ଗଜପତି ପରିବା ଚାଷୀଙ୍କୁ କରୋନା ମାଡ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ନାମକୁ ମାତ୍ର ଦରରେ ଚାଷୀଙ୍କ ଠାରୁ ବ୍ୟବସାୟୀ କିଣୁଛନ୍ତି,ବଜାରରେ ଚଢା ଦରରେ ବିକ୍ରି ଚାଲିଛି ।କରୋନା ଗଜପତି ଜିଲ୍ଲାରେ ପରିବା ଚାଷୀଙ୍କ ପାଇଁ କାଳ ସାଜି ଥିବା ଅଭିଯୋଗ ହୋଇଛି । ଗତ ଦୀର୍ଘ ଦିନ ଧରି ଲକ୍‌ଡାଉନ୍ ଜାରି ରହିଛି । ଯାନବାହନ ଚଳାଚଳ ସମ୍ପୁର୍ଣ୍ଣ ଭାବେ ବନ୍ଦ ହେବା ଯୋଗୁଁ ଗଜପତି ଜିଲ୍ଲାର ପରିବା ଚାଷୀ କ୍ଷେତରୁ ଆଦାୟ ପନିପରିବାକୁ ବିକ୍ରୀବଟା ପାଇଁ ନେଇ ନ ପାରି ନିଜ ନିଜ କ୍ଷେତ ନିକଟକୁ ଆସୁଥିବା ବ୍ୟବସାୟୀଙ୍କୁ ନାମକୁ ମାତ୍ର ଦରରେ ବିକ୍ରୀ କରିବା ପାଇଁ ବାଧ୍ୟ ହେଉଛୁ ବୋଲି କହିଛନ୍ତି । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ତଳି ଅଞ୍ଚଳ ସମେତ ଗୋଷାଣି,କାଶୀନଗର ବ୍ଲକରେ ବହୁ ପରିମାଣରେ ପନିପରିବା ଯଥା ବାଇଗଣ,ଟମାଟ,ଭେଣ୍ଡି,ମୁଳା,ଫୁଲକୋବି,ଫଳକୋବି,ବନ୍ଧାକୋବି,ଅଲଡି,ପୋଟଳ,ବିନ୍ସ,କଞ୍ଚା ଲଙ୍କା ଆଦି ପନିପରିବା ବହୁ ପରିମାଣରେ ଅମଳ ହୋଇଥାଏ । ସେହିପରି ଏହି ଜିଲ୍ଲାର ଅନ୍ୟ ୫ଗୋଟି ବ୍ଲକ ମୋହନା,ଆର.ଉଦୟଗିରି,ନୁଆଗଡ,ଗୁମ୍ମା,ରାୟଗଡ ଆଦି ଅଞ୍ଚଳରେ ମଧ୍ୟ ପନିପରିବା ଚାଷ ହେଉଛି । ଏ ସମସ୍ତ ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି,କରୋନା ଆମ ପାଇଁ କାଳ ସାଜିଛି । ଅକ୍ଳାନ୍ତ ପରିଶ୍ରମରେ ଅମଳ ପନିପରିବାକୁ ଲକ୍‌ଡାଉନ୍ ଯୋଗୁଁ ବିକ୍ରୀବଟା କରିପାରୁ ନାହୁଁ । ଆମ କ୍ଷେତ ନିକଟକୁ ଆସୁଥିବା ବ୍ୟବସାୟୀମାନେ ଶାଗମାଛ ଦରରେ ପରିବା କିଣି ନେଉଛନ୍ତି । ଆମ କ୍ଷେତ ନିକଟରୁ ୫ଟଙ୍କାରେ କିଣୁଥିବା ପରିବାକୁ ବଜାରରେ ୩୦ଟଙ୍କାରୁ ଉର୍ଦ୍ଧ୍ୱରେ ବିକ୍ରୀ କରି ବେଶ ଲାଭବାନ ହେଉଛନ୍ତି । ହେଲେ ଧାର କରଜ କରି ପନିପରିବା ଅମଳ କରୁଥିବା ଆମେ ଭୋକ ଉପାସ ଓ କରଜରେ ବାନ୍ଧି ହୋଇ ବହୁ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛୁ । ପ୍ରଶାସନ ଓ ସରକାର ଆମ ପ୍ରତି ସଦୟ ହୋଇ ଆବଶ୍ୟକ କ୍ଷତିପୁରଣ ପ୍ରଦାନ କରନ୍ତୁ ବୋଲି ଏମାନେ ପ୍ରକାଶ କରି କହିଛନ୍ତି ଅନେକ ସ୍ଥାନରେ ପରିବା କ୍ଷେତରେ ପନିପରିବା ପଡି ରହିଥିବା ବେଳେ ଆଉ କେତେକ ସ୍ଥାନରେ ପରିବା ଚାଷୀ ମାଗଣାରେ ନିଜ ଗ୍ରାମ ଲୋକଙ୍କୁ ପରିବା ଦେଇ ଆତ୍ମ ସନ୍ତୋଷ ପାଉଛନ୍ତି । ଏହି ଘଟଣା ନେଇ ଗଜପତି ଜିଲ୍ଲା କୃଷକ ସଂଘର ସଭାପତି ସୁର୍ଯ୍ୟ ନାରାୟଣ ପଟ୍ଟନାୟକ କହିଛନ୍ତି,ବର୍ତ୍ତମାନ ସମୟରେ ସବୁ ବର୍ଗର ଚାଷୀ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ପରିବା ଚାଷୀଙ୍କ ଅବସ୍ଥା ନ କହିଲେ ଭଲ । କ୍ଷେତରୁ ପରିବା ବୋଝେଇ ପାରଳା ବଜାରକୁ କିଛି ଦିନ ତଳେ ଆସି ବିକ୍ରୀ କରି ଫେରୁଥିଲେ । ହେଲେ ପରିବା ଧରି ସକାଳ ସମୟରେ ଯିବା ବେଳେ କୌଣସି ଅସୁବିଧା ନାହିଁ । ଫେରିବା ବେଳେ ଲକ୍‌ଡାଉନ୍ ଯୋଗୁଁ ପୋଲିସର ଭୟରେ ଏମାନେ ଆସି ପାରୁନାହାଁନ୍ତି । ତେଣୁ ନାମକୁ ମାତ୍ର ଦରରେ ବ୍ୟବସାୟୀଙ୍କୁ ବିକ୍ରୀ କରିବାକୁ ଏମାନେ ବାଧ୍ୟ ହେଉଛନ୍ତି । ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କୁ ପରିବା ଚାଷୀଙ୍କ ଦୁରାବସ୍ଥା ନେଇ ମୁଁ ଭେଟିଥିଲି । ଲକ୍‌ଡାଉନ୍ ସମୟରେ ଚାଷୀ ପରିବା ଧରି ବଜାରକୁ ଆସି ପାରିବେ ନାହିଁ । ତେଣୁ ଚାଷୀଙ୍କ ନିକଟରୁ ପ୍ରଶାସନ ପରିବା କିଣିବା ପାଇଁ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କଲେ ପରିବା ଚାଷୀ ଉପକୃତ ହୋଇ ପାରିଥାନ୍ତେ ବୋଲି ଜିଲ୍ଲାପାଳଙ୍କୁ ଜଣାଇଛି । ଜିଲ୍ଲାପାଳ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ