ଗଜପତିର ଦୁର୍ଗମ ଅନୁଗୁର ଗ୍ରାମ ପଞ୍ଚାୟତରେ ଜନଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟଷିତ ଉପାନ୍ତ ଦୁର୍ଗମ ନଦୀମୁଠା ଅଞ୍ଚଳର ଅନୁଗୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଦ୍ବାରା ଗ୍ରାମ୍ୟମୁଖୀ ପ୍ରଶାସନର ସଂଯୁକ୍ତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଠାରେ ବ୍ଲକର ମୁଖ୍ୟତଃ ଅନୁଗୁର, କିରାମା, ଉଦୟପୁର ଓ ସମ୍ବଲପୁର ପଞ୍ଚାୟତର ସମସ୍ୟାର ସମାଧାନ ନିମନ୍ତେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ( ଏଡିଏମ୍ ) ବିରେନ୍ଦ୍ର କୁମାର ଦାସଙ୍କ ସହ ଜିଲ୍ଲା ଏବଂ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ବ୍ଲକ ଉପାଧ୍ଯକ୍ଷ ନିହିମିୟା ରଇତ, ବିଡିଓ ଲୋକନାଥ ଶବର, ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ସ୍ଥାନୀୟ ସରପଞ୍ଚ ନମିତା ଦଳବେହେରା ଉପସ୍ଥିତ ରହି ଘଟଣାସ୍ଥଳରେ ହିଁ ଲୋକଙ୍କ ଅଭିଯୋଗର ଶୁଣାଣି କରି ବିଭିନ୍ନ ସମସ୍ୟାର ତ୍ବରିତ ସମାଧାନ କରିଥିଲେ | ମୋଟ ୬୯ଅଭିଯୋଗର ସମାଧାନ ପାଇଁ ପଞ୍ଜିକୃତ ହୋଇଥିଲା | ସେଥ୍‌ମଧ୍ୟରୁ ୩୮ ଅଭିଯୋଗ ଗୋଷ୍ଠୀଗତ ହୋଇଥିବା ବେଳେ ୩୧ଟି ବ୍ୟକ୍ତିଗତ ସମସ୍ୟାଭିଭିକ ରହିଥିଲା। ଏହି ଶୁଣାଣିରେ ୨୬ ସମସ୍ୟାର ତ୍ବରିତ ସମାଧାନ କରାଯିବା ସହ ଅସୁସ୍ଥ ଥିବା ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ତତସହ ତହସିଲ ପ୍ରଶାସନ ଦ୍ବାରା ପ୍ରସ୍ତୁତ କରାଯାଇଥିବା ୯୯ ଏଫଆରଏ ଓ ସୋମୋଟ ପଟ୍ଟା ବଣ୍ଟନ କରାଯାଇଥିଲା । ଏହି ଜନଶୁଣାଣିରେ ମୁଖ୍ୟତଃ ବ୍ଲକର ନଦୀମୁଠା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଇଥିବା ମୋବାଇଲ ଟାୱାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଏବଂ ବିଭିନ୍ନ ପଞ୍ଚାୟତର ଗ୍ରାମାଞ୍ଚଳରେ ଲାଗିରହିଥ‌ିବା ରାସ୍ତା, ପାନୀୟ ଜଳ ଭଳି ସମସ୍ୟା ରହିଥିଲା। ନୂଆଗଡ଼ ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସ‌ହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ