ଖୋଲିଲା ନବମ ଓ ଏକାଦଶ ଶ୍ରେଣୀ: ତୃତୀୟ ଲହରକୁ ନେଇ ବଢ଼ୁଛି ଆଶଙ୍କା
ବାଲେଶ୍ୱର, (ସରୋଜ ପଣ୍ଡା): ଦ୍ୱିତୀୟ ଲହର କରୋନା ପ୍ରକୋପ ହ୍ରାସ ପାଇବା ସହ ଦୀର୍ଘଦିନ ପରେ ଗତକାଲିଠାରୁ ଆରମ୍ଭ ହୋଇଛି ସମଗ୍ର ରାଜ୍ୟରେ ନବମ ଓ ଏକାଦଶ ଣ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା । ବାଲେଶ୍ୱର ସହର ସମେତ ଜିଲାର ୫ଶହରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସାନିଟାଇଜରରେ ହାତ ଧୋଇ ଫୁଲ ଦେଇ ସ୍ୱାଗତ କରାଯାଇଥିଲା । ଦୀର୍ଘଦିନ ପରେ ବିଦ୍ୟାଳୟକୁ ଆସିବା କାରଣରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଉଦ୍ଦୀପନା ପରିଲକ୍ଷିତ ହୋଇଥିଲା । ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ବେଳେ ଯେଭଳି ସତର୍କତା ଅବଲମ୍ବନ ହୋଇଥିଲା, ନବମ ଓ ଏକାଦଶ କ୍ଷେତ୍ରରେ ବି ଅନୁରୂପ ପଦକ୍ଷେପ ନିଆଯାଇଥିବା ଲକ୍ଷ୍ୟ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ଓ ଶକ୍ଷକ ଶିକ୍ଷୟିତ୍ରୀ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ସଙ୍ଗକୁ ଶ୍ରେଣୀ ଗୃହ ବିଶୋଧନ କରିରବା ଯାବତୀୟ ସତର୍କତାପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା । ଏମିତିକି ପିଲାଙ୍କୁ ସ୍କୁଲ ପଠାଇବା ପାଇଁ ଅଭିଭାବକମାନେ ଲିଖିତ ଆକାରରେ ସମ୍ମତିପତ୍ର ବି ଦେଇଥିଲେ । ଏହା ସତ୍ତ୍ୱେ ସବୁ ମହଲରେ ଦ୍ୱନ୍ଦ୍ୱ ପ୍ରକାଶ ପାଇଛି । ଅନ୍ୟାନ୍ୟ ରାଜ୍ୟରେ ତୃତୀୟ ଲହର କରୋନା ସକ୍ରମଣ କ୍ରମଶଃ ବୃଦ୍ଧି ପାଇବା ଓ ବିଶେଷ କରି ୧୮ ବର୍ଷରୁ କମ କୈଶୋର ଓ ଶିଶୁ ଏଥିରେ ଅଧିକମାତ୍ରାରେ ଆକ୍ରାନ୍ତ ହେବା ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ତେବେ ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳ ସେନ ଜଗଦ୍ଦେବଙ୍କୁ ପଚାରିବାରୁ ସେ ପ୍ରସଙ୍ଗର ଗୁରୁତ୍ୱକୁ ହୃଦବୋଧ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ମହାମାରୀ କରୋନା ସମଗ୍ର ବିଶ୍ୱ ପାଇଁ ବିପଦ ହୋଇଛି ବୋଲି ସେ କହିଥିଲେ । କରୋନା ମଧ୍ୟରେ ଆମକୁ ସମସ୍ତ କାର୍ଯ୍ୟ କରିବାକୁ ପଡ଼ିବ । କରୋନା ପାଇଁ ପିଲାଙ୍କ ପାଠପଢ଼ା ତ ଆଉ ବନ୍ଦ କରାଯାଇ ନପାରେ । ତେବେ ଏନେଇ ଅଧିକରୁ ଅଧିକ ସତର୍କତା ଅବଲମ୍ବନ ନିତ୍ୟାନ୍ତ ଜରୁରୀ ବୋଲି ସିଡିଏମଓ ଡାକ୍ତର ଜଗଦ୍ଦେବ କହିଥିଲେ । କେବଳ ବିଦ୍ୟାଳୟ ନୁହେଁ ଘରେ ମଧ୍ୟ ବାପା ମାଆ ଓ ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ବିଶେଷ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ ।