ଗଙ୍ଗା ମନ୍ଦିର ପରିସରରେ ଜିମ ନିର୍ମାଣକୁ ନେଇ ତୀବ୍ର ବିରୋଧ କଲେ ସ୍ଥାନୀୟ ବାସିନ୍ଦା
ପାରାଦୀପ, (ଯୁଗାବ୍ଦ ନ୍ୟୁଜ):ପାରାଦୀପ ପୌରପାଳିକା ଅନ୍ତର୍ଗତ ଷଣ୍ଢକୁଦ ବସ୍ତିର ୧୯ ନମ୍ବର ୱାର୍ଡ ସ୍ଥିତ ଗଙ୍ଗା ମନ୍ଦିର ପରିସରରେ ଏକ ଖୋଲା ବ୍ୟାୟାମ ଶାଳା ବା ଜିମ ନିର୍ମାଣକୁ ନେଇ ସାଧାରଣରେ ତୀବ୍ର ବିରୋଧ କରାଯାଇଛି । ଦୀର୍ଘ ୨୫ ବର୍ଷର ଉର୍ଦ୍ଧ ସମୟ ଧରି ଗ୍ରାମର ଅଧିଷ୍ଠାତ୍ରୀ ଠାକୁରାଣୀ ଗଙ୍ଗାଦେବୀ ପୂଜା ପାଇ ଆସୁଥିବା ଏବଂ ତାଙ୍କ ଜାଗାରେ ବିଭିନ୍ନ ପର୍ବପର୍ବାଣୀ ସମେତ ଧାର୍ମିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥାଏ । ତେବେ ମୁକ୍ତା ଯୋଜନାରେ ଆସିଥିବା କିଛି ଅନୁଦାନ ସହାୟତାରେ ସେଠାରେ ପୌରପାଳିକା ପକ୍ଷରୁ ଏକ ଓପନ ଜିମ ପାଇଁ ଶୁଭ ଦିଆଯିବା ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନାଥାଉକି ଏହି ଜାଗାଟି ପାରାଦୀପ ବନ୍ଦର ଅଧିନସ୍ଥ ଭୁସମ୍ପଦ ବିଭାଗର ୧୪୬୭ ଟୋକନ ନମ୍ବର ଅନ୍ତର୍ଗତ ଠାକୁରାଣୀ ଓ ସର୍ବସାଧାରଣ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଥିବାବେଳେ ଏପରି ବେଆଇନ ନିର୍ମାଣକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଏ ବାବଦରେ ସେଠାକାର ବାସିନ୍ଦା ମାନେ ବୁଧବାର ଦିନ ପୌରଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଦୃଷ୍ଟି ଆକର୍ଷଣ କରାଇ ଏହି ବ୍ୟାୟାମ ଶାଳାକୁ ଅନ୍ୟତ୍ର ନିର୍ମାଣ କରିବାକୁ ନିବେଦନ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକଲେ ସେମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।


