ଗଂଜାମ ପୋଲିସ ପକ୍ଷରୁ ୬୧୬କେଜି ଗଂଞ୍ଜେଇ ଜବତ: ୨ ଗିରଫ
ଛତ୍ରପୁର : ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ଗଂଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲକ୍ଷଲକ୍ଷ ଟଙ୍କାର ମାଦକ ଦ୍ରବ୍ୟ ଚୋରାଚାଲାଣ ବେଳେ ଚଢ଼ାଉ କରି ଧରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଆନ୍ଧ୍ର ପୋଲିସ୍ର ସୂଚନାକୁ ଭିତିକରି ଗଞ୍ଜାମ ପୋଲିସ୍ ପକ୍ଷରୁ ଏକ ବଡ଼ଧରଣର ଗଞ୍ଜେଇ ଚାଲାଣ ଉପରେ ଚଢ଼ାଉ କରି ଗଞ୍ଜେଇ ଚାଲାଣ ହେଉଥିବା ଏକ ୧୦ ଚକିଆ ଟ୍ରକ୍କୁ ଜବତ କରାଯାଇଛି । ଛତ୍ରପୁର-ଗଞ୍ଜାମ ୧୬ ନଂ ଜାତୀୟ ରାଜପଥ କାଳୀଢ଼ାବା ନିକଟରେ ପୋଲିସ୍ ଟ୍ରକ୍ଟିକୁ ଜବତ କରି ୬୧୬ କେ.ଜି ଗଞ୍ଜେଇ(୨୧ ପ୍ୟାକେଟ) ଗଞ୍ଜେଇ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ ଉତରପ୍ରଦେଶ ରାଜ୍ୟର ହାଥ୍ରାସ୍ ଜିଲ୍ଲା ସିକନ୍ଦ୍ରା ରାଓ ଥାନା ଅନ୍ତର୍ଗତ ହୀରାପୁର ଗ୍ରାମର କୌଶଲ୍ ଯାଦବ୍(୧୯) ଏବଂ ରୋହିତ କୁମାର(୨୦) । ଉଭୟଙ୍କ ନିକଟରୁ ନଗଦ ୩୦ ହଜାର ଟଙ୍କା ଏବଂ ୨ ଟି ମୋବାଇଲ୍ ସହ ବିଭିନ୍ନ କାଗଜପତ୍ର ଜବତ କରାଯାଇଛି । ଉକ୍ତ ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ଉତରପ୍ରଦେଶକୁ ଚୋରାଚାଲାଣ ହେଉଥିଲା । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୬୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶରେ ଛତ୍ରପୁର ଏସଡ଼ିପିଓ ଉତ୍କଳ କେଶରୀ ଦାଶଙ୍କ ନେତୃତ୍ୱରେ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ,ଚମାଖଣ୍ଡି ଥାନା ଅଧିକାରୀ ସହଦେବ ମହାପାତ୍ର ଏବଂ ଛତ୍ରପୁର ଓ ଚମାଖଣ୍ଡି ଥାନା କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଛତ୍ରପୁର ଅତିରିକ୍ତ ତହସିଲଦାର ଯସ୍ମୀନ ପ୍ରଧାନଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଜବତ କରାଯାଇଛି । ଏନେଇ ଛତ୍ରପୁର ଥାନା କେସ ନଂ-୫୯/୧୯ ରେ ଏକ ମାମଲା ରୁଜୁ ହୋଇଛି । ଏସଂପର୍କରେ ଆଜି ଛତ୍ରପୁର ଥାନା ପରିସରରେ ଗଞ୍ଜାମ ପୋଲିସ୍ ଜିଲ୍ଲାର ଅତିରିକ୍ତ ଏସପି ସୀତାରାମ ଶତପଥୀ ଏକ ସାମ୍ବାଦିକ ସିମ୍ମିଳନୀରେ ସୂଚନା ଦେଇଛନ୍ତି ।


