ଗଂଜାମ ଜିଲ୍ଲାର ରଥଟଣା ହେବ ନାହିଁ

ଛତ୍ରପୁର (ଓ୍ବାଇଏନ୍ଏସ୍) : ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ମାନଙ୍କୁ ଆଗାମୀ କାଲି ଅନୁଷ୍ଠିତ ହେବାକୁଥିବା ରଥଯାତ୍ରା ଅନୁଷ୍ଠିତ ନକରିବା ପାଇଁ ଜଣାଇ ଥିଲେ । ଏହି କାର୍ଯ୍ୟ ଯେପରି କଡାକଡି ଭାବେ ପାଳନ ହେବ ସେଥି ନିମନ୍ତେ ନଜର ରଖିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ବିଦ୍ୟୁତ୍ ସରବରାହ ବନ୍ଦ ନ କରିବାପାଇଁ ବିଦ୍ୟୁତ୍ ବିଭାଗକୁ ଜଣାଇ ଦିଆଯାଇଅଛି । ଯଦ୍ବାରା ସମସ୍ତ ଜନ ସାଧାରଣ ନିଜ ଘରେ ରହି ପୁରୀ ଠାରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାକୁ ଟିଭି ମାଧ୍ୟମରେ ଭପଭୋଗ କରିପାରିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରାପ୍ତ କୋଭିଡ୍ ର ବ୍ୟାପକତାକୁ ରୋକିବା ନିମନ୍ତେ ହୋଇଥିବା ନିର୍ଦ୍ଦେଶ ପ୍ରକାରେ ଜିଲ୍ଲାର ସମସ୍ତ ଅଞ୍ଚଳରେ ଲାଗୁ କରିବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଘରକୁ ଘର ବୁଲି ସଚେତନକତା କାର୍ଯ୍ୟକୁ ବ୍ୟାପକ କରିବା ସହିତ ପରିବାରର ସମସ୍ତଙ୍କର ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ । କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କର ପରୀକ୍ଷା କରିବା ଏବଂ ସେମାନଙ୍କର କରୋନା ଚିହ୍ନଟ ହେଲେ କୋଭିଡ୍ କେୟାର ସେଣ୍ଟରରେ ରଖିବା ବ୍ୟବସ୍ଥାକୁ ଗୁରୁତ୍ବ ଦେବାକୁ କହିଥିଲେ, ଏବଂ ସେମାନଙ୍କୁ ସାଧାରଣ ଚିକିତ୍ସାଳୟକୁ ଯିବା ପାଇଁ ବାରଣ କରି ସେମାନଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ନେବାକୁ ଜଣାଇଥିଲେ । ସମସ୍ତ ରୋଗୀ ମାନଙ୍କର ମୋବାଇଲ୍ ନମ୍ବର ରଖି ସମୟାନ୍ତରରେ ତାଙ୍କ ଖବର ପଚାରି ବୁଝିବାକୁ ଜଣାଇଥିଲେ । ବାହାରୁ ଆସିଥିବା ବ୍ୟକ୍ତି ବିଶେଷଙ୍କର ପଞ୍ଜିକରଣ କରି ସେମାନଙ୍କ ପ୍ରତି ନଜର ରଖିବାକୁ ମଧ୍ୟ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ପ୍ରତି ଗ୍ରାମପଞ୍ଚାୟତରେ ୧୦ ଗୋଟି କୋଭିଡ୍ କେୟାର ହୋମ୍ ଗଠନ କରିବାପାଇଁ ଜଣାଇଥିଲେ ଯାହା ଫଳରେ ଆସନ୍ତା ଦିନ ମାନଙ୍କରେ କୌଣସି ଅସୁବିଧା ଦେଖାଯିବ ନାହିଁ । ଗ୍ରାମପଞ୍ଚାୟତ ସ୍ତରରେ ରହିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକର ସମୀକ୍ଷା କରିବାକୁ ପ୍ରବର୍ତ୍ତାଇ ଥିଲେ । ସରପଞ୍ଚ ମାନଙ୍କ ସହିତ ଯୋଗାଯୋଗ କରି ନୂତନ କ୍ଲଷ୍ଟର ଲେବଲ୍ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଗଠନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ, ଯଦ୍ବାରା ଆଗରୁ ଚାଲୁଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକୁ ବନ୍ଦ କରି ନୂତନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯିବ । ପ୍ରବାସୀ ନିର୍ମାଣ ଶ୍ରମିକ ମାନଙ୍କର ସ୍କିଲ୍ ମ୍ୟାପିଂ କରିବାକୁ ସୂଚାଇଥିଲେ । ଘରକୁ ଘର ବୁଲି ଶତକଡା ୧୦୦ ପ୍ରତିଶତ ଜବ୍ କାର୍ଡ ଦିଆଯାଇ ସେମାନଙ୍କୁ କର୍ମନିଯୁକ୍ତି ଦେବାପାଇଁ ପରାମର୍ଶ ଦେଇଥିଲେ । କୌଣସି ସ୍ଥାନରେ ଜନ ଗହଳି ନ କରିବା ପାଇଁ ଜଣାଇଥିଲେ । ଆବଶ୍ୟକ ସ୍ଥଳେ ୧୪୪ ଧାରା ଜାରି କରିବାକୁ ହେବ । ଜିଲ୍ଲାବାସୀଙ୍କ ନିମନ୍ତେ ଯେପରି ଶୁଦ୍ଧ ପାନୀୟ ଜଳ ମିଳିପାରିବ ସେଥି ନିମନ୍ତେ ସମସ୍ତ ଆଶୁ ବ୍ୟବସ୍ଥା କରିବାପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ଯାହା ଫଳରେ ବର୍ଷା ଜନିତ ରୋଗ ସଂକ୍ରମଣକୁ ରୋକାଯାଇପାରିବ । ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା, ଆମ ସ୍ବାସ୍ଥ୍ୟ ଆମ ଦାୟୀତ୍ବ ପ୍ରଶିକ୍ଷଣ, କୋଭିଡ୍ ସଚେତନତା,ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ, ବିହନ ଓ ସାରର ସୁଷମ ବଣ୍ଟନ ଇତ୍ୟାଦି ବିଷୟ ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ