ଗଂଜାମ ଜିଲ୍ଲା ଶିକ୍ଷା ବିଭାଗର ସମୀକ୍ଷା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିକ୍ଷା ବିଭାଗର ସାଥ୍ ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଅଧ୍ୟକ୍ଷତା କରି ଜିଲ୍ଲାର ପ୍ରତ୍ୟେକ ସ୍କୁଲରେ ପୃଷ୍ଟିସାର ଜାତୀୟ ବଗିଚା କରିବାକୁ ବାଧ୍ୟତା କହିଛନ୍ତି । ଛାତ୍ରଛାତ୍ରୀଙ୍କ ନିମନ୍ତେ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର କ୍ୱାଲିଟ୍ ପ୍ରତି ଧ୍ୟାନ ଦିଆଯିବ । ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ଗଣାତ୍ମକ ଶିକ୍ଷା ସହ ବିଦ୍ୟାଳୟ ଗୁଡିକର ପରିପାଶ୍ୱର୍ର ବିକାଶ ଦିଗରେ ପଦକ୍ଷେପ ନିଆଯିବ । ଅଦ୍ୟାବଧି ଜିଲ୍ଲାର ୧୮୭୦ ଟି ସ୍କୁଲରେ ବିଜୁଳି ବ୍ୟବସ୍ଥା ନାହିଁ । ଅତି ଶୀଘ୍ର ବିଦ୍ୟାଳୟ ଗୁଡିକୁ ବିଜୁଳି ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବ । ସେହିପରି ବାକି ରହିଥିବା ୫ ଟି ସ୍କୁଲରେ ଶୌଚାଳୟ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବେ । ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିବା ଏବଂ ଯିବା ବେଳେ ଶିକ୍ଷକମାନେ ରହି ତଦାରଖ କରିବେ । ପ୍ରଧାନଶିକ୍ଷକମାନେ ବିଦ୍ୟାଳୟ ପରିସରରେ ଶିକ୍ଷକମାନେ କେଉଁ ଭଳି ଶିକ୍ଷାଦାନ କରୁଛନ୍ତି, ଛାତ୍ରଛାତ୍ରୀମାନେ କିଭଳି ତାକୁ ଗ୍ରହଣ କରୁଛନ୍ତି ତଦାରଖ କରିବେ । ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ସାମିଲ କରି ସ୍କୁଲର ଆବଶ୍ୟକ ସାମଗ୍ରୀକୁ ପୂରଣ କରିବା ପାଇଁ ସଚେତନତା କରାଯିବ । ନିୟମିତ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଆୟୋଜନ କରି ବିଦ୍ୟାଳୟର ସମସ୍ତ ବିଷୟ ଆଦାନପ୍ରଦାନ କରାଯିବ । ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ୧୦୦ ମିଟର ଦୂରତ୍ୱରେ ରହିଥିବା ସ୍କୁଲ ଗୁଡିକୁ ବନ୍ଦ କରି ନିକଟତର ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଥଇଥାନା କରାଯିବ । ଏହି ବାବଦରେ ଜିଲ୍ଲାରେ ୧୨୩ ଟି ସ୍କୁଲ ରହିଥିବା ବେଳେ ୧୦୫ ଟି ସ୍କୁଲକୁ ବନ୍ଦ କରାଯାଇଥିବା ଆହୁରୀ ୮ ଟି ସ୍କୁଲ ବନ୍ଦ କରିବାକୁ ବାକି ରହିଛି । ଜିଲ୍ଲା ଶିକ୍ଷାଧିକାରୀ ଓ ସମଗ୍ର ଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଳିତ ଭାବେ ଏଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ କହିଛନ୍ତି । ସେହିପରି ଜିଲ୍ଲାରେ ୧୧୨ ଟି ସ୍କୁଲରେ ନୂତନ ଏସ୍ଏମ୍ସି କମିଟି ଗଠନ କରାଯାଇ ନାହିଁ । ସଂପୃକ୍ତ ବିଇଓ, ସିଆରସିସି ଓ ପ୍ରଧାନଶିକ୍ଷକ ମିଳିତ ଭାବେ ନୂତନ କମିଟି ଗଠନ ଦିଗରେ ପଦକ୍ଷେପ ନେବେ । ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଡାଟାବେଶ ପ୍ରସ୍ତୁତ କାର୍ଯ୍ୟକ୍ରମ ଚାଲିଛି । ଜିଲ୍ଲାର ୫ ଲକ୍ଷ ୪୦ ହଜାର ୩୬୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଲକ୍ଷ ୭୬ ହଜାର ୯୪୯ ଛାତ୍ରଛାତ୍ରୀଙ୍କ ଡାଟା ବେଶ ପ୍ରସ୍ତୁତି ସରିଛି । ବାକି ଛାତ୍ରଛାତ୍ରୀଙ୍କ ଚଳିତ ମାସ ଶେଷ ସୁଦ୍ଧା ଶେଷ କରିବାକୁ ହେବ । ସେହିପରି ଜିଲ୍ଲାରେ ବାକି ରହିଥିବା ୪୩ ହଜାର ୪୦ ଜଣ ଛାତ୍ରଛାତ୍ରୀଙ୍କ ଆଧାର ସିଡିଙ୍ଗ୍ କାର୍ଯ୍ୟ ତୁରନ୍ତ ଶେଷ କରିବା ଲାଗି ବୈଠକରେ ଆଲୋଚନା ହୋଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରବେସନାରୀ ଆଇଏଏସ୍ ଅଫିସର କିର୍ତୀ ଭାସନ ଭି, ଜିଲ୍ଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ଡା, ସମଗ୍ର ଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି, ବରିଷ୍ଠ ଅର୍ଥପରାମର୍ଶଦାତା ମଧୁସୂଦନ ପରିଡା, ବରିଷ୍ଠ ବୈଷୟିକ ପରାମର୍ଶଦାତା ମନୋଜ କୁମାର ବେହେରା ଓ ନୀଳକଣ୍ଠ ସୁନ୍ଦରାୟ, ଯୋଜନା ବିଭାଗ ସଂଯୋଜିକା ସାବିତ୍ରୀ ବାଳା ଦାଶ, ପ୍ରୋଗ୍ରାମ ସଂଯୋଜକ ପ୍ରଦୀପ କୁମାର ଖଟେଇ, ଅନୁସୂଚିତ ଜାତି/ଜନଜାତି ସଂଯୋଜକ ଡ.ସରୋଜ ମୋହନ ପାଳ, ଦିବ୍ୟାଙ୍ଗ ବିଭାଗ ସଂଯୋଜକ ତପନ କୁମାର ସାହୁ,ବାଳିକା ଶିକ୍ଷା ବିଭାଗ ସଂଯୋଜକ ଜ୍ୟୋତି ପ୍ରକାଶ ରଥ, ଶିକ୍ଷାଶାସ୍ତ୍ର ବିଭାଗ ସଂଯୋଜକ ଡ.ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ସମସ୍ତ ବିଇଓମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ