ଗଜପତି ଏଡିଏମ ଏବଂ ପିଡି ଡିଆରଡିଏଙ୍କୁ ବିଦାୟ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି : (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୁଧା ଦେବ ସିଂ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ନିର୍ଦ୍ଦେଶକ ଚଞ୍ଚଳା ରାଣା ଦୁଇ ଆଇଏଏସ୍ ଅଧିକାରୀଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଦୁଇ ଆଇଏଏସ୍ ଅଧିକାରୀ ଗଜପତି ଜିଲ୍ଲାରେ ନିଜ ନିଜ କାର୍ଯ୍ୟକାଳ ମଧ୍ୟରେ ଲୋକଙ୍କ ପାଇଁ ବହୁ ଉନ୍ନୟନ ମୂଳକ ଏବଂ ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରିଥିଲେ । ଆଜି ଜିଲ୍ଲା ପ୍ରଶାସନ ତରଫରୁ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଏସପି ସାରା ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଗଜପତିରେ କାର୍ଯ୍ୟରତ ଅତିରିତ ଜିଲ୍ଲାପାଳ ସୁଧା ଦେବସିଂଙ୍କୁ ସମ୍ବଲପୁର ଜିଲ୍ଲାର ରାଉଲକେଲା ଅତିରିକ୍ତ ଜିଲ୍ଲାପାଳ ଭାବେ ଏବଂ ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ନିର୍ଦ୍ଦେଶକ ଥିବା ଚଞ୍ଚଳ ରାଣାଙ୍କ ମୟୁରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ଆଗାମୀ ଦିନରେ ଏହି ଉଭୟ ପ୍ରଶାସକ ଗଜପତି ଜିଲ୍ଲାରେ ଯେପରି ଉଲ୍ଲେଖନୀୟ କାର୍ଯ୍ୟ ପ୍ରସଂଶାର ପାତ୍ର ହୋଇପାରିଛନ୍ତି , ଯେଉଁ ସ୍ଥାନକୁ ଏମାନେ ବଦଳି ହେଲେ ବି ଠିକ୍ ସେପରି ଭାବେ ଲୋକଙ୍କ ସେବା କରି ପ୍ରସଂଶାର ପାତ୍ର ହୋଇପାରିବେ ବୋଲି ଆଜି ବିଦାୟକାଳୀନ ସମ୍ବର୍ଦ୍ଧନାରେ ଜିଲ୍ଲାର ସମସ୍ତ ପଦାଧିକାରୀ ମତବ୍ୟକ୍ତ କରିଛନ୍ତି । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଉପ-ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ସହକାରୀ ଜିଲ୍ଲାପାଳ ଜୁବୁଲି ବେହେରାଙ୍କ ସହ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ ବ୍ଲକ୍ର ସମସ୍ତ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।