ଗଜପତି କଲେଜ ପୁରାତନ ଛାତ୍ର ସଂସଦର ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ପ୍ରାୟ ୪ବର୍ଷ ଧରି କୌଣସି କାରଣକୁ ନେଇ ଏହି ପୁରାତନ ଛାତ୍ର ସଂସଦ ଓ ସଂପୃକ୍ତ ମହାବିଦ୍ୟାଳୟର କତ୍ତୃପକ୍ଷଙ୍କ ମଧ୍ୟରେ କିଛିଟା ମତାନ୍ତର ଲାଗିରହିଥିଲା । ବର୍ତ୍ତମାନ କଲେଜର କର୍ତ୍ତୃପକ୍ଷ ଓ ଛାତ୍ର ସଂସଦ ମଧ୍ୟରେ ରହିଯାଇଥିବା ମତଭେଦକୁ ଭୁଲି ଏ ଦିଗରେ ଉଭୟଙ୍କ ମଧ୍ୟରେ ଖୋଲା ଆଲୋଚନା ହୋଇଛି । ଏହି ଐତିହାସିକ ଶିକ୍ଷାନୁଷ୍ଠାନର ଉଭୟଙ୍କ ମଧ୍ୟରେ ପୁଣି ପୂର୍ବଭଳି ଭଲ ସଂମ୍ପର୍କ ରହିବା ସହ ଏହି ଅନୁଷ୍ଠାନ କିପରି ଆଗକୁ ଯିବ ସେ ବିଷୟହିଁ ଆଜିର ବୈଠକରେ ଆଲୋଚନା ହୋଇଥିଲା । ସଂସଦର ସଭାପତି ଡ.ଶଙ୍କର ପ୍ରସାଦ ବକ୍ସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହା ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରୀପାଠୀ ଯୋଗେଦେଇ ଉଭୟଙ୍କ ମଧ୍ୟରେଥିବା ସମସ୍ତ ମତଭେଦକୁ ଭୁଲିଯାଇ ଏହି ପୁରାତନ ମହାବିଦ୍ୟାଳୟର ପୂର୍ବ ଗୌରବକ ଫେରାଇ ଆଣିବାପାଇଁ ସମସ୍ତେ କାର୍ଯ୍ୟକରିବା ଆବଶ୍ୟକ ବୋଲି କହିଥିଲେ । ପୁରାତନ ଛାତ୍ର ସଂସଦର ଏକ ପ୍ରତିନିଧିଦଳ, ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କ ସହ ଏକ ଆଲୋଚନା ବୈଠକରେ ବସି ସଂସଦ ଓ ଅନୁଷ୍ଠାନର ଏକ ଉତ୍ତମ ବାତାବରଣ ପାଇଁ ବାର୍ତ୍ତାଳପ କରାଯାଇଥିଲା । ଏହି ବୈଠକରେ ଉପସଭାପତି ଆଶାଲତା ପାଣିଗ୍ରାହୀ, ସାଧାରଣ ସମ୍ପାଦକ ନାସିରବେଗ ନିର୍ବାହୀ କମିଟିର ଭାରତ ଭୂଷଣ ମହାନ୍ତି, ଦେବାଶିଷ ପାଢୀ, ବସନ୍ତ କୁମାର ପଣ୍ଡା ଆଦର୍ଶ ଦାସ, ବିନୋଦ ଜେନା, ବଟକୃଷ୍ଣ ପାତ୍ର ପ୍ରମୁଖ ଉପସ୍ଥିତଥିଲେ ।