ଗଜପତିରୁ ଜଣେ ହେଲେ ନିଜାମୁଦ୍ଦିନ୍ ଯାଇନାହାଁନ୍ତି: ପାରଳା ମୁସଲିମ ସଂଗଠନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରୁ ଜଣେ ହେଲେ ମୁସଲିମ ଗତ ମାର୍ଚ୍ଚ ମାସରେ ଦିଲ୍ଲୀ ନିଜାମୁଦ୍ଦିନ ଠାରେ ହୋଇଥିବା ସମ୍ମିଳନୀରେ ସାମିଲ ହୋଇନାହାଁନ୍ତି । ପାରଳାଖେମୁଣ୍ଡି ସହରରେ ରହିଥିବା ୩ଟି ମସଜିଦର ସଭାପତି ଓ ସମ୍ପାଦକ ଏ ନେଇ ଏକ ସ୍ପଷ୍ଟିକରଣ ପ୍ରେସ ବିଜ୍ଞପ୍ତି ଦ୍ୱାରା ଜଣାଇଛନ୍ତି । ମଦ୍ଦିନା ମସଜିଦର ସମ୍ପାଦକ ମହମ୍ମଦ ନାସିରବେଗ, ମାଟିଆ ସାହି ସ୍ଥିତ ଜାମା ମସଜିଦର ସଭାପତି ମହମ୍ମଦ ଫିରୋଜ ଖାଲିକ୍ ଏବଂ ସଂଜୟଗାନ୍ଧୀ କଲୋନୀ ଠାରେ ଥିବା ଆବୁବାକର ମସଜିଦର ସଭାପତି ଏସ୍.ଦାଦା ଭାଇ ପ୍ରମୁଖ ମିଳିତ ଭାବେ ଏହିପରି ଏକ ପ୍ରେସ ବିଜ୍ଞପ୍ତିରେ ସୁଚାଇଛନ୍ତି ଯେ,ପାରଳାଖେମୁଣ୍ଡି ସହରରେ ପ୍ରାୟ ୫ଶହ ଜଣ ମୁସଲିମ ସଂପ୍ରଦାୟର ଲୋକେ ବସବାସ କରନ୍ତି । ସମସ୍ତେ ସ୍ଥାନୀୟ ଲୋକଙ୍କ ସହ ଭାଇଚାରା ରଖି ଚଳି ଆସୁଛନ୍ତି । ତେବେ ନିଜାମୁଦ୍ଦିନ ସମ୍ମିଳନୀ ଫେରନ୍ତାଙ୍କ ମଧ୍ୟରେ ଅଧିକାଂଶ ଲୋକେ କରୋନାରେ ଆକ୍ରାନ୍ତ ହୋଇଥିବା ଘଟଣା ଜଣାପଡିବା ପରେ ଲୋକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହେବା ସ୍ୱାଭାବିକ । ମାତ୍ର ଏଠାରୁ କୌଣସି ମୁସଲିମ ପରିବାର କିମ୍ବା ବ୍ୟକ୍ତି ସମ୍ମିଳନୀରେ ଯୋଗ ଦେଇ ନଥିଲେ ମଧ୍ୟ ଯୋଗ ଦେଇଥିବା ଭଳି ଏକ ଗୁଜବ କିଛି ଦିନ ହେବ ସୃଷ୍ଟି ହୋଇଛି । ଯାହାକୁ ୩ମସିଜିଦର ମୁସଲିମ ସଂଗଠକ ମାନେ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି । ଅନ୍ୟପକ୍ଷରେ ଏନେଇ ପ୍ରଶାସନ ନିକଟରେ ଅଭିଯୋଗ କରିବାପରେ ପ୍ରଶାସନିକ ଅଧିକାରୀମାନେ ଆମମାନଙ୍କ ଘରକୁ ଏକାଧିକବାର ଆସି ଯାଞ୍ଚ କରି ଫେରିଛନ୍ତି । ଆଗକୁ ମଧ୍ୟ ପ୍ରଶାସନ ଯଦି ଚାହିଁବ ତାହାହେଲେ ସମସ୍ତ ପ୍ରକାର ସହଯୋଗ ଆମ ପକ୍ଷରୁ ଯୋଗାଇ ଦିଆଯିବ । କରୋନା ଜନିତ ଭୂତାଣୁ ସମ୍ପର୍କରେ କେହି କିଛି ଜାଣିପାରନ୍ତି ନାହିଁ । ତେଣୁ ଆମେ ମଧ୍ୟ ସରକାର ଜାରି କରିଥିବା ନିୟମକୁ ପାଳନ କରିବା ସହ ସମସ୍ତଙ୍କୁ ସଚେତନ ହେବାପାଇଁ ଆହ୍ୱାନ ଦେଉଛୁ । ଯେଉଁମାନେ ସରକାରୀ ନିୟମକୁ ଉଲଂଘନ କରୁଛନ୍ତି କିମ୍ବା କରୋନାକୁ ସଂକ୍ରମିତ କରାଇବାକୁ ଅପଚେଷ୍ଟା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଏହି ମୁସଲିମ ସଂଗଠକମାନେ ସୁଚାଇଛନ୍ତି।