ଗଙ୍ଗା ନଦୀ ତଟରେ ବିକଶିତ ହେବ ଔଷଧୀୟ ବୃକ୍ଷ କରିଡର

ନୂଆଦିଲ୍ଲୀ : ଆତ୍ମ ନିର୍ଭର ଭାରତ ଯୋଜନାରେ କେନ୍ଦ୍ର ସରକାର ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜରେ ଔଷଧୀୟ ବୃକ୍ଷ ଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୪ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି ଔଷଧୀୟ ବୃକ୍ଷ ଚାଷୀ ଏବଂ ଏହା ସହ ଜଡ଼ିତ ଉଦ୍ୟୋଗୀମାନେ । ଏହି ଘୋଷଣା ପାଇଁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାମ୍ପ୍ରତିକ କରୋନା ମହାମାରୀ ପରିସ୍ଥିତିରେ ଉନ୍ନତ ରୋଗ ପ୍ରତିରୋଧକ ଶକ୍ତି ଥିଲେ ମଣିଷ ସୁସ୍ଥ ରହିପାରିବ । ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିରେ ଆୟୁର୍ବେଦ ଔଷଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୋଭିଡ-୧୯ ମହାମାରୀର କୌଣସି ଔଷଧ ବାହାରିନଥିବାରୁ ଆୟୁର୍ବେଦ ଔଷଧର ଚାହିଦା ଅଧିକ ରହିବ । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଔଷଧୀୟ ବୃକ୍ଷ ଚାଷକୁ ପ୍ରୋତ୍ସାହନ ଦେବା ଲାଗି ଏତେ ବଡ଼ ପ୍ୟାକେଜ ଘୋଷଣା କରିବା ନିଶ୍ଚିତ ଭାବେ ଏହି କ୍ଷେତ୍ରକୁ ସମୃଦ୍ଧ କରିବା ସହିତ ଦେଶର ଅର୍ଥବ୍ୟବସ୍ଥାର ସୁଧାର ଦିଗରେ ସହାୟକ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଥିଲା ଔଷଧୀୟ ବୃକ୍ଷ ଚାଷ । ହଳଦୀ, ଲେମନ ଗ୍ରାସ, ପାମରୋଜ, ତୁଳସୀ ଆଦି ଚାଷ କରାଯାଇଛି । ଅନ୍ୟପକ୍ଷରେ ଏହି ସବୁ ବୃକ୍ଷରୁ ତେଲ ପ୍ରସ୍ତୁତ କରିବା ଲାଗି ଗୋଟିଏ ଡିଷ୍ଟିଲେସନ ୟୁନିଟ ଜିଲ୍ଲାରେ ଥିବା ରାଷ୍ଟ୍ରୀୟ କୃଷ ବିକାଶ ଯୋଜନାରେ ଅଧିକ ୟୁନିଟ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି । ପାରମ୍ପରିକ କୃଷି ପରିବର୍ତେ ନୂଆ ଔଷଧୀୟ କୃଷିକୁ ଆପଣାଇଥିବା ଚାଷୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ସରୁଗୁଡ଼ା ଠାରେ ୧ ହେକ୍ଟର ଜମିରେ ଲେମନ ଗ୍ରାସ ଓ ଗୋଟିଏ ହେକ୍ଟର ଜମିରେ ହଳଦୀ ଚାଷ କରିଥିବା ଚାଷୀ କୃଷ୍ଣ ନାୟକ ଏହି ଆର୍ଥିକ ସହାୟତା ପ୍ୟାକେଜକୁ ସ୍ୱାଗତ କରିଛନ୍ତି । ଆଂଚଳିକ ମଣ୍ଡି ନେଟୱର୍କ ସ୍ଥାପନ ପ୍ରସ୍ତାବ ଏକ ଯୁଗାନ୍ତକାରୀ ପଦକ୍ଷେପ ଏବଂ ଏହା ଚାଷୀଙ୍କୁ ଆର୍ଥିକ ଲାଭ ଦେବାରେ ସହାୟକ ହେବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହା ଉଭୟ ଚାଷୀ ଓ ଉଦ୍ୟୋଗୀଙ୍କୁ ବଜାର ସୁବିଧା ମିଳିପାରିବ ବୋଲି ବିଶେଷଜ୍ଞମାନେ ମଧ୍ୟ ମତପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ଔଷଧୀୟ ବୃକ୍ଷ ଚାଷକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାର ଆସନ୍ତା ୨ ବର୍ଷରେ ୪ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଘୋଷଣା କରିଛନ୍ତି । ଏହି ଅର୍ଥରେ ୧୦ ଲକ୍ଷ ହେକ୍ଟର ଜମିରେ ଔଷଧୀୟ ବୃକ୍ଷ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ କୃଷକମାନେ ୫ହଜାର କୋଟି ଟଙ୍କାର ଆୟ କରିପାରିବେ । ଔଷଧୀୟ ବୃକ୍ଷ ଚାଷ ପାଇଁ ଏକ ଆଂଚଳିକ ମଣ୍ଡି ନେଟୱର୍କ ବିକଶିତ କରାଯିବ । ଏହାଛଡ଼ା ଜାତୀୟ ଔଷଧୀୟ ବୃକ୍ଷ ବୋର୍ଡ (ଏନଏମପିବି) ପକ୍ଷରୁ ଗଙ୍ଗା ନଦୀ ତଟରେ ୮୦୦ ହେକ୍ଟର ଜମିରେ ଔଷଧୀୟ ଉଦ୍ଭିଦ କରିଡର ବିକଶିତ କରାଯିବ ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ