ଗଜପତିର ୨ସହରାଞ୍ଚଳରେ ଉପାଧ୍ୟକ୍ଷ ପଦ ନେଇ ଆଶାୟୀଙ୍କ ସଂଖ୍ୟା ବଢୁଛି

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ଏନ୍‌ଏସି ଦ୍ୱୟକୁ ବିଜେଡି ହାତେଇ ନେବା ପରେ ଏବେ ପୌର ଉପାଧ୍ୟକ୍ଷ ପଦବୀ ପାଇଁ ଆଶାୟୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଅଙ୍କକଷା ମଧ୍ୟ ଆରମ୍ଭ ହୋଇଯାଇଛି । ପାରଳାଖେମୁଣ୍ଡି ପୌର ପରିଷଦର ୧୬ଗୋଟି ୱାର୍ଡ ମଧ୍ୟରୁ ବିଜେଡି ୧୪ଗୋଟି ୱାର୍ଡରେ ବିଜୟ ହାସଲ କରିଛି । ତେଣୁ ବିନା ଦ୍ୱିଧାରେ ଉପାଧ୍ୟକ୍ଷ ପଦବୀ ହାତେଇବ । ହେଲେ ଦଳରେ ଆଶାୟୀଙ୍କ ସଂଖ୍ୟା ବଢୁଥିବା ବେଳେ କାହା ମୁଣ୍ଡରେ ସୁନାକଳସ ଢଳାଯିବ ତାହାକୁ ନେଇ ସହରବାସୀ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି । ସାଧାରଣ ଅଙ୍କକଷା ଅନୁସାରେ ଅଧ୍ୟକ୍ଷା ପଦରେ ଜଣେ ମହିଳା ଅଳଙ୍କିକୃତ ହୋଇଥିବାରୁ ଉପାଧ୍ୟକ୍ଷଙ୍କ ଲାଗି ଜଣେ ପୁରୁଷଙ୍କୁ ମିଳିବା ସମ୍ଭାବନା ଅଧିକା ରହିଛି । ତେବେ ଦଳରେ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଉଥିବାରୁ ଏହାକୁ ଦେଖିଲେ ଜଣେ ମହିଳାଙ୍କୁ ପୁଣି ଉପାଧ୍ୟକ୍ଷ ପଦବୀରେ ଅଧିଷ୍ଠିତ କରିବା ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ । ତେବେ ଜିତିଥିବା ବିଜେଡିର୧୪ଜଣ କାଉନସିଲରଙ୍କ ମଧ୍ୟରୁ ୬ନମ୍ବର ୱାର୍ଡର ଜି.ଭେଙ୍କଟରାବଣା, ୧୪ନମ୍ବର ବ ୱାର୍ଡର ମହିଳା କାଉନସିଲର ଜ୍ୟୋତିର୍ମୟୀ ଦାସ ଏବଂ ୧୩ ନମ୍ବର ୱାର୍ଡର ଲେଙ୍କା ମଧୁ ୩ଜଣ ଉପନଗରପାଳ ପଦବୀ ପାଇବା ପାଇଁ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି । ଏହି ୩ଜଣ ନିଜ ନିଜର ଲୋକ ପ୍ରିୟତା, ନିଜ ନିଜ ସମର୍ଥକ ଓ ଦଳୀୟ କର୍ମକର୍ତ୍ତାଙ୍କ ସହଯୋଗରେ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିର ଉପନଗରପାଳ ପଦବୀ ହାତେଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ୬ନମ୍ବର ୱାର୍ଡରୁ ନିର୍ବାଚିତ ଭେଙ୍କଟରାବଣା ଜଣେ ରାଜନୈତିକ ଅଭିଜ୍ଞତା ସମ୍ପନ୍ନ ଓ ସୁଜନସମ୍ପର୍କ ବ୍ୟକ୍ତିତ୍ୱ ଅଟନ୍ତି । ଛାତ୍ରଜୀବନରୁ ରାଜନୀତୀ ଆରମ୍ଭ କରିଥିବା ରାବଣା ଏସ୍‌କେସିଜି ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାପତି ଭାବେ ନିର୍ବାଚିତ ହେବା ସହ ପ୍ରତ୍ୟକ୍ଷ ରାଜନୀତୀରେ ଜଡିତ ରହିବା ଆଦି ଭଳି ଲମ୍ବା ଅଭିଜ୍ଞାତା ରହିଛି । ଏହା ସହ ପାରଳା ସହରର ପ୍ରତ୍ୟେକ ୱାର୍ଡରେ ସେ ଖୁବ ପରିଚିତ ଅଟନ୍ତି ଏବଂ ସେ ଛାତ୍ରାବସ୍ଥାରୁ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ବେଶ ପରିଚିତ ଅଟନ୍ତି । ସେହିଭଳି ମହିଳାଙ୍କୁ ଦଳ ଅଗ୍ରାଧିକାରୀ ଦିଏ ତେବେ ୧୪ନମ୍ବର ୱାର୍ଡର ଜ୍ୟୋତିର୍ମୟୀ ଦାସ ନାମ ଚର୍ଚ୍ଚାରେ ରହିଛି । ଶ୍ରୀମତୀ ଦାସ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାସଙ୍କ ଧର୍ମପତ୍ନୀ ଅଟନ୍ତି ଏବଂ ସେ ପ୍ରତ୍ୟେକ୍ଷ ରାଜନୀତୀରେ ଚଳିତ ନିର୍ବାଚନରେ ଜଡିତ ହୋଇଛନ୍ତି । ସେହିପରି ଶ୍ରମତୀ ଦାସ ଜଣେ ସମାଜସେବୀ ଏବଂ ସେହି ଅଞ୍ଚଳର ବିଭିନ୍ନ ମହିଳା ଓ ନାରୀ ସଂଗଠନ ସହିତ ପ୍ରତେକ୍ଷ ଭାବେ ଜଡିତ ରହି ବିଭିନ୍ନ ସାମାଜିକ ଓ ସେବାଜନିତ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ବେଶ ଲୋକପ୍ରିୟତା ଅର୍ଜନ କରିପାରିଛନ୍ତି । ଭାବେ ଏ ଦୁହେଁ ବ୍ୟତ୍ତୀତ୧୩ନମ୍ବର ୱାର୍ଡର କାଉନସିଲର ଲେଙ୍କା ମଧୁଙ୍କ ନାମ ମଧ୍ୟ ଚର୍ଚ୍ଚା ରହିଛି । ସେ ରାଜନୀତୀରେ ନୂଆ ଚେହେରା ହୋଇଥିଲେ ହେଁ ଉତ୍ତମ ଆଚରଣ ଓ ବ୍ୟବହାରକୁ ନେଇ ଦଳୀୟ ନେତୃବୃନ୍ଦଙ୍କ ଦୃଷ୍ଟିରେ ରହିଛନ୍ତି । ମଧୂ ପାରଳାଖେମୁଣ୍ଡି ଏସ୍‌କେସିଜି ମହାବିଦ୍ୟାଳୟରୁ ଏମ୍‌କମ୍ ପାସ କରି ଛାତ୍ରଜୀବନରୁ ଲୋକଙ୍କ ସେବାପାଇଁ ବିଭିନ୍ନ ଭାବେ ନିଜକୁ ନିୟୋଜିତ କରି ସାଧାରଣଙ୍କ ସହଯୋଗ ଓ ଆଶିର୍ବାଦରେ ବର୍ତ୍ତମାନ ୧୩ନମ୍ବର ୱାର୍ଡରୁ କାଉନସିଲର ଭାବେ ନିର୍ବାଚିତ ହୋଇପାରିଛନ୍ତି । ସେହିପରି କାଶୀନଗର ଏନ୍‌ଏସିରେ ମଧ୍ୟ ଉପନଗରପାଳକୁ ନେଇ ଆଶାୟୀଙ୍କ ସଂଖ୍ୟା ବଢି ଚାଲିଛି । ଏଠାରେ ମୋଟ ୧୩ ଗୋଟି ୱାର୍ଡ ମଧ୍ୟରୁ ୧୧ଗୋଟିରେ ବିଜେଡି ଦଳର କାଉନସିଲର ମାନେ ହାତେଇଥିବାରୁ ଏନ୍‌ଏସିରେ ବିଜେଡି ବେଶ ମଜବୁତ ସ୍ଥିତିରେ ରହିଛି । ଏଠାରେ ମଧ୍ୟ ୩ଜଣ ଆଶାୟୀଙ୍କ ନାମ ଦୃଷ୍ଟିକୁ ଆସିଛି । ସେମାନଙ୍କ ମଧ୍ୟରୁ ରଘୁ ରାମ ସାହୁ ଜଣେ ଉଚ୍ଚଶିକ୍ଷିତ ତଥା ବିଜେଡିର ଜଣେ ପୁରୁଣା ନେତା । ଦଳର ସ୍ଥିତି ଭଲନଥିବା ପର ଠାରୁ ସେ ସାଂଗଠନିକ କାର୍ଯ୍ୟ କରି ଦଳକୁ ମଜବୁତ କରିପାରିଥିବାର ଶ୍ରେୟ ତାଙ୍କୁ ମଧ୍ୟ ଦିଆଯାଇଛି । ଏହାସହ ସେ ୧୯୭୮ ମସିହାରୁ ରାଜନୀତୀରେ ସକ୍ରିୟ ରହି ଅନେକ ଥର କାଉନସିଲର ନିର୍ବାଚନରେ ଜିତାପଟ ମାରିଛନ୍ତି । ଲବିରେ ସେ ଆଗରେ ରହିଥିବା ବେଳେ ୯ନମ୍ବର ୱାର୍ଡରେ ଅପ୍ରତିଦ୍ୱନ୍ଦୀ ହୋଇ କାଉନସିଲର ଭାବେ ନିର୍ବାଚିତ ହୋଇଥିବା କଟିକୀ ରାମାରାଓ ମଧ୍ୟ ରହିଛନ୍ତି । ସେ ଅଞ୍ଚଳରେ ବହୁ ସୁନାମ ଅର୍ଜନ କରି ଲବି ମଇଦାନରେ ରହିଛନ୍ତି । ସେହିପରି ୮ନମ୍ବର ୱାର୍ଡର କାଉନସିଲର ଜୀବରତ୍ନ ମଧ୍ୟ ଏହି ଦୈଡରେ ରହିଛନ୍ତି । ସେ ପୂର୍ବରୁ କଂଗ୍ରେସରେ ଥିଲେ ତେବେ ମହାମିଶ୍ରଣ ବେଳେ ବିଜେଡିରେ ଯୋଗଦେଇଥିଲେ । ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜେପିକୁ ପରାସ୍ତ କରି ଚର୍ଚ୍ଚାରେ ଅଛନ୍ତି । ହେଲେ ଏପ୍ରିଲ ୭ ତାରିଖରେ ଗଜପତି ଜିଲ୍ଲାର ଏହି ଦୁଇଗୋଟି ସହରାଞ୍ଚଳରେ ଦଳୀୟ ହାଇକମାଣ୍ଡ କାହା ଉପରେ ଉପନଗରପାଳ ଭାବେ ଆସ୍ଥା ପ୍ରକଟ କରି ମୁକୁଟ ପିନ୍ଧାଇବେ ତାହା ଦେଖିବାକୁ ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ