ଗଜପତିରେ ଶାଗୁଆନ କାଠ ଜବତ: ସ୍କ୍ୱାର୍ଡକୁ ଚକମା ଦେଖାଇ ୨ ଅଭିଯୁକ୍ତ ଫେରାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବନ ବିଭାଗ ପକ୍ଷରୁ ଚଢଉ କରାଯାଇ ୩୦ହଜାର ଟଙ୍କାରୁ ଉର୍ଦ୍ଧ ଶାଗୁଆନ କାଠ ଜବତ କରାଯାଇଥିବାର ଜଣାପଡିଛି । ଏଥିରେ ବ୍ୟବହୃତ ୨ଗୋଟି ବାଇକକୁ ଜବତ କରିଥିବା ବେଳେ ଅଭିଯୁକ୍ତମାନେ ବନବିଭାଗର ସ୍କ୍ୱାର୍ଡକୁ ଚକମା ଦେଖାଇ ଫେରାର ହୋଇଯାଇଥିବାର ମଧ୍ୟ ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ମୋହନା ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ସମୟରେ ମୋହନା ଥାନା ଅନ୍ତର୍ଗତ କିରାମ୍ବା ଗ୍ରାମ ନିକଟରେ ଦୁଇଟି ବାଇକରେ ୧୯.୬୭ ସିପ୍ଟର ୧୧ଗୋଟି ଶାଗୁଆନ କାଠ ଗଣ୍ଡିକୁ ଗଞ୍ଜାମ ଜିଲ୍ଲାକୁ ଚାଲାଣ ହେଉଥିଲା । ବନକର୍ମଚାରୀଙ୍କୁ ଦେଖି ଉଭୟ ବାଇକ ଆରୋହୀ ତଥା ଅଭିଯୁକ୍ତ ଦ୍ୱୟ ବାଇକ ସହ ଶାଗୁଆନ କାଠକୁ ଛାଡି ଦେଇ ଚମ୍ପଟ ମାରିଥିଲେ । ଜବତ ହୋଇଥିବା ଶାଗୁଆନ କାଠର ମୂଲ୍ୟ ପ୍ରାୟ ୩୦ହଜାର ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି । ଏନେଇ ଏକ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଜାରି ରହିଥିବାର ମୋହନା ବନବିଭାଗ ସୂତ୍ରରୁ ପ୍ରକାଶ ।


