ଗଛକୁ ପିଟିଲା ବାଇକ୍ ଜଣେ ମୃତ ଦୁଇ ଗୁରୁତର 

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା ଘୋଡାହାଡ ଡ଼୍ୟାମ ରାସ୍ତା ନନ୍ଦଗାଁ ଛକ ନିକଟରେ  ଏକ ବାଇକ୍ ରାସ୍ତା ପାର୍ଶ୍ବରେ ଥିବା ଗଛକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ହିଞ୍ଜିଳି ଥାନା ଶିକିରି ଗ୍ରାମର ସନାତନ ସାହୁଙ୍କ ପୁଅ ଅନନ୍ତ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ କଙ୍କୋରଡା ଗ୍ରାମର ସୁମନ ବରାଡ ଏବଂ ଆସିକା ଥାନା ଖଣ୍ଡଦେଉଳି ଗ୍ରାମର କାଳିଆ ପରିଡା ଗୁରୁତର ଆହାତ ହୋଇଛନ୍ତି ।ଶୁକ୍ରବାର ସକାଳେ ଦିଗପହଣ୍ଡି ପୁଲିସ ବ୍ରହ୍ମପୁର ବଡ଼ ମେଡିକାଲ ରେ ପହଞ୍ଚି ଅନନ୍ତ ଙ୍କ ଶବ ଜବତ କରି ପଞ୍ଚନାମା କରିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର  କରିଛନ୍ତି।ଖବରନୁଯାୟୀ , ଅନନ୍ତ ମାମୁଁ ଘର କଙ୍କୋରଡା ଗ୍ରାମ ରେ ରହି ପାଠ ପଢୁଥିଲେ । ଗୁରୁବାର ସକାଳୁ ୩ ଜଣ ସାଙ୍ଗ ମିଶି ଏକ ଆପାଚି ବାଇକ୍ ନଂ. ( ଓଡି ୦୭ ଏ ୱାଇ ୯୨୧୧) ଯୋଗେ ଦିଗପହଣ୍ଡି ବ୍ଳକ ଖମ୍ବାରି ଗାଁର ପ୍ରସିଦ୍ଧ ଶୈବପୀଠ ଉଜ୍ଜଳେଶ୍ବର ମନ୍ଦିର କୁ ଯାଉଥିଲେ । ଦିଗପହଣ୍ଡି ଠାରୁ ଅଳ୍ପ ବାଟ ଯିବା ପରେ ବାଇକ୍ ଚାଳକ ସୁମନ ଗାଡ଼ିରୁ ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ବରେ ଥିବା ଗଛକୁ  ଧକ୍କା ଦେଇଥିଲା । ଘଟଣା ପରେ ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହ ସଠିକ ତଥ୍ୟ ସଂଗ୍ରହ କରି ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଅନନ୍ତଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଅନନ୍ତଙ୍କ ମାମୁଁ ପିଣ୍ଟୁ ଜେନା ଦିଗପହଣ୍ଡି ଥାନାରେ ବାଇକ୍ ଚାଳକଙ୍କ ବିରୋଧରେ ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତିକରି ପୁଲିସ ଥାନା କେସ୍ ନଂ ୧୩୦/୨୫ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଦୁର୍ଘଟଣାଗସ୍ତ ବାଇକ୍ କୁ ଜବତ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ