ଗଂଜାମ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ , ନବନିର୍ବାଚିତ ବ୍ରହ୍ମପୁର ସାଂସଦ ଓଜିଲ୍ଲାର ବିଧାୟକ /ବିଧାୟିକାଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର,୬/୬ : ସ୍ଥାନୀୟ ଜିଲ୍ଲାପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି-୨୦୧୯ ବୈଠକ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନିଷ୍ଠିତ ହୋଇଥିଲ।। ସାମ୍ଭାବୀୟ ବିପର୍ଯ୍ୟୟ କୁ ସମ୍ମୁଖୀନ ହେବା ପୂର୍ବରୁ ଏହାର ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ସଜାଗ ହେବା ଏବଂ ବିପର୍ଯ୍ୟୟ ପରେ ଥଇଥାନ ପଦକ୍ଷେପକୁ ସଠିକ୍ ପରିଚାଳନା କରିବା ଉଦ୍ଦେଶ୍ୟରେ ତୃଣମୂଳସ୍ତରରୁ କାର୍ଯ୍ୟ ଖସଡା ପ୍ରସ୍ତୃତ କରିବାକୁ ଜିଲ୍ଲପାଳ ଶ୍ରୀ କୁଲାଙ୍ଗେ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିରୋକାଜୁଆଲଟି ଉପରେ ଗୁରୁତ୍ୱ ପ୍ରଦାବ କରିବା ସହ ପ୍ରତ୍ୟେକ କାର୍ଯ୍ୟାଳୟରେ ଅହରାତ୍ର ନିୟନ୍ତ୍ରଣ କକ୍ଷ ଖୋଲିବା ଏବଂ ଏହାର ସଠିକ ପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ନବନିର୍ବାଚିତ ବ୍ରହ୍ମପୁର ସାଂସଦ ଓ ନବନିର୍ବାଚିତ ବିଧାୟକ/ବିଧାୟିକା ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାବ କରି ଜିଲ୍ଲାପାଳ ସ୍ୱାଗତ ଜଣାଇଥିଲେ । ଏହିକ୍ରମରେ ଜିଲ୍ଲାରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଦୁର୍ବଳ ସ୍ଥିତିରେ ଥିବା ସ୍ଥାନ ,ଅଂଚଳ ଆଦିର ଯୁଗ୍ମ ପରିଦର୍ଶନ କରି ସଂପୃକ୍ତ ବିଭାଗକୁ ଅବଗତ କରିବାକୁ ବିଡିଓ ଏବଂ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବା ସଂଗେ ସଂଗେ ତୁରନ୍ତ ତାର ମରାମତି ପାଇଁ ଆବଶ୍ୟକ ସାମଗ୍ରୀ ଓ ସରଞ୍ଜାମ ସହିତ ପ୍ରସ୍ତୁତ ରହିବାକୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠା ବାଡି, କ୍ଷୁଦ୍ର ଜଳ ସେଚନ, ବିଦ୍ୟୁତ୍ ଏବଂ ସହରାଞ୍ଚଳ ପରିଷଦର ବିଭାଗୀୟ ଅଧିକାରୀ ମାନଙ୍କୁ ମଧ୍ୟ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଗତ ସାମୁଦ୍ରିକ ଝଡ ଫନି ସମୟରେ ଜିଲ୍ଲାର ସମସ୍ତ ବର୍ଗର କର୍ମଚାରୀ ଓ ଅଧିକାରୀ ମାନେ ଅହରହ ପରିଶ୍ରମ କରିଥିବା ରୁ ସମସ୍ତଙ୍କୁ ଧନ୍ୟବାଦ ଏହସହ ଫନି ବାତ୍ୟାରେ ପୂରୀ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ, ବିଦ୍ୟୁତ୍, ଜଳ ଓ ଯୋଗାଣସମେତ ବିଭିନ୍ନ ଲାଇନ ଡିପାଟମେଣ୍ଟ କର୍ମଚାରୀ ସେଠାକୁ ଯାଇ କାର୍ଯ୍ୟ ସୁତାରୁରୂପେ ଚଳାଉଥିବାରୁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ଏହାସହ ଫନି ବାତ୍ୟାରେ ରାଜ୍ୟର ବହୁ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ରୁ ଗଂଜାମ ଜିଲ୍ଲାପ୍ରଶାସନ ସହ ଯୋଗରେ ୭୧ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ପ୍ରଦାନ କରାଯାଇଥିବା ମଧ୍ୟ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସୂଚନା ଦେଇଥିଲେ । ଏହାସହ ଜିଲ୍ଲାର ବିଭିନ୍ନ ସଂଗଠନ , ସମାଜସେବୀ ମାନେ ମଧ୍ୟ ଆର୍ଥିକ ସହାୟାତା ପ୍ରଦାନ କରିଛନ୍ତି । ଏହାପରେ ଗଂଜାମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ବିଭିନ୍ନ ଲାଇନଡିପାଟମେଣ୍ଟ କଣ ସବୁ ବ୍ୟବସ୍ଥା ରହିଛି ତାହା ଉପରେ ଆଲୋକପାତ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ କହିଥିଲେ ଯେ ପ୍ରତ୍ୟେକ ବ୍ଲକରେ କଂଟ୍ରୋଲ ରୁମ ରହିବା ସହ ଜିଲ୍ଲାର ୪ଟି ସବଡିଭିଜନ ହେଡକ୍ୱାଟର ରେ କଂଟ୍ରୋଲ ରୁମ ଖୋଲାଯିବ ବୋଲି କହିଥିଲେ । ପ୍ରତ୍ୟେକ ହସ୍ପିଟାଲରେ ଆବଶ୍ୟକ ଅନୁଯାୟୀ ଔଷଧ ରଖାଯିବା ସହ ପ୍ରତ୍ୟେକ ଗାଁ କଲ୍ୟାଣ ସମିତି ବିପର୍ଯ୍ୟୟ ସମୟରେ ଏଥି ପାଇଁ କାମ କରିବାକୁ କହୁଯାଇଛି । ପଶୁ ସଂପଦ ବିଭାଗ ପକ୍ଷରୁ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ କହିଥିଲେ ଯେ ଜୁନ ୧୦ତାରିଖ ଏଥି ନିମନ୍ତେ କଂଟ୍ରୋଲ ରୁମ ଖୋଲିବା ନିମନ୍ତେ ପ୍ରସ୍ତୁତି କରାଯାଇଛି । କୃଷି ବିଭାଗ ପକ୍ଷରୁ ଚଳିତ ବର୍ଷ ୪୭ହଜାର କୁଇଣ୍ଟାଲ ଧାନ ବୀହନ ଯୋଗାଣ କରିବାକୁ ରଖାଯାଇଥିବା ସଂପୃକ୍ତ ବିଭାଗ ର ଅଧିକାରୀ କହିଥିଲେ । ତେବେ କାଳିଆ ଯୋଜନାର ଲେପ୍ଟଆଉଟ ଚାଷୀଙ୍କୁ ତୁରନ୍ତ ସେମାନଙ୍କ ପ୍ରାପ୍ୟ ଦେବାକୁ ଗୋପାଳ ବିଧାୟକ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ସେହିପରି ଫନିରେ ଲଙ୍କା ମରିଚ ଓ ବାଇଗଣ ଭଳି ଅର୍ଥନୈତିକ ଫସଲ କ୍ଷତି ହୋଇଥିଲେ ମଧ୍ୟ ତାକୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରିଥିଲେ । ବର୍ତ୍ତମାନ ଓଡିଆରପି ଗୃହ ସମୁଦ୍ର ତଟରୁ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଅଂଚଳବାସୀଙ୍କୁ ମିଳୁଥିବା ବେଳେ ତାକୁ ୧୦କିଲୋମିଟର ପର୍ଯ୍ୟନ୍ତ ଅଂଚଳକୁ ବଢାଇବା ନିମନ୍ତେ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ । ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ କହିଥିଲେ ଯେ ତିତିଲିରେ କ୍ଷତିଗ୍ରସ୍ତ ଆଖୁ ଚାଷୀ ମାନେ ଏପର୍ଯ୍ୟନ୍ତ କ୍ଷତି ପୂରଣ ପାଇନାହାଁନ୍ତି । ଜିଲ୍ଲାରେ ୭୭ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ତାର ନୂତନ କମିଟି କରିବାକୁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା କହିଥିଲେ । ଏହାସହ ଜିଲ୍ଲାରେ ବାରମ୍ବାର ବ୍ରଜପାତ ହେଉଥିବାରୁ ତାର ସୂଚନା ଏସଏଚଜି ମାଧ୍ୟମରେ ପ୍ରତ୍ୟେକ ଲୋକଙ୍କ ନିକଟରେ ପହଞ୍ଚାଇ ସଚେତନକରିବାକୁ କହିଥିଲେ । ଜଳ ଓ ପରିମଳ ବିଭାଗ ପକ୍ଷରୁ ବନ୍ୟା ଓ ବାତ୍ୟ ସମୟରେ ଜଳ ଯୋଗାଣ କୁ ବ୍ୟବସ୍ଥିତ କରାଯାଉଥିବା କୁହାଯାଇଛି । ଜିଲ୍ଲାରେ ୨୮ହଜାର ଟ୍ୟୁବଲ ଓ ୧୪୮୬ ଜଳ ଯୋଗାଣ ପ୍ରକଳ୍ପ ରହିଛି । ଆସନ୍ତା ଦିନ ମାନଙ୍କରେ ଜିଲ୍ଲାର ୨୭୯୭ ଗ୍ରାମରେ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ସମସ୍ତଙ୍କୁ ଜଳ ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ମାନେ କହିଥିଲେ । କ୍ଷୁଦ୍ରଜଳ ସେଚନ ବିଭାଗ ପକ୍ଷରୁ ବିଭିନ୍ନ ଡିଭିଜନରେ ବାଲି ବସ୍ତା, ଜେସିବି ମେସିନ , ଟ୍ରାକ୍ଟର ପ୍ରଭୃତି ରଖାଯାଇଥିବା କୁହାଯାଇଛି । ଏହା ସହ ବିଭାଗର ଅଧିକାରୀ ମାନେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁକାବିଲା କେଉଁ କେଉଁ ବ୍ୟବସ୍ଥା କରାଯିବ ତାହା ଉପରେ ସଂପୃକ୍ତ ବିଭାଗର ଅଧିକାରୀ ମାନେ ବୈଠକ ସୂଚନା ଦେଇଥିଲେ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କହିଥିଲେ ଯେ ଫନି ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପ୍ରଶଂସନୀୟ ବୋଲି କହିଥିଲେ । ଏସଏଜି ମାନଙ୍କ ସହ ବିଜୁ ଯୁବ ବାହିନୀ କୁ ମଧ୍ୟ ବାତ୍ୟା ମୁକାବିଲା ପାଇଁ ତାଲିମ ପ୍ରଦାନ କରିବାକୁ ଶ୍ରୀ ସାହୁ କହିଥିଲେ । ତାସହିତ ଭୂ-ତଳ ବିଦ୍ୟୁତ୍ ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଚିକିଟି ବିଧାୟିକ ତଥା ପୂର୍ବତନ ମନ୍ତ୍ରୀ ଉଷାଦେବୀ ପ୍ରାକୃତିକ ବପର୍ଯ୍ୟୟ ମୁକାବଲା ଯୋଜନା ବଦ୍ଧ ଭାବେ କରିବାକୁ ପରାମର୍ଶ ଦେଇଥିଲେ । ସୋନପୁର ମୂହାଣ ଗ୍ରାମରେ ବାତ୍ୟା ଅଶ୍ରୟସ୍ଥଳୀ ନିର୍ମାଣ କରିବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ବାଘୁଆନଦୀ ତଟ ଗ୍ରାମ ଗୁଡିକରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ବୈଠକରେ ଅନୁରୋଧ କରିଥିଲେ । କବିସୂର୍ଯ୍ୟନଗର ବିଧାୟିକ ଲତିକା ପ୍ରଧାନ ପଶୁ ମାନଙ୍କ ପାଇଁ ବନ୍ୟା / ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ବୈଠକରେ କହିଥିଲେ । ଫୁଲତୋଡା ବଦଳରେ ବୃକ୍ଷ ଚାରା ପ୍ରଦାନ କରିବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ । ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ମତ୍ସ୍ୟଜିବୀ ପରିବାରକୁ ଜିଲ୍ଲା ପ୍ରଶାସନ ଫନି ସମୟରେ ଗୁରୁତ୍ୱ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ । ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆପତ୍ତକାଳୀନ ପରିସ୍ଥିତି ପାଇଁ ଆଗରୁ ଆମକୁ ପ୍ରସ୍ତୁତ ରହିବା ଉଚିତ ବୋଲି କହିବାସହ ବନ୍ୟା ମୁକାବିଲା ପାଇଁ ଦୃଢ ପଦକ୍ଷେପ ନିଆଯାଉ ବୋଲି ସେକହିଥିଲେ । ଘୋଡାହାଡ ଓ ଋଷିକୂଲ୍ୟା ନଦୀର କୂଳହୁଡା ବାରମ୍ବାର ଭାଙ୍ଗୁଥିବାରୁ ସେଥି ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ । ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେବାକୁ କହିବାସହ ଝାଉଁ ପ୍ଲାଣ୍ଟେସନ ପାଇଁ ଗୁରୁତ୍ୱ ଦେବାକୁ କହିଥିଲେ । ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପଲିଥିନ୍ ଓ ମଈଳା ଗ୍ରାରବେଜ୍ କୁ ନଷ୍ଟ କରିବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କହିଥିଲେ । ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ବିଏମସି କମିଶନର ଚକ୍ରବର୍ତ୍ତି ସିଂ ରାଠୋର ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସଠିକ ଭାବେ ମୁକାବିଲା କରାଯାଇ ପାରିବ ସେଥି ନିମନ୍ତେ ଜିଲ୍ଲାସ୍ତରୀୟ ଅଧିକାରୀ ଧ୍ୟାନ ଦେବା ନିମନ୍ତେ କହିଥିଲେ । ଗଂଜାମ ଏସପି ବ୍ରିଜେଶ କୁମାର ରାଏ ଫନି ସମୟରେ ତାଙ୍କର ଅନୁଭୁତି ବର୍ଣ୍ଣାନା କରିଥିଲେ ଏବଂ ସମସ୍ତଙ୍କର ସହଯୋଗ ମିଳିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବନ୍ୟା / ବାତ୍ୟା ଆସିବା ପୂର୍ବରୁ ତଳିଆ ଅଂଚଳରେ ଭିଏଚଏଫ ମାଧ୍ୟମରେ ସୂଚନା ଦିଆଯିବ ।ତାସହିତ ବିପର୍ଯ୍ୟୟ ସମୟରେ ଆସ୍କାଲାଇଟ୍ ବ୍ୟବହାର କରାଯିବ । ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ । ଏହି ବୈଠକରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦେବରାଜ ପାତ୍ରଙ୍କ ସମେତ ବିଭିନ୍ନ ଲାଇନଡିପାଟମେଂଟର ଅଧିକାରୀ, ସମସ୍ତତହସିଲଦାର, ଏନଏସି ନିର୍ବାହୀ ଅଧିକାରୀ , ପୁଲିସ ଅଧିକାରୀଙ୍କ ସମେତ ବହୁ ଜିଲ୍ଲାସ୍ତରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ