ଗଂଜାମ ହାତ ଛାଡ଼ିଲେନି ମୁଖ୍ୟମନ୍ତ୍ରୀ : ହିଂଜିଳି ରଖିଲେ ହିଂଜିଳିରେ ଖୁସିର ଲହରୀ

ହିଂଜିଳିକାଟୁ, (ଶେଷଦେବ ସାହୁ): ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ନେଇଛନ୍ତି । ଗଂଜାମ ଜିଲ୍ଲାର ହାତ ଛାଡ଼ିଲେନି । ହିଂଜିଳି ଆସନ ରଖିବେ ବୋଲି ବିଧାନସଭା ବାଚସ୍ପତିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।ବରଗଡ଼ ଜିଲ୍ଲା ବିଜେପୁର ଆସନରୁ ରବିବାର ଦିନ ଇସ୍ତପା ପତ୍ର ଦେଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ ଓ ବିଧାନସଭା ବାଚସ୍ପତିଙ୍କୁ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମ ଜିଲ୍ଲା ହିଂଜିଳି ଓ ପଶ୍ଚିମ ଓଡ଼ିଶା ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ରବିବାର ଦିନ ବିଜେପୁର ଆସନ ବିଧାୟକ ପଦରୁ ଇସ୍ତପା ଦେଇଛନ୍ତି । ଏ ନେଇ ଶନିବାର ଦିନ ଦୈନିକ ଖବରକାଗଜ “ପ୍ରଗତିବାଦୀ’ରେଖବର ପ୍ରକାଶ ପାଇଥିଲା । ହିଂଜିଳି ଆସନ ଛାଡ଼ିବେ ନାହିଁ ବୋଲି ପୂର୍ବାନୁମାନ କରିଥିଲା ପ୍ରଗତିବାଦୀ । ତେବେ ସେ କେଉଁ ଆସନ ରଖିବେ ଓ କେଉଁ ଆସନ ଛାଡ଼ିବେ ସେ ନେଇ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ରାଜ୍ୟ ରାଜନିତୀରେ ଚର୍ଚ୍ଚା ଜୋର ଧରିଥିଲା । ମୁଖ୍ୟମନ୍ତ୍ରୀ ବିଧାନସଭା ଆସନ ଛାଡ଼ିବା ପରେ ରାଜ୍ୟ ରାଜନିତୀକୁ ଚକିତ କରିଛି । ବିରୋଧୀଙ୍କୁ ଆଉ ଏକ ଝଟକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାରେ ରହିଛି ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ । ପଶ୍ଚିମାଂଚଳରେ ଶାସକ ବିଜୁ ଜନତା ଦଳ କଡ୍ଡା ଟକ୍କର ସମ୍ମୁଖୀନ ହୋଇଥିଲା । ବିରୋଧୀ ବିଜେପି ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର ଓ ସୁନ୍ଦରଗଡ଼ ଲୋକସଭା ଆସନରେ ବାଜିମାତ୍ କରିଛି । ୨୦୦୯ ନିର୍ବାଚନରେ କେବଳ ସୁନ୍ଦରଗଡ଼ ଆସନକୁ ବାଦ୍ ଦେଲେ ଅବଶିଷ୍ଟ ୪ ଟି ଲୋକସଭା ଆସନରେ ଶାସକ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ମାନେ ନିର୍ବାଚିତ ହୋଇଥିଲେ । କିନ୍ତୁ ଚଳିତ ନିର୍ବାଚନରେ ବିରୋଧୀ ବିଜେପି ପଶ୍ଚିମାଂଚଳର ସମସ୍ତ ଆସନରେ ବିଜୟୀ ଲାଭ କରିଥିବାରୁ ଶାସକ ବିଜେଡ଼ିକୁ ଆଚମ୍ବିତ କରିଛି । ପଶ୍ଚିମାଂଚଳରେ ବିଜେପିର ବିରାଟ ବିଜୟ ବିଜେଡ଼ିକୁ ବଡ଼ ଚ୍ୟାଲେଂଜ ହୋଇଛି । ପଶ୍ଚିମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଦ୍ୱନ୍ଦିତା ସତ୍ୱେ ସଂସଦୀୟ କ୍ଷେତ୍ରରେ ଆଶାନୁରୁପ ଫଳ ମିଳିନାହିଁ । କିନ୍ତୁ ବିଧାନସଭା କ୍ଷେତ୍ରରେ ବିପୁଳ ବିଜୟ ହାସଲ କରିଛି । ଏଣୁ ଏହି ଅଂଚଳରୁ ମୁଖ୍ୟମନ୍ତ୍ରୀ ତାଙ୍କରି ମନ୍ତ୍ରୀ ମଣ୍ଡଳରେ ୬ ଜଣଙ୍କୁ ମନ୍ତ୍ରୀ ପଦ ଦେଇଛନ୍ତି । ଅନ୍ୟପକ୍ଷରେ ବିଜେପୁର ଆସନରୁ ନିର୍ବାଚିତ କରିଥିବାରୁ ସେଠାକାର ଜନସାଧାରଣଙ୍କୁ ମଧ୍ୟ ପୁରସ୍କୃତ କରିଛନ୍ତି । ପ୍ରାୟ ୨ ହଜାରେ କୋଟି ଟଙ୍କା ବ୍ୟୟ ଅଟକଳର ପ୍ରକଳ୍ପ ଘୋଷଣା କରି ବିରୋଧୀଙ୍କୁ ମୁହଁ ତୋଡ଼ ଜବାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ଆସନ ପ୍ରତି ସ୍ୱତନ୍ତ୍ର ଶ୍ରଦ୍ଧା ରହିଥିବା ଏଥିରୁ ସ୍ପଷ୍ଟ ଅନୁମେୟ । ଏହା ସହ ମନ୍ତ୍ରୀମଣ୍ଡଳରେ ଗଂଜାମ ଜିଲ୍ଲାରେ ପ୍ରତିନିଧିତ୍ୱ କମାଇଥିବା ଘଟଣାରୁ ଅନୁମାନ କରାଯାଇଥିଲା ଯେ, ସେ ହିଂଜିଳି ଆସନ ଛାଡ଼ିନପାରନ୍ତି । ପୂର୍ବରୁ ଗଂଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣ ମନ୍ତ୍ରୀ ରହି ଆସୁଥିଲେ । କିନ୍ତୁ ଏଥର ବଦୂିଛି ରାଜନୈତିକ ସମୀକରଣ । ଗଂଜାମ ଓ ଗଜପତି ଜିଲ୍ଲାର ୨ ଟି ଲୋକସଭା ଆସ ଅନ୍ତର୍ଗତ ୧୪ ଟି ବିଧାନସଭା ଆସନ ମଧ୍ୟରୁ କେହି ମଧ୍ୟ ମନ୍ତ୍ରୀ ପଦ ପାଇନାହାନ୍ତି । ଗଂଜାମ ଜିଲ୍ଲା ଭଂଜନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ବିକ୍ରମ କେଶରୀ ଆରୁଖ ମନ୍ତ୍ରୀ ପଦ ପାଇଥିଲେ ମଧ୍ୟ ତାହା କନ୍ଧମାଳ ଲୋକସଭା ଅର୍ନ୍ତଭୁକ୍ତ ରହିଛି । ଯେହେତୁ ମୁଖ୍ୟମନ୍ତ୍ରୀ ଗଂଜାମ ଜିଲ୍ଲାରେ ରହୁଛନ୍ତି ତେଣୁ ସାରା ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ସେ ନିଜେ ତଦାରଖ କରିବେ ବୋଲି ଏଭଳି ଆଶ୍ୱାସନା ପରୋକ୍ଷରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଂଜାମ ଜିଲ୍ଲାକୁ ହାତଛଡ଼ା ନକରିବାକୁ ମୁଖ୍ୟମନ୍ତ୍ରୀ ଚାହିଁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଏନ୍ତୁଡ଼ିଶାଳ ହେଉଛି ଗଂଜାମ । ଏଣୁ ଏହି ଜିଲ୍ଲା ପ୍ରତି ରହିଛି ସ୍ୱତନ୍ତ୍ର ଆକର୍ଷଣ । ପ୍ରକାଶ ଥାଉକି, ୧୯୯୭ ମସିହା ଏପ୍ରିଲ ୧୪ ତାରିଖରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ବର୍ଷ ହିଁ ଆସିକା ଲୋକସଭା ଆସନରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୬ ନିର୍ବାଚନରେ ବିଜୁ ବାବୁ ଆସିକା ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏଣୁ ବିଜୁ ଲିଗାସୀ ସୁରକ୍ଷିତ ରଖିବା ପାଇଁ ନବୀନ ପଟ୍ଟନାୟକ ଆସିକା ସଂସଦୀୟ କ୍ଷେତ୍ରକୁ ବାଛିଥିଲେ । ଆସିକା ଲୋକସଭା ଆସନରୁ ଲଗାତାର ଭାବେ ୧୯୯୭,୧୯୯୮ଓ ୧୯୯୯ରେ ଲଗାତାର ଭାବେ ନିର୍ବାଚିତ ହୋଇଥିଲେ । ଆସିକା ଲୋକସଭା ସଂସଦୀୟ କ୍ଷେତ୍ର ମଧ୍ୟରେ ରହିଛି ହିଂଜିଳି ବିଧାନସଭା ଆସନ । ୨୦୦୦ ମସିହା ବିଧାନସଭା ନିର୍ବାଚନରେ ହିଂଜିଳି ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଲଗାତାର ଭାବେ ୨୦୦୪, ୨୦୦୯,୨୦୧୪ ଓ ୨୦୧୯ ରେ ଲଗାତାର ଭାବେ ୫ ଥର ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାର ଗୌରବ ଅର୍ଜନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ି ହିଂଜିଳି ଆସନ ରଖିବା ପରେ ହିଂଜିଳି ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଉପାଧ୍ୟକ୍ଷା ଗିତାଂଜଳି ପଣ୍ଡା, ପୂର୍ବତପ ପୌରାଧ୍ୟକ୍ଷା ଗୌରୀ ପାଣିଗ୍ରାହୀ, ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ବରିଷ୍ଟ ବିଜେଡ଼ି ନେତା ଡ଼ି. ବିଶ୍ୱନାଥ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ହୃଦୟାନନ୍ଦ ମହାପାତ୍ର, ର୍ପୂତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ଛାତ୍ର ବିଜେଡ଼ି ସଭାପତି ରିଙ୍କୁ ପଣ୍ଡା, ପ୍ୟାରୀ ମୋହନ ପାଢି, ନିଳମଣି ପଟ୍ଟନାୟକ, ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବହୁ ବିଜେଡ଼ି ନେତା ଓ କର୍ମୀ ନବୀନ ବାବୁଙ୍କୁ କୃତଞତା ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ