ଗଜପତିରେ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଶରଧାପୁର ଶ୍ମଶାନଘାଟ ନିକଟରେ ପ୍ରଶାନ୍ତ ଜେନା (୨୪) ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଭିନ୍ନଳା ଗ୍ରାମର କିଛି ଯୁବକ ପ୍ରଶାନ୍ତକୁ କାଠଫାଳିଆ, ଲୁହାଛଡ ଏବଂ କାତିରେ ଆକ୍ରମଣ କରିଥିଲେ। ଏହି ଖବର ଭିନ୍ନଳା ଗ୍ରାମରେ ପହଞ୍ଚିବା ପରେ ଯୁବକଙ୍କ ପରିବାର ଏବଂ ଭିନ୍ନଳା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଗୁରାଣ୍ଡି ପୁଲିସକୁ ଖବର ଦେବା ସହ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ପ୍ରଶାନ୍ତଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଉଥିବା ସମୟରେ ବାଟରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିଲା I ମୃତ ଯୁବକ ପ୍ରଶାନ୍ତଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଗୁରାଣ୍ଡି ପୁଲିସ ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ସଦଳବଳେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଛନ୍ତି I ଏହା ସହ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପାରଳାଖେମୁଣ୍ଡି ଏସ୍ଡିପିଓ ମାଧବାନନ୍ଦ ନାୟକ ପହଞ୍ଚି ତଦନ୍ତ କରୁଥିବାର ଜଣାପଡ଼ିଛି। ହତ୍ୟାର କାରଣ ପୂର୍ବ ଶତ୍ରୁତା ବୋଲି କୁହାଯାଉଥିଲେ ମଧ୍ୟ ପ୍ରେମ ବ୍ୟାପାରକୁ ନେଇ ସଂଘବଦ୍ଧ ଭାବେ ଆକ୍ରମଣ ଏବଂ ଯୁବକଙ୍କୁ ହତ୍ୟା କରାଯାଇଥିବା ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି। ଘଟଣାରେ ୫ରୁ ଅଧିକ ଯୁବକ ସମ୍ପୃକ୍ତ ଥିବା କୁହାଯାଉଛି। ଗ୍ରାମବାସୀଙ୍କ କହିବା ମୁତାବକ ମୃତ ପ୍ରଶାନ୍ତ ଅଭିଯୁକ୍ତ ମାନଙ୍କର ଘନିଷ୍ଠ ବନ୍ଧୁ ଥିଲେ। ହେଲେ ଅଭିଯୁକ୍ତ ଯୁବକଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କ ବିବାହିତ ପତ୍ନୀଙ୍କ ସହ ପ୍ରଶାନ୍ତଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯାହାକୁ ନେଇ ବନ୍ଧୁମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ସମ୍ପୃକ୍ତ ମହିଳାଙ୍କୁ ଅଭିଯୁକ୍ତ ଯୁବକ କଡା ତାଗିଦ ମଧ୍ୟ କରିଥିଲେ। ଇତି ମଧ୍ୟରେ ମହିଳାଙ୍କ କୌଣସି କାରଣରୁ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତମାନେ ମୃତ୍ୟୁ ପାଇଁ ପ୍ରଶାନ୍ତ ହିଁ ମୁଖ୍ୟ କାରଣ ବୋଲି ଧରି ନେଇଥିଲେ । ଫଳରେ ମୃତ ପ୍ରଶାନ୍ତ କିଛି ମାସ ହେଲା ନିଜ ଗ୍ରାମ ଛାଡି କଟକ ଚାଲିଯାଇଥିଲେ | ହେଲେ କୌଣସି କାରଣରୁ ପ୍ରଶାନ୍ତ ପୁଣି ନିଜ ଗ୍ରାମକୁ ଆସିଥିଲେ | ଖବର ପାଇ ପ୍ରଶାନ୍ତଙ୍କୁ ହଟାଇବା ପାଇଁ ପୂର୍ବରୁ ଯୋଜନା କରିଥିବା ଅଭିଯୁକ୍ତ ଶନିବାର ରାତିରେ ଯୋଜନା ମୁତାବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣସ୍ଥଳ ଭିନ୍ନଳା ଗ୍ରାମ ଠାରୁ ପ୍ରାୟ ଦୁଇ କିମି ହୋଇଥିବାରୁ ଅଭିଯୁକ୍ତ ଏବଂ ମୃତକ କାହିଁକି ଏବଂ କିପରି ଗଲେ ତାହାକୁ ନେଇ ଆଲୋଚନା ଜୋର୍ ଧରିଛି। ଅନ୍ୟପକ୍ଷରେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମା ହେମ ଜେନା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି. ଘଟଣା ନେଇ ପୋଲିସ ଓ ସାଇଣ୍ଟିଫିକଟିମର ତନାଘନା ତଦନ୍ତ ଜାରି ରହିଛି.