ଗଜପତିର ବାଲି ଆନ୍ଧ୍ରରେ ସୁନା; ବାଲି ଚୋରାଚାଲାଣ ରୋକିବା ପାଇଁ ଧାରଣା ଓ ବିକ୍ଷୋଭ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଆନ୍ଧ୍ରରେ ନଦୀ ବାଲି ପାଇଁ ବିଭିନ୍ନ କଟକଣା ରହିଛି ।ତା ଛଡା ଉତ୍ତମ କିସମର ନଦୀ ବାଲି ଆନ୍ଧ୍ରରେ ମିଳୁନାହିଁ । ତେଣୁ ଗଜପତି ଜିଲ୍ଲାର ବଂଶଧାରା ନଦୀର ବାଲି ଆନ୍ଧ୍ରରେ ସୁନାଦର ଭଳି ଯଥେଷ୍ଟ ଚାହିଦା ରହିଛି ।  ଗଜପତି ଜିଲ୍ଲାର କାଶୀନଗର ବ୍ଲକର ବଂଶଧାରା ନଦୀର ବିଭିନ୍ନ ନଦୀପଠାରୁ ବାଲି ଓଡିଶା ଓ ଆନ୍ଧ୍ରର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ଦ୍ୱାରା କେତେକ ବ୍ୟକ୍ତି କୋଟି କୋଟି ଟଙ୍କା ଅର୍ଜନ କରି ଚାଲିଛନ୍ତି । ଏଭଳି ବେଆଇନ ଓ ଚୋରା ବାଲି ଚାଲାଣ ଯୋଗୁଁ ବଂଶଧାରା ନଦୀର ଗତିପଥ ପରିବର୍ତ୍ତନ ଘଟି ଶହଶହ ଏକର ଚାଷଜମି ବାଲିଚର ମାଡିବା ସହ ନଦୀଜଳ ବିଭିନ୍ନ ଗ୍ରାମ ମଧ୍ୟରେ ପ୍ରବେଶ କରି ଧନ ଜୀବନ ବିପନ୍ନ ହେବାରେ ଲାଗିଛି । ଏହାର ଦୃଢ ବିରୋଧ କରି ଲୋକେ ବାରମ୍ବାର ଦାବି ଜଣାଇ ଆସୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ତେଣୁ ଏହାର ପ୍ରତିବାଦରେ କାଶୀନଗରର ସମସ୍ତ ରାଜନୈତିକ ଦଳ ଏକତ୍ରିତ ହୋଇ ସ୍ଥାନୀୟ ତହସିଲଦାର ଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରି ବାଲି ଚାଲାଣକୁ ତୁରନ୍ତ ବନ୍ଦ ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ବାଲି ଚାଲାଣ ବନ୍ଦ କରାନଗଲେ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏନେଇ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜି.ତିରୁପତି ରାଓ,କେ.ରାମାରାଓ,ବିଜେଡି ଜିଲ୍ଲା ଉପସଭାପତି କେ. ଆପାରାଓ,ବିଜେପି ବରିଷ୍ଠ ନେତା କେ.ମୁକୁନ୍ଦା ରାଓ,ବିଜେପି ନଗର ସଭାପତି ଆର.ଚଳପତି ରାଓ, ସିପିଏମ ନେତା କେ.ମୀନାରାଓ,ଯୁବନେତା ଡି.ରାଧା ଓ ୱାଇ ରାଜୁ ପ୍ରମୁଖ ଜଣାଇଛନ୍ତି ଯେ, ସରକାରଙ୍କ ବାଲି ଉଠାଣ ଗାଇଡ୍ ଲାଇନ୍ ରେ ଦର୍ଶାଯାଇଛି ଯେ ଲିଜ ଧାରୀମାନେ କୌଣସି ମେସିନ କିମ୍ବା ଜେସିବି ଦ୍ୱାରା ବାଲି ଉଠାଇ ପାରିବେ ନାହିଁ । କିନ୍ତୁ ଲିଜଧାରୀମାନେ ଏହାକୁ ଅମାନ୍ୟ କରି ମେସିନ ଦ୍ୱାରା ବାଲି ଉଠାଣ କରୁଛନ୍ତି । ଲିଜ ଦିଆଯାଇଥିବା ନଦୀପଠାରୁ ବାଲି ଉଠା ନ ଯାଇ ବେଆଇନ ଭାବେ ଲିଜଧାରୀମାନେ ନିଜ ଇଚ୍ଛା ମୁତାବକ ସ୍ଥାନରୁ ବାଲି ଉଠାଣ କରୁଛନ୍ତି । ଶହ ଶହ ଟ୍ରକ ବାଲିକୁ ବେଆଇନ ଭାବେ ଚୋରାରେ ଆନ୍ଧ୍ରକୁ ଚାଲାଣ କରି କୋଟି କୋଟି ଟଙ୍କା ଅର୍ଜନ କରୁଛନ୍ତି । ଏପରି ବେଆଇନ ବାଲି ଚାଲାଣ ଯୋଗୁଁ ନଦୀର ଗତିପଥର ପରିବର୍ତ୍ତନ ଘଟି ଶହ ଶହ ଏକର ଜମି ବାଲିଚର ମାଡି ଚାଷ ଜମି ଅକାମୀ ହେଉଛି । ଏଥି ସହ ଅନେକ ଗ୍ରାମକୁ ବର୍ଷାଦିନେ ବନ୍ୟା ଜଳ ପ୍ରବେଶ କରି ଧନ ଜୀବନ ବିପନ୍ନ ହେବାରେ ଲାଗିଛି । ତେଣୁ ଏହି ଚୋରା ବାଲି ଚାଲାଣକୁ ସମ୍ପୁର୍ଣ ଭାବେ ଏମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ