ଖୋ ଖୋ ରାଜ୍ୟ ଚମ୍ପିୟନ ବାଲେଶ୍ୱର ଟିମକୁ ସମ୍ବର୍ଦ୍ଧିତ କଲେ ଜିଲାପାଳ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ଚମ୍ପିୟନ ପୁରୁଷ ଦଳ ଓ ରନର୍ସ ଅପ ମହିଳା ଦଳକୁ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଗୁରୁବାର ସମ୍ବର୍ଦ୍ଧିତ କରିଛନ୍ତି । ଗତ ୧୩ ରୁ ୧୫ ତାରିଖ ମଧ୍ୟରେ ପୁରୀରେ ଅନୁଷ୍ଠିତ ୫୫ତମ ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିଆନସିପର ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ବାଲେଶ୍ୱର ପୁରୁଷ ଦଳ ଭୁବନେଶ୍ୱରର କିଟସ ଦଳକୁ ହରାଇ ଚମ୍ପିଆନ ହୋଇଥିବା ବେଳେ ମହିଳା ଦଳ କିଟ୍ସ ଠାରୁ ମାତ୍ର ୧ ପଏଣ୍ଟରେ ହାରି ରନର୍ସ ଅପର ମାନ୍ୟତା ପାଇଛନ୍ତି । ଏନେଇ ବାଲେଶ୍ୱରର ଚମ୍ପିୟନ ପୁରୁଷ ଦଳକୁ ୧୦ ହଜାର ଓ ମହିଳା ରନର୍ସ ଅପ ଦଳକୁ ୭ ହଜାର ଟଙ୍କାର ପୁରସ୍କାର ମିଳଛି । ଏହି ଖେଳାଳିମାନେ ମହାରାଷ୍ଟ୍ରର ଓସମାନବାଦରେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଜାତୀୟ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉଭୟ ପୁରୁଷ ଓ ମହିଳା କୃତୀ ଖେଳାଳିଙ୍କୁ ଜିଲାପାଳ ଶ୍ରୀ ଶିନ୍ଦେ ତାଙ୍କ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି । ଏମିତିକି ଆଗାମୀ ଦିନରେ ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିୟନସିପ୍ ବାଲେଶ୍ୱରରେ ଆୟୋଜନ ପାଇଁ ଜିଲାପାଳ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ସମ୍ବର୍ଦ୍ଧନା ବେଳେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଭାରତୀୟ ପ୍ରଶାସନିକ ସେବାର ପ୍ରବେଶନର କୀରଣ ଦୀପ କୌର ସହତା, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ପୁରୁଷ ଦଳ ମ୍ୟାନେଜର ନିତ୍ୟ ନୂତନ ଦେ, ପୁରୁଷ ଦଳ କୋଚ ମଳୟ ରଂଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଜିଲା କ୍ରୀଡ଼ା ସଂଘ ପକ୍ଷରୁ ପରମିଟ ପଡ଼ିଆରେ କୃତୀ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର କାର୍ଯ୍ୟକାରୀ ସଭାପତି ଅଧିପ ଦାସ, ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ତଥା ଅନ୍ୟାନ୍ୟ କର୍ମକର୍ତ୍ତାମାନେ ପ୍ରଶିକ୍ଷକ ଶ୍ରୀ ବେହେରା ଓ ଖେଳାଳିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଉପ-ସଭାପତି ବୀରେନ୍ଦ୍ର କୁମାର ସ୍ୱାଇଁ, ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ନାୟକ, ସଞ୍ଜୟ କୁମାର ଲେଙ୍କା, ପ୍ରଦୀପ କୁମାର ଦାସ, ଜଗଦୀଶ ବେହେରା, ନିମାଇ ଚରଣ ରାଉତରାୟ, ଅଜିତ କୁମାର ପାତ୍ର, କଳ୍ପଲତା ରଥ ପ୍ରମୁଖ କ୍ରୀଡ଼ା ସଂଘ କର୍ମକର୍ତ୍ତାମାନେ ଏଥିରେ ଉପସ୍ଥିତ ଥିଲେ ।


