ଗଜପତିରେ ଧାନମଣ୍ଡିକୁ ନେଇ ବିଜେପି ମିଥ୍ୟାତଥ୍ୟ ଦ୍ୱାରା ବିଭ୍ରାନ୍ତ କରୁଛି- ବିଜେଡି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଜିଲା ବିଜେଡି କାର୍ଯ୍ୟାଳୟ ଠାରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଭାଜପା ଧାନମଣ୍ଡିକୁ ନେଇ ମିଥ୍ୟାତଥ୍ୟ ପ୍ରଦାନ କରି ବିଭ୍ରାନ୍ତ କରୁଛି ବୋଲି କୁହାଯାଇଛି । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୨୫ହଜାର ୫ଶହ ମେଟ୍ରିକ ଟନ୍ ଚାଉଳ ଗଜପତି ଜିଲାରୁ ଆଦାୟପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଗତ ୨୧ ଜାନୁୟାରୀ ସୁଦ୍ଧା ସେଥିରୁ ଶତକଡା ୮୬.୯୮ ପ୍ରତିଶତ ଧାନ ବିଭିନ୍ନ ମଣ୍ଡି ମାଧ୍ୟମରେ ୬ହଜାର ୬୨୬ ଜଣ ଚାଷୀଙ୍କ ଠାରୁ କ୍ରୟ କରାଯାଇଛି ବୋଲି ବିଜେଡି ପକ୍ଷରୁ ତଥ୍ୟ ଉପସ୍ଥାପନ ଏହି ଖବରଦାତା ସମ୍ମିଳନୀରେ କରାଯାଇଥିଲା । ସେହିପରି ଚାଷୀଙ୍କ ହିତଦୃଷ୍ଟିରୁ ଗଜପତି ଜିଲାରୁ ଅତିରିକ୍ତ ଧାନ କ୍ରୟ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ଧାନକ୍ରୟ କରାଯିବ ବୋଲି ଚିଠି କରାଯାଇଛି । ତେବେ ଜିଲା ଭାଜପା ପକ୍ଷରୁ ବିଭ୍ରାନ୍ତିକର ତଥ୍ୟ ଦିଆଯାଇ କୃଷକ ବିରୋଧି ଯେଉଁ ବାର୍ତ୍ତା ପ୍ରଶାସନ ବିରୁଦ୍ଧରେ ପ୍ରଚାର କରାଯାଉଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ବିଜେଡି କହିଛି । ସେହିପରି ଆଗାମୀ ଦିନରେ ଯଦି ଆବଶ୍ୟକ ପଡେ ତୃତୀୟ ପର୍ଯ୍ୟାୟରେ ମଧ୍ୟ ଅତିରିକ୍ତ ଧାନ କ୍ରୟପାଇଁ ଅନୁରୋଧ କରାଯିବ ବୋଲି ଜିଲା ବିଜେଡି ଦୃଢକ୍ତି ପ୍ରକାଶ କରିଛି । ଏହି ଖବରଦାତା ସମ୍ମିଳନୀରେ ଜିଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ଜିଲା ଉପସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା, ନଗର ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ପୂର୍ବତନ ଜିଲା ସଭାପତି ବସନ୍ତ ଦାସ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତଥିଲେ ।


