ଗଜପତିରୁ ଭୁବନେଶ୍ୱରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ, ଜଣେ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାରୁ ଭୁବନେଶ୍ୱରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ୬୦୦କେଜି ଗଞ୍ଜେଇକୁ ଅବସାରୀ ବିଭାଗ ତରଫରୁ ଜବତ ହୋଇଥିବା ସୁଚନା ମିଳିଛି । ଏହି ଘଟଣାରେ ସଂପୃକ୍ତ ଜଣକୁ ଗିରଫ କରାଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ନେତୃତ୍ୱରେ ଗାରାବନ୍ଧ ଗ୍ରାମ ନିକଟସ୍ଥ ଲିଙ୍ଗିପୁର ଅଞ୍ଚଳରୁ ଓଆର ୦୭ଏଲ୬୯୩୩ ନମ୍ବର ବିସିଷ୍ଟ ଏକ ମ୍ୟାକ୍ସ ପିକଅପରେ ୬୦୦ କେଜି ଗଞ୍ଜେଇ ଭୁବନେଶ୍ୱରକୁ ଚାଲାଣ ହେଉଥିବା ବେଳେ ଅବକାରୀ ଟିମ୍ ତରଫରୁ ଚଢାଉ କରି ଗଞ୍ଜେଇ ସହ ଗାଡିଟିକୁ ଜବତ କରାଯାଇଛି । ଏହି ଚୋରାଚାଲାଣରେ ସଂପୃକ୍ତ ଥିବା ମୋହନା ବ୍ଲକର ଜୁରିଆ ଶବରଙ୍କୁ ଗିରଫ କରାଯାଇ ଗତକାଲି ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଛି । ଏହି ଚଢାଉରେ ଅବକାରୀ ନିରୀକ୍ଷକ ବାଳକୃଷ୍ଣ ପରିଡା,ଏଏସଆଇ କିଶୋର ଚନ୍ଦ୍ର ରଥ,ଚିତ୍ତରଞ୍ଜନ ଜେନାଙ୍କ ସମେତ ଅବକାରୀ ଟିମ୍ ଯୋଗ ଦେଇଥିଲେ ।