ଗଜପତିର ନିଖୋଜ ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର
ପାରଳାଖେମୁଣ୍ଡି- (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାରୁ ନିଖୋଜ ହୋଇଥିବା ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର ହୋଇଥିବା ପାରଳାଖେମୁଣ୍ଡି ଜିଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାରୁ ପ୍ରକାଶ ଯେ କାଶୀନଗର ବ୍ଲକ ବୁଦୁରା ପଞ୍ଚାୟତ ଅଞ୍ଚଳର ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଜଣେ ନାବାଳିକା ଗତ ୦୪.୧୧.୨୦୧୯ଠାରୁ ନିଖୋଜ ଥିଲେ । ତାଙ୍କ ପରିବାର ବର୍ଗ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାପରେ ସେ ନମିଳିବାରୁ ଏ ସମ୍ପର୍କରେ କାଶୀନଗର ଥାନାରେ ଲିଖିତଭାବେ ଜଣାଇଥିଲେ । କାଶୀନଗର ପୋଲିସ ପକ୍ଷରୁ ଉକ୍ତ ନାବାଳିକାଙ୍କ ଅନୁସନ୍ଧାନ ବିଭିନ୍ନ ଭାବେ ଜାରି ରହିଥିଲା । ଇତି ମଧ୍ୟରେ ଉକ୍ତ ନାବାଳିକାଙ୍କୁ ସେହି ଅଞ୍ଚଳର ଜଣେ ଯୁବକ ଭୁବନେଶ୍ୱରକୁ ନେଇ ଯାଇଥିବାର ଜଣାପଡିଥିଲା । ଗତ ୨୨.୧୧.୨୦୧୯ରେ ଭୁବନେଶ୍ୱର ପୋଲିସ ପକ୍ଷରୁ ନାବାଳିକାଙ୍କୁ ଭୁବନେଶ୍ୱର ସ୍ଥିତ ଭରତପୁର ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା । ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲା ଶିଶୁ କଲ୍ୟାଣ ସମିତି କାର୍ଯ୍ୟାଳୟରେ ଉପସ୍ଥାପନ କରିଥିଲେ । ଶିଶୁ କଲ୍ୟାଣ ସମିତି ପକ୍ଷରୁ ଉକ୍ତ ନାବାଳିକାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଏକ କନ୍ୟାଶ୍ରମରେ ରହିବାର ବ୍ୟବସ୍ଥା କରାଯାଇଥିବା ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ସୂଚନା ଦେଇଛନ୍ତି ।


