଲ କରିବା ପାଇଁ ସ୍ଥାନୀୟ ମାଜିଷ୍ଟ୍ରଟ ତଥା ତହସିଲଦାର ଦୁଇ ଥର ଚିଠି କଲେ ମଧ୍ୟ ଥାନାଧିକାରୀ କାହିଁକି ଦୋକାନୀକୁ ଅନୁକମ୍ପା ଦେଖାଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉକ୍ତ ଜଳଖିଆ ଦୋକାନୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାରଙ୍କ ପ୍ରଥମ ଚିଠି ନଂ ୯୪୫/୧୮ ଜୁଲାଇ ୨୦୨୦ରେ ଥାନାଧିକାରୀଙ୍କୁ ପଠାଯାଇଥିବା ବେଳେ ୨ୟ ଚିଠି ନଂ ୧୦୫୦/୮ ଅଗଷ୍ଟ ୨୦୨୦ ପ୍ରଦାନ କରାଯାଇଛି । ୩୧ ଅଗଷ୍ଟ ୨୦୨୦ ମଧ୍ୟରେ ଉକ୍ତ ଦୋକାନକୁ ସିଲ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି । ଏହି ଚିଠିକୁ ନେଇ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ଟୁଇଟି ଯୋଗେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିବା ଜଣାଯାଇଛି । ଏବିଷୟରେ ଥାନାଧିକାରୀ ଗୋବର୍ଦ୍ଧନ ସାହୁଙ୍କ ମତାମତ ନେବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ ।