ଗଜପତି ଜିଲା ପ୍ରଶାସନ ଓ ପୋଲିସ ରିଲିଫ ସହାୟତା ପାଇଁ ହାତ ବଢାଇଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରଶାଦ ପଣ୍ଡା) – ସାମୁଦ୍ରିକ ଝଡ ଫନି ପ୍ରଭାବରେ ଉପକୂଳ ଓଡିଶାର ବିଭିନ୍ନ ଜିଲାରେ ହୋଇଥିବା ବିଶେଷ କ୍ଷତିଗ୍ରସ୍ତ ଅଞ୍ଚଳକୁ ରିଲିଫ ଯୋଗାଇବା ସକାଶେ ଗଜପତି ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସହାୟତାର ହାତବଢାଇଥିବାର ଜଣାପଡିଛି । ଉପକୂଳ ଜିଲା ଗୁଡିକରେ ବାତ୍ୟା ଫୋନି ଧନଜୀବନରେ ବିଶେଷ ପ୍ରଭାବ ପକାଇଛି । ବର୍ତ୍ତମାନ ଏହି ସବୁ ଅଞ୍ଚଳରେ ଲୋକେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଆଦିର ଜରୁରୀ ରହିଥିବାରୁ ଖୋଦ୍ ଗଜପତି ଜିଲାପାଳ ଅନୁପମ ଶାହାଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ବାତ୍ୟା ପ୍ରପିଡିତଙ୍କୁ ରିଲିଫ ଦେବାପାଇଁ ଗତ ୮ତାରିଖ ଠାରୁ ବିଭିନ୍ନ ଭାବେ ରିଲିଫ ସଂଗ୍ରହ କରି ଚାଲିଛନ୍ତି । ସେହିପରି ଜିଲ୍ଲା ପୋଲିସ ଏସପି ସାରା ଶର୍ମାଙ୍କ ନେତୃତ୍ୱରେ ପୋଲିସର ପଦାଧିକାରୀ ମାନେ ସହରର ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଆଦି ଅଞ୍ଚଳକୁ ଯାଇ ସହାୟତା କରିବାପାଇଁ ଲୋକଙ୍କୁ ବୁଝାଇ ସହାୟତା ରାଶି ସଂଗ୍ରହ କରିଛନ୍ତି । ଜିଲ୍ଲାପ୍ରଶାସନ ଓ ପୋଲିସ ତରଫରୁ ଗତ ୮ତାରିଖରେ ଆରମ୍ଭ ହୋଇଥିବା ଏହି ଉଦ୍ୟମ ଆଗାମି ୧୦ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଇତ୍ସୁକ ବ୍ୟକ୍ତି ବିଶେଷ ମୁକ୍ତ ହସ୍ତରେ ପ୍ରପିଡିତଙ୍କୁ ଜିଲ୍ଲା ପ୍ରଶାସନ ଓ ପୋଲିସର ଏହି ଉଦ୍ୟମ ଦ୍ୱାରା ସାହାଯ୍ୟ କରିପାରିବେ । ଜିଲ୍ଲା ପ୍ରଶାସନର ଏହି ରିଲିଫ ସଂଗ୍ରହର ପ୍ରଥମ ଦିନରେ ୩.୫୫.୧୬୪ଟଙ୍କା ସଂଗ୍ରହ କରିଥିବା ବେଳେ ଜିଲ୍ଲା ପୋଲିସ ତରଫରୁ ଲକ୍ଷାଧିକ ଟଙ୍କା ସଂଗ୍ରହ କରାଯାଇଛି ।