ଗଜପତିରେ ଖରାର ପ୍ରକୋପ : କାଶୀନଗର ନିରାମୟ କେନ୍ଦ୍ରରେ ବଟିକା ତରଳି ଯାଉଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଖରାର ପ୍ରକୋପ ବିଶେଷ ଭାବେ ବୃଦ୍ଧି ପାଇବା ଯୋଗୁଁ ପ୍ରଚଣ୍ଡ ଗରମ ଅନୁଭୁତ ହେଉଛି । ଏଭଳି ପ୍ରଚଣ୍ଡ ଉତ୍ତାପ ଯୋଗୁଁ ଗଜପତି ଜିଲ୍ଲାର କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଔଷଧ ବିତରଣ କେନ୍ଦ୍ର(ନିରାମୟ)ରେ ଥିବା କେତେକ ବଟିକା ତରଳି ଯାଉଥିବା ଅଭିଯୋଗ ହୋଇଛି । ଏହି ତରଳ ବଟିକା ଗୁଡିକୁ ମଧ୍ୟ ରୋଗୀମାନଙ୍କୁ ଦିଆଯାଉଛି ବୋଲି କେତେକ ରୋଗୀ ଅଭିଯୋଗ କରିଛନ୍ତି । ରୋଗୀମାନଙ୍କ ଅଭିଯୋଗ ଅନୁଯାୟୀ, ନିରାମୟ କେନ୍ଦ୍ରରେ ଫ୍ରିଜ୍ ତ ଦୂରର କଥା ଫ୍ୟାନ୍ଟିଏ ମଧ୍ୟ ନାହିଁ । ଫଳରେ ଔଷଧ ଗୁଡିକ ଗରମରେ ସିଝି ନଷ୍ଟ ହେବାସହ ତରଳି ଯାଉଛି । ଏଭଳି ତରଳ ବଟିକା ଖଇବା ଦ୍ୱାରା ରୋଗ ଆରୋଗ୍ୟ ହେଉନାହିଁ । ରୋଗୀ ତାଙ୍କୁ ଦିଆ ଯାଇଥିବା ଔଷଧ ଷ୍ଟ୍ରିପ୍ରୁ ତରଳ ଅଠା ଭଳି ହୋଇଥିବା ବଟିକାକୁ ସ୍ଥାନୀୟ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଥିବା ମଧ୍ୟ ସୂଚନା ମିଳିଛି । ନିରାମୟ କେନ୍ଦ୍ରରେ ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଏନେଇ କାଶୀନଗର ଡାକ୍ତରଖାନାର ମେଡିକାଲ ଅଫିସର ଡ. ପାର୍ଥ ସାରଥୀ ବେହେରାଙ୍କୁ ପଚାରିବାରେ କହିଛନ୍ତି, ଯେଉଁ ଔଷଧ ଗୁଡିକ ଆମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଠାରୁ ଆସୁଛି ସେଗୁଡିକୁ ବିତରଣ କରାଯାଉଛି । ତରଳି ଯାଇଥିବା ବଟିକା ଦିଆଯାଉଥିବା ନେଇ କୌଣସି ଅଭିଯୋଗ ମୋ ନିକଟକୁ ଆସିନାହିଁ ।


