ଗଜପତିରେ ବିଜେଡି ସଭାପତିଙ୍କ ଦବଙ୍ଗଗିରି, ଥାନାରେ ଏତଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବିଜେଡି ସଭାପତିଙ୍କ ଦବଙ୍ଗଗିରି ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ସାଧାରଣରେ ବେଶ ଚର୍ଚ୍ଚାର ବିଷୟ ପାଲଟିଅଛି । ଏଥିରେ ବ୍ଲକ ବିଜେଡି ସଭାପତି ଜଣକୁ ମାଡ ମାରୁଥିବାର ଦେଖିବାକୁ ମିଳିଛି । ଏନେଇ ଗୁରାଣ୍ଡି ଥାନାରେ ଲିଖିତ ଅଭିଯୋଗ ହୋଇଥିବାର ମଧ୍ୟ ସୂଚନା ମିଳିଛି । ଘଟଣାଟି ଗତ ୧୪ ତାରିଖ ଦିନ ଘଟିଛି । ଘଟଣାରୁ ପ୍ରକାଶ ଯେ, ମାଛମରା ସମବାୟ ସମିତିର ସଂପାଦକ ତେମ୍ବରୁ ମୋହନ ରାଓ (୫୬) କାର୍ଯ୍ୟାଳୟରେ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଗତ ୧୪ ତାରିଖ ଦିନ ଗୋଷାଣି ବ୍ଲକ ବିଜେଡି ସଭାପତି ସେଲି ଇଶ୍ୱର ରାଓ ତାଙ୍କୁ ମାଡ ମାରିଥିବା ନେଇ ଗୁରାଣ୍ଡା ପୋଲିସ ଥାନାରେ ଅଭିଯୋଗ ହୋଇଛି । ଏନେଇ ଗୁରାଣ୍ଡି ଥାନା ତରଫରୁ ମକଦ୍ଦମା ରୁଜୁ ହୋଇଥିବା ମଧ୍ୟ ସୂଚନା ମିଳିଛି । ଟି.ମୋହନ ରାଓ ଗୁରାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି ଯେ, ମାଛମରା ସମବାୟ ସମିତି କାର୍ଯ୍ୟାଳୟରେ ଅଫିସର ଟି. ଲକ୍ଷ୍ମୀ ପ୍ରସାଦ ରାଓ ଉପସ୍ଥିତ ଥିବା ବେଳେ ବିଜେଡି ବ୍ଲକ ସଭାପତି ସେଲି ଇଶ୍ୱର ରାଓ ମଧ୍ୟ ଉପସ୍ଥିତ ଥିଲେ । ଏତିକି ବେଳେ ଇଶ୍ୱର ରାଓଙ୍କ ଶାଶୁଙ୍କ ନାମରେ ମଣ୍ଡିକାର୍ଡ କରାଇବା ପାଇଁ କଥା କଟାକଟି ହୋଇଥିଲା । ମାଛମରା ଗ୍ରାମର ଏ.ଚିନ୍ନାମୀ ହେଉଛନ୍ତି ବିଜେଡି ବ୍ଲକ ସଭାପତି ଇଶ୍ୱର ରାଓଙ୍କ ନିଜ ଶାଶୁ ଅଟନ୍ତି । ଶାଶୁଙ୍କ ନାମରେ ମଣ୍ଡିକାର୍ଡ କରିବା ପାଇଁ ବିଜେଡି ସଭାପତି ଏକ ଫର୍ମ ଦ୍ୱାରା ଆବେଦନ କରିଥିଲେ । ଏହି ଫର୍ମକୁ ନେଇ ସମବାୟ ସମିତି ତରଫରୁ ତଦନ୍ତ ହୋଇଥିଲା । ହେଲେ ସେଥିରେ ଥିବା ଟିପ ଚିହ୍ନକୁ ନେଇ ସନ୍ଦେହ ଜାତ ହେବାରୁ ସମ୍ପାଦକ ତେମ୍ବରୁ ମୋହନ ରାଓ ବିଜେଡି ସଭାପତି ସେଲି ଇଶ୍ୱର ରାଓଙ୍କୁ କହିଥିଲେ ଯେ ସରକାରଙ୍କ ନିୟମ ମୁତାବକ ତୁମେ ତମ ଶାଶୁଙ୍କୁ ଏଠାକୁ ଆଣି ଟିପ ଚିହ୍ନ ଦେବା ବ୍ୟବସ୍ଥା କରନ୍ତୁ । ଏତିକି କହିବା ମାତ୍ରେ ସଭାପତି ଇଶ୍ୱର ରାଓ ଉତ୍ତେଜିତ ହୋଇ ଅଭଦ୍ର ଭାଷାରେ ଗାଳି ଗୁଲଜ ଦେବା ସହ ଧମକଚମକ ଦେଇ ଟଣା ଓଟରା କରି କାର୍ଯ୍ୟାଳୟ ବାହାରକୁ ନେଇ ଚାପୁଡା ଓ ମାଡ ମାରି ଅଫିସ ଭିତରେ ରଖି ତାଲା ପକାଇ ଦେଇଥିଲେ । ଏସବୁ ଗ୍ରାମବାସୀମାନେ ଜାଣିବା ପରେ ସେଠାକୁ ଆସି ତାଲା ଖୋଲିଥିଲେ । ତାଲା ଖୋଲିବା ପରେ ପୁଣି ବିଜେଡି ସଭାପତି ଇଶ୍ୱର ରାଓ ସମ୍ପୃକ୍ତ ସମ୍ପଦକଙ୍କୁ ପୁଣି ଚାପୁଡା ମାରି ଗାଳିଗୁଲଜ କରିଥିଲେ । ଉକ୍ତ ସମୟରେ ଅଫିସର ଟି.ଲକ୍ଷ୍ମୀ ପ୍ରସାଦ ରାଓ, ଡାଟା ଏଣ୍ଟ୍ରି ଅପରେଟର ଏମାନେ ମିଳିମିଶି ମୋତେ ବିଜେଡି ସଭାପତି ଇଶ୍ୱରଙ୍କ କବଳରୁ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର କରିଥିବା ଅଫିସର ଓ ଡାଟାଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ବିଜେଡି ସଭାପତି ଗାଳିଗୁଲଜ ଓ ଧମକ ଚମକ ଦେଇ ମାଡ ମାରିଥିଲେ ବୋଲି ଅଭିଯୋଗ ପତ୍ରରେ ସମ୍ପାଦକ ଟି.ମୋହନ ରାଓ ଉଲ୍ଲେଖ କରିଛନ୍ତି । ଏଥି ସହ ଉଭୟଙ୍କୁ ବିଜେଡି ସଭାପତି ଇଶ୍ୱର ରାଓ ହତ୍ୟା ଧମକ ଦେଇଥିବାର ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି । ଘଟଣା ନେଇ ସୋସାଇଟି ସଂପାଦକ ଗୁରାଣ୍ଡି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର ପ୍ରତିକାର ପାଇଁ ଅନ୍ୟ ସୋସାଇଟିର ସମ୍ପାଦକମାନଙ୍କ ସହ ମିଳିତ ଭାବେ ପାରଳାଖେମୁଣ୍ଡି ଏଆରସିଏସ୍ କାର୍ଯ୍ୟାଳୟରେ ପହଞ୍ଚ ଏଆର୍‌ସିଏସ୍‌ଙ୍କ ନିକଟରେ ସେମାନଙ୍କ ସୁରକ୍ଷା ପାଇଁ ଦାବି କରିଥିବା ମଧ୍ୟ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ