ଗଙ୍ଗଦାହାଟରେ ମା’ ଶାରଳାଙ୍କ ଷୋଡଶ ଉପଚାର ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦାହାଟସ୍ଥିତ ମା’ଶାରଳା ସାଂସ୍କୃତିକ ପରିଷଦ ପକ୍ଷରୁ ମା’ଶାରଳା ଷୋଡଶ ଉପଚାର ପୂଜା ଓ ବିଶ୍ୱାଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଏହି ଅବସରରେ ଶୁକ୍ରବାର ପରିଷଦ ପକ୍ଷରୁ ନାମ ସଂକୀର୍ତନ କରାଯାଇ ଝଙ୍କଡସ୍ଥିତ ମା’ଶାରଳାଙ୍କ ପୀଠରୁ ଆଜ୍ଞାମାଳା ଅଣାଯାଇଥିଲା । ଆଜ୍ଞାମାଳା ଅଣାଯିବା ପରେ ଶନିବାର କଳସ ଶୋଭାଯାତ୍ରା କରାଯାଇଥିଲା । ଉକ୍ତ ମହୋତ୍ସକୁ ଶାଳିଜଙ୍ଗା ମହିମା ଆଶ୍ରମର ବାବା ଗଦାଧର ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ୧୦ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଉକ୍ତ ପୂଜାରେ ପ୍ରତ୍ୟେକ ଦିନ ଯଥା ରୀତି ପୂର୍ବକ ପୂଜାର୍ଚ୍ଚନା କରାଯିବା ସହିତ ସଂଧ୍ୟାରେ ବରେଣ୍ୟ ସାଧୁସନ୍ଥଙ୍କ ଦ୍ୱାରା ଅଧ୍ୟାତ୍ମିକ ଧର୍ମସଭା ଅନୁଷ୍ଠିତ ହେବ । ସେହିପରି ପୂଜା ମଣ୍ଡପରେ ମା’ଶାରଳାଙ୍କ ମୃଣ୍ମୟ ମୂର୍ତି ନିର୍ମାଣ କରାଯିବା ସହ ବିଭିନ୍ନ ରଙ୍ଗବେରଙ୍ଗର ଫୁଲ ଓ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ମା’ଙ୍କର ଏହି ପୂଜାକୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳରେ ବହୁ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାକୁ ମିଳିଛି । ଉକ୍ତ କାର୍ଯ୍ୟକ୍ରମକୁ ପରିଷଦର ସଭାପତି ପଦ୍ମଚରଣ ସାସମଲଙ୍କ ସମେତ ଅନ୍ୟ ସଦସ୍ୟ ବୃନ୍ଦ ପରିଚାଳନା କରୁଛନ୍ତି ।